ହାଇଦ୍ରାବାଦ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (Enforcement Directorate)ର ଅଧିକାରୀମାନେ ଜଣାଶୁଣା ନିର୍ଦ୍ଦେଶକ ପୁରୀ ଜଗନ୍ନାଥ ଏବଂ ନିର୍ମାତା ଚାର୍ମି କୌରଙ୍କୁ ପଚରାଉଚରା କରିଛନ୍ତି । ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ 'ଲାଇଗର୍' (Liger)ସହିତ ଜଡିତ ପୁଞ୍ଜି ବିନିଯୋଗ ସଂପର୍କରେ ଇଡି ଉଭୟଙ୍କୁ ଡକାଇଥିଲା । ଏକ ରିପୋର୍ଟ ଅନୁଯାୟୀ, ଇଡି ବୈଦେଶିକ ବିନିମୟ ପରିଚାଳନା ଆଇନ (Foreign Exchange Management Act) ଅର୍ଥାତ୍ FEMA ଅନୁଯାୟୀ ନୋଟିସ୍ ଦେଇଥିଲା ଏବଂ ଉଭୟଙ୍କୁ 12 ଘଣ୍ଟାରୁ ଅଧିକ ସମୟ ପଚରାଉଚରା କରିଥିଲା ।
ବିଜୟ ଦେବରାକୋଣ୍ଡା ଏବଂ ଅନନ୍ୟା ପାଣ୍ଡେ ଅଭିନୀତ 'ଲାଇଗର' ଏକ ବଡ ବଜେଟ୍ ଚଳଚ୍ଚିତ୍ର, ଯାହା ଆମେରିକାର ଲାସ୍ ଭେଗାସ୍ରେ ସୁଟିଂ କରାଯାଇଥିଲା । ତେବେ ଲାଇଗର ଟିମ୍ ଉପରେ ଯାଞ୍ଚ ସେତେବେଳେ ହୋଇଥିଲା, ଯେବେ ଜଣେ ରାଜନେତା, କଂଗ୍ରେସ ନେତା ବକ୍କା ଜଡସନ ଅଗଷ୍ଟରେ ଇଡିରେ ଅଭିଯୋଗ କରିଥିଲେ । ସେତେବେଳେ ଲାଇଗର ଟିମ୍ ଉପରେ ଏହି ତଦନ୍ତ ଆରମ୍ଭ ହୋଇଥିଲା, ଯେଉଁଥିରେ କୁହାଯାଇଥିଲା ଅନେକ ରାଜନେତା ଲାଇଗର ପାଇଁ ଟଙ୍କା ବିନିଯୋଗ କରିଥିଲେ । ସେ ଆହୁରି ମଧ୍ୟ ସୂଚାଇ ଦେଇଛନ୍ତି ଯେ, ଟଙ୍କା ଚଳାଇବା ଏବଂ କଳା ଟଙ୍କାକୁ ଧଳା ରଙ୍ଗରେ ପରିଣତ କରିବା ପାଇଁ ଅନେକ ଲୋକ ଏହି ଫିଲ୍ମରେ ବିନିଯୋଗ କରିଥିଲେ।
15 ଦିନ ପୂର୍ବରୁ ପଠାଯାଇଥିଲା ନୋଟିସ୍
ପ୍ରାୟ 15 ଦିନ ପୂର୍ବେ ଜଗନ୍ନାଥ ଏବଂ ଚାର୍ମିଙ୍କୁ ଇଡି ନୋଟିସ ଜାରି କରି ଗୁରୁବାର ଦିନ ହାଜର ହେବାକୁ କହିଥିଲେ । ଖବର ଅନୁଯାୟୀ, ଇଡି ଅଧିକାରୀମାନେ ଟଙ୍କା ଉପରେ ଉଭୟଙ୍କୁ ପଚରାଉଚରା କରିଥିଲେ । ଅଧିକାରୀମାନେ ଏହା ମଧ୍ୟ ସନ୍ଦେହ କରିଛନ୍ତି ଯେ, ଅନେକ ରାଜନେତା ଏବଂ କମ୍ପାନୀ ଲାଇଗର୍ ତିଆରି କରିବା ପାଇଁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିଥିଲେ ।