ହାଇଦ୍ରାବାଦ: ସୋନୁ ନିଗମଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ । ସେ ନିଜ କ୍ୟାରିୟରରେ 5 ହଜାରରୁ ଅଧିକ ଗୀତ ଗାଇ ଦର୍ଶକଙ୍କ ପ୍ରଶଂସା ସାଉଁଟିବା ସହ ସଫଳ ଗାୟକ ଭାବେ ବେଶ ପରିଚୟ ହାସଲ କରିଛନ୍ତି । ଯେତେବେଳେ ବି ସୋନୁ ମାଇକ୍ ଧରି ମଞ୍ଚ ଉପରେ ଠିଆ ହୁଅନ୍ତି, ସେତେବେଳେ ତାଙ୍କ ଗୀତ ଶୁଣିବାକୁ ଲୋକଙ୍କ ଭିଡ଼ ଜମିଯାଇଥାଏ । କିନ୍ତୁ ତାଙ୍କ ପାଇଁ ଏହି ଯାତ୍ରା ସହଜ ନଥିଲା । ଜଣେ ସଫଳ ଗାୟକ ହେବାକୁ ସେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଆଜି ସୋନୁ 50 ବର୍ଷରେ ପାଦ ଥାପିଛନ୍ତି । ଆଜି ବି ସାରା ଦୁନିଆ ତାଙ୍କ ଗୀତ ପାଇଁ ଦିୱାନା ରହିଛି । ତେବେ ତାଙ୍କ ଜନ୍ମଦିନ ଅବସରରେ ଜାଣନ୍ତୁ ତାଙ୍କ ତାଙ୍କ ଜୀବନ ଏବଂ ସଂଘର୍ଷକୁ ନେଇ କିଛି ରୋଚକ କଥା ।
ସୋନୁ ନିଗମ ପିଲାଦିନରୁ ଗୀତ ଗାଇବାକୁ ଆଗ୍ରହୀ ଥିଲେ । ସେ ତାଙ୍କ ସ୍କୁଲ ଦିନରୁ ତାଙ୍କର ଡ୍ରିମ ଥିଲା ଯେ ସେ ଜଣେ ଗାୟକ ହେବେ । ପ୍ରଥମେ ସେ ତାଙ୍କ ପିତାଙ୍କ ସହ ବିବାହରେ ଷ୍ଟେଜ୍ ଶୋ' କରୁଥିଲେ । ଏହା ପରେ ତାଙ୍କର ସଂଘର୍ଷ ଆରମ୍ଭ ହେଲା । ଗାୟକ ହେବାର ସ୍ବପ୍ନ ନେଇ ସେ ମାୟାନଗରୀ ଅର୍ଥାତ ମୁମ୍ବାଇ ଆସିଥିଲେ । ଏଠାକୁ ଆସିବା ପରେ ସେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଲୋକମାନେ ତାଙ୍କୁ କାମ ଦେଇ ନ ଥିଲେ। ଏପରିକି ତାଙ୍କୁ ଅଫିସରୁ ମଧ୍ୟ ବାହାର କରି ଦିଆଯାଇଥିଲା । ତାପରେ ତାଙ୍କର ଗୋଟିଏ ନିଷ୍ପତ୍ତି ତାଙ୍କ ପୁରା ଜୀବନକୁ ବଦଳାଇ ଦେଇଥିଲା । ସଫଳତା ପାଇବା ପରେ ସୋନୁ ଆଉ ପଛକୁ ଫେରି ଚାହିଁନଥିଲେ । ତେବେ ନିଜର କଠିନ ପରିଶ୍ରମ ଏବଂ ନିଷ୍ଠା ଯୋଗୁଁ ସେ ଆଜି ଜଣେ ସଫଳ ଗାୟକ ଭାବେ ପରିଚୟ ହାସଲ କରିଛନ୍ତି।
ସୋନୁ ଏକ ସାକ୍ଷାତକାରରେ କହିଥିଲେ ଯେ ତାଙ୍କ ପିତା ମଞ୍ଚରେ 'କ୍ୟା ହୁଆ ତେରା ବାଦା' ଗୀତ ଗାଉଥିଲେ। ସେହି ସମୟରେ ସୋନୁ କାନ୍ଦିବାକୁ ଲାଗିଥିଲେ ଏବଂ କହିଥିଲେ ଯେ ସେ ମଧ୍ୟ ଗୀତ ଗାଇବେ । ଏହା ପରେ ବାପା ସୋନୁ ନିଗମଙ୍କ ମା’ଙ୍କୁ ଆଖି ଦେଖାଇ ଚୁପ୍ ରହିବାକୁ କହିଥିଲେ । ସେହି ସମୟରେ କିଛି ଲୋକ ଗୀତ ଗାଇବାକୁ ଅନୁମତି ଦେବାକୁ କହିଥିଲେ । ତା’ପରେ ସୋନୁ ମଞ୍ଚକୁ ଯାଇ ତାଙ୍କ ପିତାଙ୍କ ସହ ଏକ ଗୀତ ଗାଇଲେ ଏବଂ ସମସ୍ତେ ଏହାକୁ ବହୁତ ପସନ୍ଦ କଲେ । ଏହା ପରେ ସେ ପ୍ରତ୍ୟେକ ଶୋ’ରେ ତାଙ୍କ ପିତାଙ୍କ ସହିତ ଗୀତ ଗାଇବା ଆରମ୍ଭ କରିଥିଲେ । ତାପରେ ମାତ୍ର 18 ବର୍ଷ ବୟସରେ ସେ ଗାୟକ ହେବା ପାଇଁ ସ୍ବପ୍ନ ନେଇ 1991ରେ ପିତାଙ୍କ ସହ ମୁମ୍ବାଇରେ ପହଞ୍ଚିଥିଲେ । ସେ ଏଠାରେ 4 ବର୍ଷ ଧରି ଅସୁବିଧାର ସମ୍ମୁଖୀନ ହୋଇଥିଲେ । କାମ ପାଇବା ପାଇଁ ସେ ତାଙ୍କ ପିତାଙ୍କ ସହ ସଙ୍ଗୀତ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ କାର୍ଯ୍ୟାଳୟ ବୁଲୁଥିଲେ । କିନ୍ତୁ ପିଅନ ମାନେ ତାଙ୍କୁ ଅଫିସ୍ ବାହାରୁ ହିଁ ଘଉଡାଇ ଦେଉଥିଲେ ।