ହାଇଦ୍ରାବାଦ:ବିବାଦୀୟ ଚଳଚ୍ଚିତ୍ର ଆଦିପୁରୁଷ ଦିନକୁ ଦିନ ବକ୍ସ ଅଫିସରେ ଫ୍ଲପ ହେବାରେ ଲାଗିଛି । ବିବାଦ ଭିତରେ ତିଷ୍ଠି ପାରୁନାହିଁ ଆଦିପୁରୁଷ । ଏହାସହ ଚଳଚ୍ଚିତ୍ରର ରୋଜଗାର ପ୍ରତିଦିନ ଦ୍ରୁତ ଗତିରେ ହ୍ରାସ ପାଉଛି । 16 ଜୁନରେ ମୁକ୍ତିଲାଭ କରିଥିବା ଆଦିପୁରୁଷ ଫିଲ୍ମ ଆଜି 9ମ ଦିନରେ ପହଞ୍ଚିଛି । ଫିଲ୍ମ ରିଲିଜର ଅଷ୍ଟମ ଦିନରେ ମଧ୍ୟ ବକ୍ସ ଅଫିସରେ ଆଶ୍ଚର୍ଯ୍ୟଜନକ କିଛି କରି ନଥିଲା ଏବଂ ଫିଲ୍ମର ରୋଜଗାର ହାତ ଗଣତି ହୋଇଛି ।
ଆଦିପୁରୁଷର ବିଶ୍ବବ୍ୟାପୀ ବକ୍ସ ଅଫିସ୍ ସଂଗ୍ରହ ହ୍ରାସ ପାଉଛି । 600 କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଫିଲ୍ମ ଏହାର ମୂଲ୍ୟ ବାହାର କରିବାରେ ପଛରେ ପଡିଛି । ବାହୁବଳୀ ତାରକା ପ୍ରଭାସ ଏବଂ ବଲିଉଡର ବିଉଟି କ୍ରିତି ସାନନଙ୍କ ଯାଦୁ ମଧ୍ୟ ଓମ ରାଉତଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ରରେ ପ୍ରଶଂସକଙ୍କ ଉପରେ କାମ କରୁନାହିଁ । ଅନେକ ହଲରେ ବହୁତ କମ ପରିମାଣରେ ଟିକେଟ୍ ବିକ୍ରି ହେଇଥିବାରୁ ଶୋକୁ ମଧ୍ୟ କ୍ୟାନ୍ସଲ କରାଯାଇଥିବା ସୂଚନା ମିଳିଛି ।
ବକ୍ସ ଅଫିସରେ ଅଷ୍ଟମ ଦିନର ରୋଜଗାର ବହୁତ କମ ରହିଥିଲା । ଏହି ରୋଜଗାର ହିଁ ଦର୍ଶାଉଛି ଯେ, ଲୋକମାନେ ଏହି ଫିଲ୍ମ ଦେଖିବା ପାଇଁ ଆଗ୍ରହୀ ନୁହନ୍ତି । ପ୍ରେକ୍ଷାଳୟରେ ଫିଲ୍ମର ଅଷ୍ଟମ ଦିନର ଆନୁମାନିକ ଆୟ 3.25 କୋଟି ଟଙ୍କା ରହିଥିବା ବେଳେ ଭାରତୀୟ ବକ୍ସ ଅଫିସ୍ ସଂଗ୍ରହ 264.80 କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଏଥି ସହିତ, ବିଶ୍ବବ୍ୟାପୀ ଚଳଚ୍ଚିତ୍ର ଅଷ୍ଟମ ଦିନରେ ପ୍ରାୟ 5 କୋଟି ଏବଂ ମୋଟ 410 କୋଟିରୁ ଅଧିକ ସଂଗ୍ରହ କରିଛି ।