ଭଦ୍ରକ: ଜିଲ୍ଲାରେ ମତଦାନ ବେଳେ ଅଘଟଣ । ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ଜଣେ ପୋଲିଂ କର୍ମଚାରୀଙ୍କୁ ସାପ କାମୁଡିଥିବା ସୂଚନା ମିଳିଛି ।
ଭିଡିଓ ସୌଜନ୍ଯ:ସମ୍ବାଦଦାତା, ଭଦ୍ରକ ସୂଚନା ଅନୁଯାୟୀ, ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭାଟପଡ଼ା ସ୍ଥିତ 161 ନମ୍ବର ବୁଥରେ ଚତୁର୍ଥ ପୋଲିଂ କର୍ମଚାରୀ ଭାବେ ନିୟୋଜିତ ଥିଲେ ଧାମନଗର ଥାନା ବନ୍ଧଟିଆ ଗ୍ରାମର ପ୍ରଭୁରଞ୍ଜନ ଉପାଧ୍ୟାୟ । ବୁଥ ପରିସରରେ ଥିବାବେଳେ କୌଣସି ବିଷଧର ସାପ ତାଙ୍କ ଗୋଡ଼କୁ କାମୁଡି ଦେଇଥିଲା ।
ପ୍ରଥମେ ତାଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ପରେ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ତେବେ ଖବର ପାଇ ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର ମେଡିକାଲରେ ପହଞ୍ଚି ଗୁରୁତର କର୍ମଚାରୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ।
ଭଦ୍ରକରୁ ଦେବାଶିଷ୍ ମହାପାତ୍ର, ଇଟିଭି ଭାରତ