ମୁମ୍ବାଇ:'ଦ କେରଳ ଷ୍ଟୋରୀ' ପରେ ବଡ ପରଦାରେ ପୁଣି ଆତଙ୍କବାଦୀଙ୍କ ପର୍ଦ୍ଦାଫାସ କରିବାକୁ ଯାଉଛି ଆଉ ଏକ ଫିଲ୍ମ '72 ହୁରେନ୍' । ସଂଜୟ ପୁରାଣ ସିଂ ଚୌହାନଙ୍କ ନିର୍ଦ୍ଦେଶିତ ଫିଲ୍ମ '72 ହୁରେନ୍'ର ଆଜି ଟିଜର ରିଲିଜ ହୋଇଛି । ନିର୍ମାତାମାନେ ଟିଜର ରିଲିଜ କରି ଫିଲ୍ମର ରିଲିଜ ତାରିଖ ଘୋଷଣା କରିଛନ୍ତି । ଏହି ଫିଲ୍ମ ଜୁଲାଇ 7 ରେ ସିନେମାହଲରେ ରିଲିଜ କରିବ । ଆତଙ୍କବାଦ ଉପରେ ଆଧାରିତ ଅଦା ଶର୍ମାଙ୍କ ଅଭିନୀତ ଚଳଚ୍ଚିତ୍ର 'ଦ କେରଳ ଷ୍ଟୋରୀ' ପରେ ଏହା ହେଉଛି ଦ୍ୱିତୀୟ ଚଳଚ୍ଚିତ୍ର । ଯାହାକି ଅନ୍ୟ ଧର୍ମ, ଏହାର ମାନସିକତା କିମ୍ବା କିଛି ଗୋଷ୍ଠୀକୁ ଟାର୍ଗେଟ କରି ନିର୍ମିତ ହୋଇଛି ।
ନିର୍ମାତା ସଂଜୟ ପୁରାଣ ସିଂ ନିଜ ଇନଷ୍ଟାଗ୍ରାମରେ ତାଙ୍କ ଆଗାମୀ ଫିଲ୍ମର ପ୍ରଥମ ଲୁକ୍ ଏବଂ ଟିଜର ସେୟାର କରିଛନ୍ତି । ଯେଉଁଥିରେ କ୍ୟାପସନରେ ଲେଖା ଅଛି, '72 କୁମାରୀ ଝିଅମାନଙ୍କ ମାୟାଜାଲରେ ପଡି ବିନାଶର ପଥରେ ଯାଉଛନ୍ତି । ପରେ ଏକ ଭୟାନକ ସ୍ଥିତିର ସମ୍ମୁଖୀନ ହୁଅନ୍ତି। ' 51 ସେକେଣ୍ଡର ଟିଜରରେ ଓସାମା ବିନ୍ ଲାଡେନ, ଅଜମଲ କସାବ, ୟାକୁବ ମେନନ, ମାସୁଦ ଅଜହର, ହାଫିଜ ସଇଦ ଏବଂ ସାଦିକ ସଇଦଙ୍କ ପରି ଆତଙ୍କବାଦୀ ତଥା ଉଗ୍ରବାଦୀ ନେତାଙ୍କ ବିଷୟରେ ଉଲ୍ଲେଖ କରାଯାଇଛି । ଟିଜରରୁ ଏହା ମଧ୍ୟ ଅନୁମାନ କରାଯାଇପାରେ ଯେ ସାରା ବିଶ୍ୱରେ ଆତଙ୍କବାଦ ବିସ୍ତାର କରୁଥିବା ଆତଙ୍କବାଦୀଙ୍କୁ ଟାର୍ଗେଟ କରି ଏହି ଚଳଚ୍ଚିତ୍ର ପ୍ରସ୍ତୁତ କରାଯାଇଛି ।