ହାଇଦ୍ରାବାଦ: ବିଜୟ ମହାନ୍ତି, କେବଳ ନାମ ହିଁ ଯଥେଷ୍ଟ । ଯାହାଙ୍କୁ କେବେ ଭୁଲି ହେବନି । ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ମହାନ ଅଭିନେତା, ନିର୍ଦ୍ଦେଶକ ଓ ନାଟ୍ୟକାର ବିଜୟ ମହାନ୍ତି ଘରେ ଘରେ ଥିଲେ ପରିଚିତ । ଅଭିନେତା ଠାରୁ ଆରମ୍ଭ କରି ହାସ୍ୟ ଅଭିନେତା, ଖଳନାୟକ, ନାୟକ ଆଦି ବିଭିନ୍ନ ଭୂମିକାରେ ଅଭିନୟ କରି ସମସ୍ତଙ୍କ ମନ ଜିଣିଥିଲେ ସେ । ଏଥିଲାଗି ସେ ଏକାଧିକବାର ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ । ଆଜି ଏହି ମହାନ ତଥା ଶ୍ରେଷ୍ଠ ଅଭିନେତାଙ୍କ 72ତମ ଜନ୍ମ ଜୟନ୍ତୀ ।
ପିଲାଦିନ ଓ ପାଠପଢା:
ବିଜୟ ୧୯୫୦ ମସିହା ଅପ୍ରେଲ ୮ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାର ପାଣ୍ଡିରି ଗ୍ରାମରେ ଜନ୍ମ ନେଇଥିଲେ । କିନ୍ତୁ ସେ ମୟୂରଭଞ୍ଜ ବାରିପଦାରେ ରହୁଥିଲେ। ତାଙ୍କ ପିତାଙ୍କ ନାମ ଆଦିକନ୍ଦ ମହାନ୍ତି ଓ ମାତାଙ୍କ ନାମ ଶାନ୍ତିଲତା ମହାନ୍ତି । ସେମାନେ ୨ ଭାଇ ଓ ୩ ଭଉଣୀ ଥିଲେ । ଭାଇ-ଉଣଣୀଙ୍କ ମଧ୍ୟରେ ବଡ଼ ଥିଲେ ବିଜୟ । ପିତା ଆଦିକନ୍ଦ ବାରିପଦାରେ ସରକାରୀ ବସରେ କଣ୍ଡକ୍ଟର ଚାକିରି କରୁଥିଲେ । ବିଜୟଙ୍କ ଶିକ୍ଷାରମ୍ଭ ସେହିଠାରେ ହୋଇଥିଲା । ମହାରାଜା କୃଷ୍ଣଚନ୍ଦ୍ର ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପଢିଲା ବେଳକୁ, ସ୍କୁଲ ବାର୍ଷିକ ଉତ୍ସବରେ ସେ ପ୍ରଥମ ଥର ଅଭିନୟ କରିଥିଲେ । ସ୍କୁଲ ପଢା ସାରିବା ପରେ ଗ୍ରାଜୁଏସନ କରିବା ସମୟରେ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରେ ଯୋଗ ଦେଇଥିଲେ । ପରେ ସେ ରାଜ୍ୟ ପରିବହନ ବିଭାଗରେ ଚାକିରି କରିଥିଲେ ।
ଚାକିରି ସହିତ ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟରେ ପାଠ ମଧ୍ୟ ପଢୁଥିଲେ । କଲେଜର ପ୍ରଥମ ବର୍ଷରେ କଲେଜ ନାଟକରେ ଅଭିନୟ କରି, ସେ ଶ୍ରେଷ୍ଠ ଅଭିନେତା ପୁରସ୍କାର ଲାଭ କରିଥିଲେ । ପରେ ସାଙ୍ଗମାନଙ୍କୁ ନେଇ ଯୁଗେଚ୍ଛା ନାଟ୍ୟ ସଂସ୍ଥା ନାମକ ଅନୁଷ୍ଠାନ ଗଢି ଅଧିକ ନାଟକ ମଞ୍ଚସ୍ଥ କରିଥିଲେ । ଅଭିନୟ କ୍ଷେତ୍ର ଆଗକୁ ବଢିବା ନିମନ୍ତେ, ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ, ଦିଲ୍ଲୀରେ ନାମ ଲେଖାଇଥିଲେ । ସେଠାରେ ସେ ଜାତୀୟ ମେଧା ବୃତ୍ତି ଲାଭ କରିଥିଲେ । ଯାହା ପରେ ଆରମ୍ଭ ହୋଇଥିଲା ତାଙ୍କ ଅଭିନୟ ଯାତ୍ରା ।
ଅଭିନୟ ଯାତ୍ରା:
୧୯୭୭ ମସିହାରେ ବିଜୟ ମହାନ୍ତି ‘ଚିଲିକା ତୀରେ’ ଚଳଚ୍ଚିତ୍ର ଜରିଆରେ ଅଭିନୟ ଜୀବନ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ରଟିକୁ ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା । ଆଉ ନିଜ ପ୍ରଥମ ଫିଲ୍ମରୁ ସେ ନିଜ ଅଭିନୟର ଯାଦୁ ଦେଖାଇବାରେ ସଫଳ ହୋଇଥିଲେ । ‘ଚିଲିକା ତୀରେ’ ତାଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର ହୋଇଥିଲେ ମଧ୍ୟ, ‘ନାଗଫାସ’ ପ୍ରଥମେ ମୁକ୍ତିଲାଭ କରିଥିଲା । ନାଗଫାସର ଖଳନାୟକ ଚରିତ୍ର ଦେଖି ତାଙ୍କୁ ଅଧିକରୁ ଅଧିକ କାମ ମିଳିବାକୁ ଲାଗିଲା । ୧୯୮୩ ମସିହାର ‘କାବେରୀ’ ଚଳଚ୍ଚିତ୍ରରେ ତାଙ୍କୁ ସକାରାତ୍ମକ ଭୂମିକାରେ ଦେଖିବାକୁ ମିଳିଲା ।