ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗୁରୁବାର କେରଳ ୱାୟନାଡ ସିଟ୍ରୁ ନାମାଙ୍କନ ଦାଖଲ କରିଛନ୍ତି । ପ୍ରାର୍ଥୀ ପତ୍ରରେ ରାହୁଲ ନିଜ ନାମରେ ଥିବା ସମସ୍ତ ସ୍ଥାବର-ଆସ୍ଥାବର ସମ୍ପତ୍ତି, ବ୍ୟାଙ୍କ ଋଣ ଓ ସମସ୍ତ ଆର୍ଥିକ ବିବରଣୀ ଉଲ୍ଲେଖ କରିଛନ୍ତି । ସେଥିରେ ରାହୁଲ ନିଜ ନାମରେ 15.88କୋଟି ଟଙ୍କାର ସମ୍ପତ୍ତି ରହିଥିବା ଜଣାଇଛନ୍ତି । ବର୍ଷ2014 ନିର୍ବାଚନ ସମୟରେ ରାହୁଲ ନିଜର ମୋଟ ସମ୍ପତ୍ତି 9.4 କୋଟି ଟଙ୍କା ଥିଲା ବୋଲି ସେ ଘୋଷଣା କରିଥିଲେ । ଏହାସହ ସେ ତାଙ୍କ ମା' ସୋନିଆ ଗାନ୍ଧୀଙ୍କ ଠାରୁ 5 ଲକ୍ଷ ଟଙ୍କାର କରଜ କରିଥିବା ସୂଚନା ଦେଇଛନ୍ତି ।
ଘୋଷଣା ପତ୍ର ଅନୁଯାୟୀ ରାହୁଲ ଗାନ୍ଧୀଙ୍କ ନିକଟରେ ସ୍ଥାବର ସଂପତ୍ତି 5,80,58,799 ଟଙ୍କା ଓ ଅସ୍ଥାବର ସଂପତ୍ତି 10,08,୧୮ ,284 ଟଙ୍କା ରହିଛି । ଏସବୁ ମିଶାଇ ତାଙ୍କର ମୋଟ ସଂପତ୍ତି ୧୫ କୋଟି ୮୮ ଲକ୍ଷ ୭୭ ହଜାର ୮୩ ଟଙ୍କା ଥିବା ସେ ପ୍ରାର୍ଥପତ୍ରରେ ଦର୍ଶାଇଛନ୍ତି ।
ରାହୁଲଙ୍କ ନିକଟରେ 40 ହଜାର ଟଙ୍କା ନଗଦ ଅଛି । ଏଥି ସହ ବିଭିନ୍ନ ବ୍ୟାଙ୍କରେ 17.90 ଲକ୍ଷ ଟଙ୍କା ଜମା ରହିଛି । ୟଙ୍ଗ ଇଣ୍ଡିଆରେ 1900 ସେୟାର ରହିଛି ଯାହାର ମୂଲ୍ୟ 5.19କୋଟି ଟଙ୍କା ବୋଲି ସେ ଉଲ୍ଲେଖ କରିଛନ୍ତି । ଏହାସହ ପିଏଫ୍ରେ 39.89 ଲକ୍ଷ ଟଙ୍କା ଜମା ରହିଛି। କଂଗ୍ରେସ ଅଧ୍ୟକ୍ଷଙ୍କ ପାଖରେ ତାଙ୍କ 333.3 ଗ୍ରାମ ସୁନା ଅଛି । ମ୍ୟୁଚୁଆଲ ଫଣ୍ଡରେ 5କୋଟି 19ଲକ୍ଷ 44 ହଜାର ରହିଥିବା ସେ ଘୋଷଣା କରିଛନ୍ତି । ଏ ସମସ୍ତ ଅର୍ଥ ରାଶିକୁ ମିଶାଇ ତାଙ୍କ ପାଖରେ 5କୋଟି 80ଲକ୍ଷ 58 ହଜାର 779 ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି ।