ଭୁବନେଶ୍ବର: ସରିଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ ମତଦାନ । ଏବେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ମତଦାନ ପାଇଁ ଚାଲିଛି ଜୋରଦାର ପ୍ରଚାର । ଏପଟେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ମତଦାନରେ କେଉଁ ଦଳ କେତେ ଲୋକସଭା ଓ ବିଧାନସଭା ସିଟ୍ ହାତେଇବେ ସେନେଇ ଚାଲିଛି ଅଙ୍କକଷା ।
ଏନେଇ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି ଯେ, ରାଜ୍ୟରେ ବର୍ତ୍ତମାନ ତିନୋଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଆଉ ମାତ୍ର ଗୋଟିଏ ପର୍ଯ୍ୟାୟ ବାକି ରହିଛି । ତେବେ ଏହି ପର୍ଯ୍ୟାୟରେ ଭାରତୀୟ ଜନତା ପାର୍ଟି ଅପ୍ରତ୍ୟାଶିତ ଫଳ କରିବ । ବିଜେପି ୧୨୦ ମିଶନ ଆଡକୁ ଅଗ୍ରସର ହେଉଛି । ତେଣୁ ୪ର୍ଥ ପର୍ଯ୍ୟାୟ ମତଦାନ ସରିବା ପରେ ଆମ ଦଳ ଅଧିକ ସିଟରେ ଜିତିବ ବୋଲି ସମୀର ମହାନ୍ତି କହିଛନ୍ତି ।
ସେହିପରି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ, ତୃତୀୟ ପର୍ଯ୍ୟାୟ ନିର୍ବାଚନ ପରେ ଯାହା ବୁଥରୁ ଖବର ଆସୁଛି ସମଗ୍ର ରାଜ୍ୟରେ ବିଜୁ ଜନତା ଦଳ ପଞ୍ଚମ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି । ଏଥିସହ ୨୦୧୪ ନିର୍ବାଚନ ଅପେକ୍ଷା ଏଥର ଅଧିକ ସିଟରେ ଦଳ ଜିତିବ ବୋଲି ସେ ଦାବି କରିଛନ୍ତି ।