କୋରାପୁଟ: ଦିନେ ହାତରେ ବନ୍ଧୁକ ଧରି ଯିଏ ଗଣତାନ୍ତ୍ରିକ ବ୍ୟବସ୍ଥା ବିରୋଧ ରେ ସ୍ବର ଉତ୍ତୋଳନ କରି ହିଂସାତ୍ମକ ପଥ ଅବଲମ୍ବନ କରିଥିଲା, ଆଜି ସେଇ ବ୍ୟକ୍ତି ମୁଖ୍ୟ ସ୍ରୋତ ରେ ସାମିଲ ହୋଇ ବ୍ୟବସ୍ଥା କୁ ସୁଧାରିବା ପାଇଁ ଲୋକ ପ୍ରତିନିଧି ଭାବେ ନିର୍ବାଚନ ଲଢ଼ୁଛି । ଆମେ କହୁଛୁ ନାରାୟଣପାଟଣା ଅଞ୍ଚଳର ରାଜେନ୍ଦ୍ର କେନଡୃକା ଯିଏକି 2013 ମସିହାରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ।
ଚଳିତ ନିର୍ବାଚନରେ କୋରାପୁଟ ଲୋକସଭା ଆସନ ପାଇଁ ସେ ଜଣେ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି। କୋରାପୁଟ ଲୋକସଭା ଆସନ ପାଇଁ ବିଜେଡି, ବିଜେପି, କଂଗ୍ରେସ ବ୍ୟତିତ ସିପିଆଇ (ଏମଏଲ)ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ରାଜେନ୍ଦ୍ର କେନଡୃକା ,ଯାହାଙ୍କୁ ନେଇ ଏବେ ଚଲିଛି ଆଲୋଚନା।
କୋରାପୁଟରେ ଦେଖାଦେଇଥିବା ଚାଷୀ ମୂଲିଆ ଆଦିବାସୀ ସଂଘର ଆନ୍ଦୋଳନର ନେତୃତ୍ବ ନେଉଥିବା ଜଣେ ଆଗଧାଡ଼ିର ନେତା ଥିଲେ ରାଜେନ୍ଦ୍ର କେନଡୃକା। ପରେ ତାଙ୍କୁ ମାଓବାଦୀ ବୋଲି କୋରାପୁଟ ପୋଲିସ ଗିରଫ କରିବା ପରେ ସେ 2013 ମସିହାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। ପରେ ସେ ଜାମିନରେ ଆସି ସିପିଆଇ (ଏମଏଲ) ଦଳ ପାଇଁ କାର୍ଯ୍ୟ କରିଚାଲିଲେ।