ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ରଜନୀକାନ୍ତ ପୁଣି ଥରେ ଦର୍ଶକଙ୍କ ମନ ଜିତିଛନ୍ତି । ଦୁଇ ବର୍ଷ ପରେ ରଜନୀକାନ୍ତ ଫିଲ୍ମ ଜେଲର ସହ ଫେରି ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଧମାକା କରିଛନ୍ତି । ରଞ୍ଜନୀକାନ୍ତ ଏବଂ ତମନ୍ନା ଭାଟିଆ ଅଭିନୀତ ଚଳଚ୍ଚିତ୍ର ଜେଲର ବିଶ୍ବର 7000 ପରଦାରେ ରିଲିଜ ହୋଇଛି । ଓପନିଂ ଡେ'ରେ ଫିଲ୍ମ ଦର୍ଶକଙ୍କ ମନ ଜିତିବା ସହ ବମ୍ପର କଲେକ୍ସନ କରିଛି । ପ୍ରଥମ ଦିନରେ 50କୋଟିରୁ ଅଧିକ ରୋଜଗାର କରି ତାମିଲ ଇଣ୍ଡଷ୍ଟ୍ରି ପାଇଁ 2023ର ସର୍ବାଧିକ ଆୟ କରିଥିବା ଫିଲ୍ମ ହୋଇପାରିଛି । ଫିଲ୍ମର ଏହି ଆୟ ଦେଖି ଅଗଷ୍ଟ 15 ସୁଦ୍ଧା 100 କୋଟି ଟଙ୍କା ରୋଜଗାର କରିବ ବୋଲି କୁହାଯାଉଛି ।
ଭାରତୀୟ ବକ୍ସ ଅଫିସରେ ଓପନିଂ ଦିନରେ ଜେଲର ଆନୁମାନିକ 52 କୋଟି ସଂଗ୍ରହ କରିଛି । ଜେଲର ତାମିଲରେ 2023 ବର୍ଷର ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ହୋଇପାରିଛି । ସାକ୍ନିଲ୍କ ରିପୋର୍ଟ ଅନୁଯାୟୀ ଏହି ଚଳଚ୍ଚିତ୍ରଟି ଭାରତର ପ୍ରତ୍ୟେକ ଭାଷାରେ ପ୍ରଥମ ଦିନରେ 44.50 କୋଟି ବ୍ୟବସାୟ କରିଛି । ଏହାର ମୋଟ ସଂଗ୍ରହ 50 କୋଟିରୁ ଅଧିକ ହୋଇଛି । ପ୍ରାରମ୍ଭିକ ଆକଳନରୁ ଜଣାପଡିଛି ଯେ ଚଳଚ୍ଚିତ୍ରଟି ପ୍ରଥମ ଦିନରେ ତାମିଲନାଡୁରେ 23 କୋଟି, କର୍ଣ୍ଣାଟକରେ 11 କୋଟି, କେରଳରେ 5 କୋଟି, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ 10 କୋଟି ଟଙ୍କା ଏବଂ ଅନ୍ୟ ରାଜ୍ୟରୁ 3 କୋଟି ଟଙ୍କା ରୋଜଗାର କରି ସଫଳତା ହାସଲ କରିଛି । ଏହି ରେକର୍ଡ ଅନୁସାରେ ଫିଲ୍ମଟି କର୍ଣ୍ଣାଟକରେ ଅଲ୍ ଟାଇମ୍ ରେକର୍ଡ ଓପନିଂ ଫିଲ୍ମ ଭାବେ ପ୍ରମାଣିତ ହୋଇଛି ।