ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ପ୍ରଶଂସକଙ୍କ ପାଇଁ ଦୁଃଖଦ ଖବର । ଅଭିନେତା ଆୟୁଷ୍ମାନଙ୍କ ପିତା ତଥା ଜଣାଶୁଣା ଜ୍ୟୋତିର୍ବିଦ୍ ପି ଖୁରାନାଙ୍କ ଦେହାନ୍ତ ହୋଇଛି । ଆଜି ସକାଳେ ଚଣ୍ଡିଗଡ଼ ସ୍ଥିତ ତାଙ୍କ ବାସଭବନରେ ସେ ମୃତ୍ୟୁବରଣ କରିଛନ୍ତି । ହୃଦଘାତରେ ପୀଡ଼ିତ ପରେ ଚିକିତ୍ସାଧୀନ ଅବସ୍ଥାରେ ପି ଖୁରାନାଙ୍କ ମୃତ୍ୟୁ ହୋଇଥିବା ନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି । ଆଜି ଅପରାହ୍ନ 5.30 ସମୟରେ ଚଣ୍ଡିଗଡ଼ର ମଣିମାଜରା ଶଶ୍ମାନରେ ତାଙ୍କର ଶେଷ ରୀତିନୀତି କରାଯିବ ।
ଆୟୁଷ୍ମାନ ଖୁରାନାଙ୍କ ବାପା ଦୁଇଦିନ ପୂର୍ବେ ହୃଦଘାତର ଶିକାର ହୋଇଥିଲେ । ପରେ ତାଙ୍କୁ ଚଣ୍ଡିଗଡ଼ର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅଭିନେତାଙ୍କ ପିତା ଦୁଇ ଦିନ କାଳ ହସ୍ପିଟାଲରେ ଭର୍ତ୍ତି ହୋଇ ଭେଣ୍ଟିଲେଟରରେ ରହିଥିଲେ । ତେବେ ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ସେ ମୃତ୍ୟୁବରଣ କରିଛନ୍ତି । ଅଭିନେତାଙ୍କ ପିତାଙ୍କ ବିୟୋଗ ଖବର ଶୁଣି ପରିବାରରେ ଶୋକର ଛାୟା ଖେଳିଯାଇଛି । ସମ୍ପର୍କୀୟ ତଥା ସେଲିବ୍ରିଟି ଏବଂ ଫ୍ୟାନ୍ସ ତାଙ୍କ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ପରିବାରକୁ ସମବେଦନା ଜଣାଇଛନ୍ତି ।
ସୂଚନା ଥାଉ କି, ଆୟୁଷ୍ମାନଙ୍କୁ ଆଜି ପଞ୍ଜାବ ବିଶ୍ୱବିଦ୍ୟାଳୟରେ ଉପରାଷ୍ଟ୍ରପତି ସମ୍ମାନିତ କରିଥାଆନ୍ତେ। ଏହାରି ମଧ୍ୟରେ ଏହି ଦୁଃଖଦ ଖବରରେ ସେ ଭାଙ୍ଗି ପଡିଛନ୍ତି । ପି ଖୁରାନା ତାଙ୍କ ବଡ ପୁଅ ଆୟୁଷ୍ମାନ ଖୁରାନାଙ୍କ ନିକଟତର ଥିଲେ ଏବଂ ତାଙ୍କୁ ବହୁତ ପ୍ରଶଂସା କରୁଥିଲେ । ନିକଟରେ ପି ଖୁରାନାଙ୍କ ଜନ୍ମ ଦିନ ଅବସରରେ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି ଶୁଭେଚ୍ଛା ଜଣାଇଥିଲେ ଆୟୁଷ୍ମାନ ଖୁରାନା । ପି ଖୁରାନା ଜଣେ ଜଣାଶୁଣା ଜ୍ୟୋତିର୍ବିଦ୍ ଥିଲେ । ତେବେ ଆଜି ସେ ତାଙ୍କ ପତ୍ନୀ, ଦୁଇ ପୁଅ ଓ ବୋହୂ ଏବଂ ନାତି ନାତୁଣୀଙ୍କୁ ଛାଡି ଆରପାରିକୁ ଚାଲିଯାଇଛନ୍ତି ।
ପି ଖୁରାନାଙ୍କ ଦୁଇ ପୁଅ ଆୟୁଷ୍ମାନ ଖୁରାନା ଓ ଅପାରଶକ୍ତି ଖୁରାନା ବଲିଉଡ ଜଗତରେ ନିଜ ଛାପ ଛାଡ଼ିଛନ୍ତି । ଖୋଦ ପି ଖୁରାନା ମଧ୍ୟ ଟିଭିର ଅନେକ ଜ୍ୟୋତିର୍ବିଦ୍ ଶୋ' ଲୋକଙ୍କୁ ଭାଗ୍ୟ ଭବିଷ୍ୟତର କଥା କହୁଥିଲେ । ଉଭୟ ଆୟୁଷ୍ମାନ ଓ ଅପାରଶକ୍ତି ବିଭିନ୍ନ ସମୟରେ ନିଜ ବାପାଙ୍କ ବିଷୟରେ ଆଲୋଚନା କରୁଥିଲେ । ଏପରିକି ଆୟୁଷ୍ମାନ ତାଙ୍କ କ୍ୟାରିଅରର ଶ୍ରେୟ ତାଙ୍କ ପିତାଙ୍କୁ ଦେଇ ଆସିଛନ୍ତି। ଏକ ସାକ୍ଷାତକାରରେ ଅଭିନେତା କହିଥିଲେ ଯେ ସେ ଚଣ୍ଡିଗଡ଼ରେ ରହିବାକୁ ଚାହୁଁଥିଲେ, କିନ୍ତୁ ତାଙ୍କ ପିତା ତାଙ୍କୁ ମୁମ୍ବାଇ ଯିବାକୁ କହିଥିଲେ । ଏହା ମଧ୍ୟ କୁହାଯାଏ ଯେ ତାଙ୍କ ପିତା ଥରେ ମୁମ୍ବାଇ ଯାଇ କହିଥିଲେ ଯେ ତାଙ୍କ ପୁଅ ଦିନେ ବଡ ଷ୍ଟାର ହେବେ ।