ହାଇଦ୍ରାବାଦ:ସରି ସରି ଆସୁଛି ୨୦୨୩ ବର୍ଷ । ପୁଣି ନୂଆ ଆଶା ନୂଆ ଉଦ୍ଦୀପନା ନେଇ ଆରମ୍ଭ ହେବ ନୂଆ ବର୍ଷ ୨୦୨୪ । ତେବେ ଚଳିତ ବର୍ଷ ମନୋରଞ୍ଜନ ଇଣ୍ଡଷ୍ଟ୍ରି ପାଇଁ ବେଶ ଶୁଭ ହୋଇଛି । କାରଣ କୋରୋନା କାଳ ବ୍ୟତୀତ ୨୦୨୨ରେ ମଧ୍ୟ ଫିଲ୍ମ ଇଣ୍ଡଷ୍ଟ୍ରିକୁ ବେଶ କ୍ଷତିର ସାମ୍ନାକୁ କରିବାକୁ ପଡିଥିଲା । କିନ୍ତୁ ୨୦୨୩ରେ ହଲିଉଡରୁ ଓଲିଉଡ ପର୍ଯ୍ୟନ୍ତ ସମସ୍ତ ବିଗ୍ ଷ୍ଟାରଙ୍କ ବିଗ୍ ବଜେଟ୍ ଫିଲ୍ମ ଦର୍ଶକଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଥିଲେ । ଏବେ ବକ୍ସ ଅଫିସରେ ମୋଟା ଅଙ୍କର କଲେକ୍ସନ ସହ ସର୍ବାଧିକ ଆୟ କରିଥିବା ଫିଲ୍ମ ମଧ୍ୟରେ ସାମିଲ ହୋଇଛି । ଓପନହାଇମରଠୁ ବାର୍ବି, ପଠାନ ଠାରୁ ଡଙ୍କି, ଜେଲର ଠାରୁ ଲିଓ ଏବଂ ମାଲ୍ୟଗିରିଠାରୁ ପୁଷ୍କରା ଭଳି ଫିଲ୍ମ ଭଲ ପ୍ରଦର୍ଶନ କରିଛି । ଏପରିକି ଏହି ବର୍ଷ ଅନେକ ଷ୍ଟାରଙ୍କ ଭାଗ୍ୟ ଚମକିବା ସହ ଲୋକପ୍ରିୟ ତାରକା ଭାବେ ମଧ୍ୟ ବିବେଚନା ହୋଇଛନ୍ତି ।
୨୦୨୩ରେ ଓଲିଉଡର ଏହି ଫିଲ୍ମ ଦର୍ଶକଙ୍କ ମନ ଜିତିଥିଲା
- ପୁଷ୍କରା
ପୁଷ୍କରା ଚଳିତ ବର୍ଷ ସେପ୍ଟେମ୍ବର ୧୯, ଗଣେଶ ପୂଜାରେ ରିଲଜ ହୋଇଥିଲା । ଦୀର୍ଘ ୨ ବର୍ଷ ପରେ ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର ଚଳିତ ବର୍ଷ 'ପୁଷ୍କରା' ସହ ପରଦାକୁ ଫେରିଥିଲେ । ଶଙ୍କର ତ୍ରିପାଠୀଙ୍କ ରଚିତ ଓଡ଼ିଆ ଉପନ୍ୟାସ 'ନଡା ବିନ୍ଦୁ'ରୁ ପ୍ରସ୍ତୁତ ହୋଇଛି ଚଳଚିତ୍ର ପୁଷ୍କରା । ଜିଯାଉଥିବା ସଂସ୍କୃତି, ପରମ୍ପରା ଏବଂ କୌଳିକ ବୃତ୍ତି ଉପରେ ଆଧାର କରି ଫିଲ୍ମ ପ୍ରସ୍ତୁତ । ଏହି ଫିଲ୍ମ ଦୀର୍ଘ ଦିନ ଧରି ପ୍ରକ୍ଷାଳୟରେ ଚାଲିଥିବା ବେଳେ ଲୋକେ ଏଥିରେ ସବ୍ୟସାଚୀଙ୍କ ସମେତ ଅନକେ କଳାକାରଙ୍କ ଅଭିନୟକୁ ବେଶ ପ୍ରଶଂସା କରିଛନ୍ତି । ଏହି ଫିଲ୍ମର କାହାଣୀ ଏବଂ ସଂଳାପ ମଧ୍ୟ ଶଙ୍କର ତ୍ରିପାଠୀ ଲେଖିଛନ୍ତି । ସୁପ୍ରିୟା ନାୟକ, ସ୍ବର୍ଗତ ଅଭିନେତା ପିଣ୍ଟୁ ନନ୍ଦ, ବିକାଶ ଚୌଧୁରୀ, ତ୍ରିଭୁବନ ପଣ୍ଡାଙ୍କ ସମେତ ଅନେକ କଳାକାର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।
- ମାଲ୍ୟଗିରି
ଓଲିଉଡ ଅଭିନେତା ବାବୁଶାନଙ୍କ ଫିଲ୍ମ ମାଲ୍ୟଗିରି ମଧ୍ୟ ଦର୍ଶକଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଥିଲା । ଏହି ଫିଲ୍ମ ଅକ୍ଟୋବର ୧୯, ୨୦୨୩ରେ ଦଶହରା ଅବସରରେ ରିଲିଜ ହୋଇଥିବା ବେଳେ ପ୍ରାୟ ୫୦ ଦିନରୁ ଉର୍ଦ୍ଧ୍ବ ସମୟ ହେବ ଏହା ପ୍ରେକ୍ଷାଳୟରେ ଚାଲିଥିଲା । ଫିଲ୍ମରେ ଓଲିଉଡ଼ ଅଭିନେତା ବାବୁଶାନଙ୍କ ସମେତ ଅମ୍ଲାନ ଦାସ, ଅଭିନେତ୍ରୀ ଶିବାନୀ ସଙ୍ଗୀତା, ଏଲିନା ସାମନ୍ତରାୟ, ସୂର୍ଯ୍ୟମୟୀ ମହାପାତ୍ର ଏହି ଫିଲ୍ମରେ ଅଭିନୟ କରିଛନ୍ତି । ତେବେ ପ୍ରଥମ ଥର ପାଇଁ ବାବୁସାନ ଏବଂ ଅମ୍ଲାନ ଏହି ଫିଲ୍ମ ସହ ଏକାଠି ନଜର ଆସିଥିବା ବେଳେ ଫିଲ୍ମ ଲୋକଙ୍କ ମନ ଜିତିଥିଲା ।
- ମାଇଣ୍ଡ ଗେମ୍
ଅକ୍ଟୋବର ୬, ୨୦୨୩ରେ ରିଲିଜ ହୋଇଥିଲା ବହୁଚର୍ଚ୍ଚିତ ଓଡ଼ିଆ ଓ ସମ୍ବଲପୁରୀ ଚଳଚ୍ଚିତ୍ର ‘ମାଇଣ୍ଡ ଗେମ୍’ । ଏକ ସତ ଘଟଣାକୁ ନେଇ ଆଧାରିତ ଏହି ଚଳଚ୍ଚିତ୍ର ଓଡିଶାବାସୀଙ୍କୁ ଖୁବ୍ ଆକର୍ଷିତ କରିଥିଲା । ଗତ ୫ ବର୍ଷ ପୂର୍ବେ ଘଟିଥିବା ବହୁ ଚର୍ଚ୍ଚିତ ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ପୋଲିସ ଯାଞ୍ଚ ସମ୍ପର୍କୀତ ସତ୍ୟ ଘଟଣା ଉପରେ ଆଧାରିତ ନିଚ୍ଛକ ଓଡ଼ିଆ କାହାଣୀ ଉପରେ ଆଧାରିତ ‘ମାଇଣ୍ଡ୍ ଗ୍ୟାମ୍’ । ତେବେ ଏହି ଫିଲ୍ମରେ ବଲିଉଡ ଅଭିନେତା ଅତୁଲ କୁଲକର୍ଣ୍ଣି, ୟଶପାଲ ଶର୍ମା, ତନିକେଲା ଭରାଣୀ ଭଳି ତାରକା ସହ ଓଲିଉଡ ଅଭିନେତା ମନୋଜ ମିଶ୍ର ଏବଂ ଅନୁ ଚୌଧୁରୀ ସମେତ ଅନେକ ପ୍ରଖ୍ୟାତ ଓ ବିଶିଷ୍ଟ କଳାକାରଙ୍କ ଅଭିନୟ କରିଥିଲେ । ସେହିପରି ସିଦ୍ଧାନ୍ତ ମହାପାତ୍ରଙ୍କ ଫିଲ୍ମ 'କଟକ: ଶେଷରୁ ଆରମ୍ଭ, ଗୁଡୁ ଗ୍ୟାଙ୍ଗଷ୍ଟାର' ଭଳି ଫିଲ୍ମ ଓଡିଆ ଫିଲ୍ମ ମଧ୍ୟ ବେଶ ଲୋକପ୍ରିୟତା ହାସଲ କରିଥିଲା ।
୨୦୨୩ରେ ବଲିଉଡର ଏହି ଫିଲ୍ମ ବକ୍ସ ଅଫିସରେ ଧମାକା କରିଛି
- ପଠାନ
ଦୀର୍ଘ ୪ ବର୍ଷ ପରେ ଚଳିତ ବର୍ଷ ପରଦାକୁ ଫେରିଲେ ଶାହାରୁଖ ଖାନ । କିଙ୍ଗ ଖାନ ୨୦୨୩ରେ ପ୍ରଥମ ଫିଲ୍ମ ପଠାନ ସହ ପରଦାରେ ନଜର ଆସିଥିଲେ । ଏହି ଫିଲ୍ମ ୨୫ ଜାନୁଆରୀ ୨୦୨୩ ରିଲିଜ ହୋଇଥିଲା । ମୋଟ ୧୦୪୮ କୋଟି ଆୟ କରି ବକ୍ସ ଅଫିସରେ ଇତିହାସ ରଚିବା ସହ ଅନେକ ଫିଲ୍ମର ରେକର୍ଡ ଭାଙ୍ଗିଥିଲା । 'ପଠାନ୍'ର ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ନିର୍ଦ୍ଦେଶନା ଦେଇଥିବା ବେଳେ ଏହି ଚଳଚ୍ଚିତ୍ରଟି ଶ୍ରୀଧର ରାଘବନ୍ ଏବଂ ଅୱଜନ ବାଇରୱାଲା ରଚନା କରିଥିଲେ । ଏଥିରେ ମୁଖ୍ୟ ଭୂମିକାରେ ଅଭିନେତା ଶାହାରୁଖ ଖାନଙ୍କ ବ୍ୟତୀତ ଅଭିନେତ୍ରୀ ଦୀପିକା ପାଦୁକୋନ, ଜନ୍ ଅବ୍ରହାମ, ଡିମ୍ପଲ୍ କପାଡିଆ ଏବଂ ଆଶୁତୋଷ ରାଣା ପ୍ରମୁଖ ଅଭିନୟ କରିଛନ୍ତି ।
- ଜବାନ
ଏହା ପରେ ଶାହାରୁଖ ଖାନଙ୍କ ଚଳିତ ବର୍ଷର ୨ୟ ଫିଲ୍ମ ଜବାନ ରିଲିଜ ହୋଇଥିଲା । ଏହି ଫିଲ୍ମ ସେପ୍ଟେମ୍ବର 7, 2023ରେ ଜନ୍ମାଷ୍ଟମୀ ଅବସରରେ ମୁକ୍ତିଲାଭ କରିଥିଲା । ଏହି ଫିଲ୍ମ ବେଶ ଲୋକପ୍ରିୟତା ହାସଲ କରିଥିବା ବେଳେ ୧୧୪୬ କୋଟି ଆୟ କରି ବେଶ ସଫଳତା ହାସଲ କରିଛି । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସାଉଥ ନିର୍ଦ୍ଦେଶକ ଅଟଲି । ଏହି ଫିଲ୍ମରେ ଶାହାରୁଖଙ୍କ ବ୍ୟତୀତ ସାଉଥ ଅଭିନେତା ବିଜୟ ସେଥୁପଥୀ ଏବଂ ନୟନତାରା ଏବଂ ବଲିଉଡ ଅଭିନେତା ଦୀପିକା ପାଦୁକୋନ୍ ଏବଂ ସଞ୍ଜୟ ଦତ୍ତ ମଧ୍ୟ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ର ନିର୍ମାତା ଅଟଲି, ଅଭିନେତା ବିଜୟ ଏବଂ ନୟନତାରାଙ୍କ ସହ ଶାହାରୁଖଙ୍କ ପ୍ରଥମ ଥର ପାଇଁ କାମ କରିଛନ୍ତି ।
- ଆନିମଲ
ଆନିମଲ ଚଳିତ ବର୍ଷର ସର୍ବାଧିକ ଆୟ କରିଥିବା ଫିଲ୍ମ ମଧ୍ୟରେ ଅନ୍ୟତମ । ଏହି ଫିଲ୍ମ ଡିସେମ୍ବର ୧, ୨୦୨୩ରେ ରିଲିଜ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ପ୍ରେକ୍ଷାଳୟରେ ନିଜର ଜଲୱା ଜାରି ରଖିଛି । 'ଆନିମଲ' ଭାରତୀୟ ବକ୍ସ ଅଫିସରେ ଏହି ଫିଲ୍ମ ବର୍ତ୍ତମାନ ୫୦୦ କୋଟି ପାର୍ କରିଥିବା ବେଳେ ବିଶ୍ୱରେ ୮୫୦ କୋଟି ରୁ ଅଧିକ ଆୟ କରିବାରେ ସଫଳ ହୋଇଛି । ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ରଣବୀର କପୁର, ଅନୀଲ କପୁର, ବବି ଦେଓଲ, ରଶ୍ମିକା ମନ୍ଦାନା, ତ୍ରିପ୍ତୀ ଡିମ୍ରି, ସୁରେଶ ଓବରୋଇ ଏବଂ ପ୍ରେମ ଚୋପ୍ରା ମଧ୍ୟ ନଜର ଆସିଛନ୍ତି । ଏହି ଫିଲ୍ମରେ ସମସ୍ତ ଚରିତ୍ରଙ୍କ ଅଭିନୟକୁ ବେଶ ପ୍ରଶଂସା କରାଯାଉଛି ।
- ଗଦର ୨
ଦୀର୍ଘ ୨୨ ବର୍ଷ ପରେ ସନ୍ନି ଦେଓଲ ଗଦର ୨ ସହ ଚଳିତ ବର୍ଷ ପରଦାକୁ ଫେରିଥିଲେ । ଏହି ଫିଲ୍ମ ଅଗଷ୍ଟ ୧୧, ୨୦୨୩ରେ ଥିଏଟରରେ ରିଲିଜ ହୋଇଥିଲା । ଏହି ଫିଲ୍ମ ମୋଟ ୬୯୧.୦୮ କୋଟି ଆୟ କରି ବେଶ ଲୋକପ୍ରିୟତା ହାସଲ କରିଛି । ଏହି ଫିଲ୍ମ ଦ୍ବାରା ସନ୍ନି ଦମଦାର କମବ୍ୟାକ କରିଛନ୍ତି । ଏହା 2001ରେ ରିଲିଜ ହୋଇଥିବା 'ଗଦର-ଏକ ପ୍ରେମ କଥା'ର ସିକ୍ବଲ ଅଟେ । ପ୍ରଥମ ଭାଗ ପରି ଏଥିରେ ମଧ୍ୟ ଅମୀଷା ପଟେଲ ଏବଂ ସନ୍ନିଙ୍କ ଯୋଡି ଦେଖିବାକୁ ମିଳିଥିଲା । ଏଥିସହ ଗୌରବ ଚୋପ୍ରା, ଉତ୍କର୍ଷ ଶର୍ମା ଏବଂ ଲଭ୍ ସିହ୍ନା ନଜର ଆସିଛନ୍ତି ।
- ଟାଇଗର ୩
୨୦୨୩ ମସିହାରେ ସଲମାନ ଖାନଙ୍କ ପ୍ରଥମ ଚଳଚ୍ଚିତ୍ର 'କିସି କା ଭାଇ କିସି କି ଜାନ' ଏକ ଫ୍ଲପ ବୋଲି ପ୍ରମାଣିତ ହୋଇଥିବାବେଳେ ଚଳିତ ବର୍ଷ ଭାଇଜାନ ଦିୱାଲୀ (୧୨ ନଭେମ୍ବର)ରେ 'ଟାଇଗର ୩' ସହ ଫେରିଥିଲେ । ଏହି ଫିଲ୍ମ ଟାଇଗର ପ୍ରାଞ୍ଚାଇଜର ୩ୟ ଭାଗ ଅଟେ । ଏଥିରେ ସଲମାନ ପୁଣି କ୍ୟାଟ୍ରିନା କୈପଙ୍କ ସହ ନଜର ଆସିଛନ୍ତି । ଏବଂ ଇମ୍ରାନ ହାଶମୀ ଫିଲ୍ମ ଖଲନାୟକ ଭୂମିକାରେ ନଜର ଆସିଛନ୍ତି । ଏହି ଫିଲ୍ମ ୪୬୬.୩୩ କୋଟି ଟଙ୍କା ଆୟ କରି ସଫଳତା ହାସଲ କରିଛି ।
- ଡଙ୍କି
ଚଳିତ ବର୍ଷର ଶାହାରୁଖ ଖାନଙ୍କ ଶେଷ ଫିଲ୍ମ ଡଙ୍କି ଡିସେମ୍ବର ୨୧ରେ ରିଲିଜ ହୋଇଛି । ଏହି ଫିଲ୍ମ ବର୍ତ୍ତମାନ ପ୍ରେକ୍ଷାଳୟରେ ନିଜ ପ୍ରଦର୍ଶନ ଜାରି ରଖିଥିବା ବେଳେ ୪ଦିନ ମଧ୍ୟରେ ଫିଲ୍ମ ୧୦୦ କୋଟିରୁ ଅଧିକ ଆୟ କରିଛି । ପଠାନ ଏବଂ ଜବାନ ରେକର୍ଡ ନଭାଙ୍ଗିଥିଲେ ମଧ୍ୟ ଏହି ଫିଲ୍ମ ଭଲ ପ୍ରଦର୍ଶନ କରୁଛି । ଏହି ଫିଲ୍ମରେ କିଙ୍ଗ୍ ଖାନଙ୍କ ସମେତ ତାପସୀ ପନ୍ନୁ, ବିକି କୌଶଲ, ବୋମାନ ଇରାନୀ, ଅନିଲ ଗ୍ରୋଭର, ବିକ୍ରମ କୋଚର, ଏବଂ ଦିଆ ମିର୍ଜାଙ୍କୁ ଦେଖିବାକୁ ମିଳିଛି । ଏହି ଫିଲ୍ମରେ ଶାହାରୁଖଙ୍କ ସହ ରାଜକୁମାର ହିରାନୀ, ବିକି ଏବଂ ତାପସୀ ପ୍ରଥମ ଥର କାମ କରିଛନ୍ତି ।