ହାଇଦ୍ରାବାଦ:ବଲିଉଡ କିଙ୍ଗଖାନ ଆଜିକାଲି ନିଜ ଆଗାମୀ ଫିଲ୍ମ ଜବାନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏହି ଫିଲ୍ମ ସେପ୍ଟେମ୍ବର 7ରେ ରିଲିଜ ହେବାକୁ ଥିବା ବେଳେ ଚେନ୍ନାଇରେ ଆଜି ପ୍ରି-ରିଲିଜ ଇଭେଣ୍ଟ ହେବାକୁ ଯାଉଛି । ଏହାରି ମଧ୍ୟରେ ଶାହାରୁଖ ବର୍ତ୍ତମାନ ବୈଷ୍ଣୋ ଦେବୀଙ୍କ ମନ୍ଦିର ପରିଦର୍ଶନ କରିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।
କୁହାଯାଉଛି ଯେ, ମଙ୍ଗଳବାର ଦିନ ଶାହାରୁଖ ଖାନ ଶାମ ତାରାକୋଟ ରୁଟରେ କତ୍ରା ପହଞ୍ଚିଥିଲେ । ଭାଇରାଲ ଭିଡିଓରେ ଶାହାରୁଖଙ୍କୁ ବ୍ଲୁ ଜ୍ୟାକେଟରେ ନଜର ଆସିଥିବା ବେଳେ ନିଜ ଚେହେରା ଲୁଚାଇଥିବାର ଦେଖିବାକୁ ମିଳିଛି । ଏଥିସହ ଏହି ଭିଡିଓରେ ଶାହାରୁଖଙ୍କ ଆଖପାଖରେ ବୈଷ୍ଣୋ ଦେବୀ ମନ୍ଦିର ବୋର୍ଡର ଅଧିକାରୀ, କିଛି ପୋଲିସ ଅଧିକାରୀ ଏବଂ ସୁପରଷ୍ଟାରଙ୍କ ସିକ୍ୟୁରିଟି ଗାର୍ଜ ମଧ୍ୟ ନଜର ଆସିଛନ୍ତି ।
ଚଳିତବର୍ଷର ଶାହାରୁଖ ଖାନଙ୍କ ପ୍ରଥମ ଫିଲ୍ମ ପଠାନ ବକ୍ସ ଅଫିସରେ ରେକର୍ଡ ସୃଷ୍ଟି କରିଥିଲା । ଏହା ପରେ ବର୍ତ୍ତମାନ ଅଭିନେତା ଏହି ବର୍ଷର 2ୟ ଫିଲ୍ମ ଜବାନ ସହ ପୁଣି ଧମାକା କରିବାକୁ ପ୍ରସ୍ତୁତ ଅଛନ୍ତି । ପୂର୍ବରୁ ପଠାନ ପାଇଁ ବୈଷ୍ଣୋ ଦେବୀଙ୍କ ଦର୍ଶନ କରିଥିଲେ ଅଭିନେତା । ଯାହା ବ୍ଲକବ୍ଲାଷ୍ଟର ହୋଇଥିଲା । ବର୍ତ୍ତମାନ ଜବାନ ପାଇଁ ପ୍ରାର୍ଥନା କରିବାକୁ ବୈଷ୍ଣୋ ଦେବୀଙ୍କ ଦର୍ଶନ କରିଛନ୍ତି ଶାହାରୁଖ । ପଠାନ ରିଲିଜର ଏକ ମାସ ପୂର୍ବରୁ ଅଭିନେତା ମନ୍ଦିର ଦର୍ଶନ କରିଥିଲେ । ଆଉ ଏବେ ଜବାନ ରିଲିଜର 9 ଦିନ ପୂର୍ବରୁ ମା'ଙ୍କ ଦର୍ଶନ କରିଛନ୍ତି ଅଭିନେତା । ଗତ 9 ମାସ ମଧ୍ୟରେ ଶାହାରୁଖଙ୍କ ଏହା 2ୟ ଗସ୍ତ ।