ବଲାଙ୍ଗୀର: ଦିନକୁ ଦିନ ତାସ ପତା ପରି ଭୁଷୁଡିବାରେ ଲାଗୁଛି କଂଗ୍ରେସ ଘର । ଯେତେ ସଜାଡିଲେ ବି ସଜାଡି ହେଉନି ଘର । ନିର୍ବାଚନ ଯେତିକି ପାଖଉଛି ଗୋଷ୍ଠୀ କନ୍ଦଳ ସାଙ୍ଗକୁ ନେତାଙ୍କ ଦଳରୁ ଇସ୍ତଫା ସେତିକି ବଢୁଛି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସର ବହୁ ଛାମୁଆ ତଥା ପୁରୁଖା ନେତା ଦଳରୁ ଇସ୍ତଫା ଦେବାରେ ଲାଗିଛନ୍ତି । ଏବେ କଂଗ୍ରେସ ଦଳକୁ ପୁଣି ଏକ ଝଟକା ଲାଗିଛି । ବଲାଙ୍ଗୀର ଏସସି୍ /ଏସ୍ଟି ସେଲର କର୍ମକର୍ତ୍ତା କଂଗ୍ରେସରୁ ସମୂହ ଇସ୍ତଫା ଦେଇଛନ୍ତି । କଂଗ୍ରେସ ଏସ୍ସି/ଏସ୍ଟି ସେଲର ସଭାପତି ତ୍ରିଲୋଚନ ନନ୍ଦଙ୍କ ସମେତ ଅନେକ ଛାମୁଆ ନେତା ଟିକେଟ ବଣ୍ଟନରେ ସେମାନଙ୍କ ପ୍ରତି ଅବିଚାର କରାଯାଇଥିବା କାରଣ ଦର୍ଶାଇ ଇସ୍ତଫା ଦେଇଛନ୍ତି ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର
ସୂଚନା ଅନୁସାରେ ତ୍ରିଲୋଚନ ନନ୍ଦଙ୍କ ସମେତ ଏସ୍ସି /ଏସ୍ଟି ସେଲର ଯୁଗଲାଲ ନନ୍ଦ, ଶଙ୍କର ନନ୍ଦ, ନରହରି ନନ୍ଦ, ଶୈଳେନ୍ଦ୍ର ବାଘ, ଆନନ୍ଦ ବାରିକ, ବୃନ୍ଦାବନ ତାଣ୍ଡି ଓ ଇନ୍ଦ୍ରବତି ବାରିକ ପ୍ରମୁଖ କଂଗ୍ରେସ ବିଧିବଦ୍ଧ ଭାବରେ ଇସ୍ତଫା ଦେଇଛନ୍ତି ।
କଂଗ୍ରେସ ଆଦିବାସୀ ଓ ଦଳିତ ନିଷ୍ପେସିତଙ୍କ ସାମଗ୍ରିକ ବିକାଶ ପାଇଁ ପ୍ରତିଶୃତି ବଦ୍ଧ ରହିଥିଲା । ମାତ୍ର ଏବେ ଟିକେଟ ବଣ୍ଟନ ସମୟରେ ଅନୁସୂଚିତ ଜାତି ପାଇଁ ସଂରକ୍ଷଣ ଆସନରେ ସେମାନଙ୍କୁ ସୁଯୋଗ ନଦେବା ଇସ୍ତଫା ପଛର ମୁଖ୍ୟ କାରଣ ବୋଲି ଦର୍ଶାଇଛନ୍ତି ତ୍ରିଲୋଚନ ନନ୍ଦ । ଏଥିରେ ଲୋଇସିଂହା ନିର୍ବାଚନ ମଣ୍ଡଳୀର ୨୦ ପ୍ରତିଶତ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତି ଥିବାବେଳେ ଏଠି ସେମାନଙ୍କୁ ସୁଯୋଗ ମିଳି ନଥିବାରୁ ଏହାକୁ ବିରୋଧ କରିଛନ୍ତି ଏସ୍ସି /ଏସ୍ଟି ସେଲର କର୍ମକର୍ତ୍ତା । ସମସ୍ତେ ନିଜର ଇସ୍ତଫା ପତ୍ର ଦଳ ହାଇକମାଣ୍ଡ ପାଖକୁ ତଥା ରାଜ୍ୟ ସଭାପତିଙ୍କୁ ପଠାଇଥିବାର କହିଛନ୍ତି । ଏହାସହ କୌଣସି ଦଳକୁ ସହଯୋଗ ନକରିବା ପାଇଁ କହିଛନ୍ତି କଂଗ୍ରେସ ଏସ୍ସି /ଏସ୍ଟି ସେଲର ସଭାପତି ତ୍ରିଲୋଚନ ନନ୍ଦ ।
ଏଠାରେ ସୂଚନାଯୋଗ୍ୟ ଯେ ଦୁଇଦିନ ତଳେ ଟିକେଟ ବଣ୍ଟନ ନେଇ ଅସନ୍ତୋଷ କାରଣ ଦର୍ଶାଇ ଦଳ ଛାଡ଼ିଥିଲେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା। ଏହାସହ କଂଗ୍ରେସ ଛାଡିଲା ପରେ ସେ ବିଜେଡିରେ ଯୋଗ ଦେଇଛନ୍ତି ।
ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ