ଅହମ୍ମଦାବାଦ: ଓସ୍କାର 2023 (Oscars 2023)କୁ ନେଇ ଗତ କିଛି ଦିନ ହେବ ଅନେକ ଚର୍ଚ୍ଚା ହେଉଛି । 2022 ମସିହାରେ ଏପର୍ଯ୍ୟନ୍ତ ଅନେକ ସୁପରହିଟ୍ ଫିଲ୍ମ ଆସିସାରିଛି । ଚଳିତ ବର୍ଷ 2022ରେ, କେଉଁ ଚଳଚ୍ଚିତ୍ରଟି ବିଦେଶୀ ଭାଷାର କାଟାଗୋରୀରେ ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ଭାରତରୁ ଆନୁଷ୍ଠାନିକ ଭାବେ ଯିବ, ଏହାର ଖୁଲାସା ହୋଇସାରିଛି । ତେବେ ‘ଆର୍ଆର୍ଆର୍’ ନୁହେଁ କି ‘କାଶ୍ମୀର ଫାଇଲ୍ସ’ ନୁହେଁ, ଗୁଜରାଟୀ ଚଳଚ୍ଚିତ୍ର ଛେଲୋ ସୋ’ (Chhello Show) ଓସ୍କାର ୨୦୨୩ ରେ ଭାରତକୁ ପ୍ରତିନିଧିତ୍ବ କରିବ । ଫିଲ୍ମ ଫେଡେରେସନ ଅଫ୍ ଇଣ୍ଡିଆ ପକ୍ଷରୁ ଆନୁଷ୍ଠାନିକ ଭାବେ ଏହି ଘୋଷଣା କରାଯାଇଛି ।
ନିକଟରେ ଭାରତ ସରକାର ଘୋଷଣା କରିଛନ୍ତି ଯେ, ୯୫ତମ ଏକାଡେମୀ ଆୱାର୍ଡ ପାଇଁ ଭାରତରୁ 'Chhello Show' ପ୍ରତିନିଧିତ୍ବ କରିବ । ଇଂରାଜୀରେ ଏହି ଫିଲ୍ମର ଟାଇଟଲ୍ ରହିଛି ‘ଲାଷ୍ଟ୍ ଫିଲ୍ମ ସୋ’ । ଏହି ଚଳଚ୍ଚିତ୍ରକୁ ପି.ନଳୀନ ନିର୍ଦ୍ଦେଶନା ଦେଇଛନ୍ତି । ଅକ୍ଟୋବର ୧୪ରେ ଏହା ଦେଶବ୍ୟାପୀ ବିଭିନ୍ନ ଥିଏଟରରେ ରିଲିଜ୍ ହେବ ।
ଫିଲ୍ମରେ ଜଣେ ୯ ବର୍ଷର ବାଳକର ସିନେମା ପ୍ରତି ଥିବା ଗଭୀର ଆକର୍ଷଣ ସମ୍ପର୍କରେ ଚିତ୍ରଣ କରାଯାଇଛି । ଏଥିରେ ଭାବିନ ରାବ୍ରି, ଭାବେଶ ଶ୍ରୀମାଲୀ, ରିଚା ମୀଣା, ଦିପେନ ରାୱଲ ଏବଂ ପରେଶ ମେହେଟ୍ଟା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ର ପ୍ରଥମ ଥର 2021 ମସିହାରେ ଟ୍ରିବେକା ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇଥିଲା । ଯାହା ପରେ ଏହି ଚଳଚ୍ଚିତ୍ରଟି ଭିନ୍ନ ଭିନ୍ନ ପୁରସ୍କାର ସୋ’ରେ ପ୍ରଦର୍ଶିତ ହୋଇଛି, ଯେଉଁଠାରେ ଏହାକୁ ଉଚ୍ଚ ପ୍ରଶଂସା କରାଯାଇଥିଲା ।