ଓଡିଶା

odisha

ETV Bharat / elections

ମୋଦି ମତେ ଡରୁଛନ୍ତି: ମମତା ବାନାର୍ଜୀ

ଗତ 6ଟି ପର୍ଯ୍ୟାୟରେ ହୋଇଥିବା ମତଦାନ ପରେ ପଶ୍ଚିମବଙ୍ଗରେ ବ୍ୟାପକ ହିଂସା ବୃଦ୍ଧି ପାଇବା ପରେ ନିର୍ବାଚନ ଆୟୋଗ ନିଜ କ୍ଷମତା ପ୍ରୟୋଗ କରିଛନ୍ତି । ବର୍ତ୍ତମାନ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଶାନ୍ତିଶୃଙ୍ଖଳା ରକ୍ଷା କରିବା ବଡ ଚ୍ୟାଲେଞ୍ଜ ହୋଇପଡିଛି ସୁରକ୍ଷାକର୍ମୀଙ୍କ ପାଇଁ ।

By

Published : May 16, 2019, 10:43 AM IST

Updated : May 16, 2019, 12:00 PM IST

ଡିଜାଇନ ଫଟୋ

କୋଲକାତା: ସାଧାରଣ ନିର୍ବାଚନ ଶେଷ ପର୍ଯ୍ୟାୟ ମତଦାନ ପୂର୍ବରୁ ପଶ୍ଚିମବଙ୍ଗ ରାଜନୀତିକୁ ନେଇ ସାରାଦେଶରେ ରାଜନୀତି ସରଗରମ ହୋଇପଡିଛି । ନିର୍ବାଚନ ପାଇଁ ରାଜ୍ୟରେ କିଛିଦିନ ହେବ ହିଂସା ବଢିଚାଲିଥିବା ବେଳେ ଗତ 14 ତାରିଖ ଦିନ ହୋଇଥିବା ହିଂସାକୁ ନେଇ ବିଜେପିଓ ଟିଏମସି ମଧ୍ୟରେ ବିବଦ ଉଗ୍ର ରୂପ ଧାରଣ କରିଥିଲା । ଗତ 14 ତାରିଖ ଦିନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ରୋଡଶୋ କରୁଥିବା ବେଳେ ଟିଏମସି ଓ ବିଜେପି ମଧ୍ୟରେ ବ୍ୟାପକ ହିଂସା ହୋଇଥିଲା । ଏହାକୁ ନେଇ ବିଜେପି ରାଜରାସ୍ତାକୁ ଓହ୍ଲାଇବା ସହ ଟିଏମସି ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା ।


ଟିଏମସିର ବରିଷ୍ଠ ନେତା ମାନେ ମଧ୍ୟ ନିର୍ବାଚନ କମିଶନଙ୍କୁ ଭେଟି ବିଜେପି ଉପରେ ପାଲଟା ଅଭିଯୋଗ ଆଣିଥିଲେ । ରାଜ୍ୟର ଆଇନ ଶୃଙ୍ଖଳା ନିୟନ୍ତ୍ରଣ ବାହାରକୁ ଚାଲିଯାଉଥିବା ଦେଖି ନିର୍ବାଚନ କମିଶନ ଗତକାଲି ନିଜ କ୍ଷମତା ପ୍ରୟୋଗ କରି ନିର୍ବାଚନ ଇତିହାସରେ ଦେଶରେ ପ୍ରଥମ ଥର ପାଇଁ ଧାରା 324 ପ୍ରୟୋଗ କରିଛନ୍ତି । ଏହାସହ ରାଜ୍ୟ ସରକାରଙ୍କ ଅଧିନରେ କାମ କରୁଥିବା 2ଜଣ ଆଇଏଏସ ଅଧିକାରୀଙ୍କ ସମେତ ଆଇପିଏସ ଅଫିସରଙ୍କୁ ମଧ୍ୟ ବଦଳି କରିଛନ୍ତି । ଏହାସହ କିଛି ଅଫିସରଙ୍କୁ ନିର୍ବାଚନ ପ୍ରକ୍ରିୟାରୁ କମିଶନ ଦୂରେଇ ରଖିଛନ୍ତି । ଏଥିସହ ପ୍ରଚାର ଶେଷର ଗୋଟିଏ ଦିନ ପୂର୍ବରୁ କମିଶନ ପ୍ରଚାର ବନ୍ଦ ପାଇଁ ନିର୍ଦେଶ ଦେଇଛନ୍ତି । ଯାହାକୁ ନେଇ ମମତା ବାନାର୍ଜୀ ଏବେ ନିର୍ବାଚନ କମିଶନଙ୍କ ଉପରେ ଖପ୍ପା । ମମତା କହିଛନ୍ତି ଏହା ନିର୍ବାଚନ କମିଶନଙ୍କ ନିଷ୍ପତି ନୁହେଁ ମୋଦିଙ୍କ ନିର୍ଦେଶରେ ହିଁ ଏଭଳି ପଦକ୍ଷେପ ନେଇଛନ୍ତି କମିଶନ ।


ଅମିତ କୋଲକୋତା ଆସି ଦଙ୍ଗା କରାଇଲେ ଗୁଣ୍ଡାଗର୍ଦି କଲେ ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ ମୋତେ ଆଉ ପଶ୍ଚିମବଙ୍ଗକୁ ଡରନ୍ତି, ପ୍ରଚାର ବନ୍ଦ କରିବା ଏହା ମୋଦିଙ୍କ ଷଡଯନ୍ତ୍ର ପରାଜୟ ଭୟରେ ବିଜେପି ଏଭଳି କରୁଛି । ଗତ 14ରେ ଯାହା ହିଂସାକାଣ୍ଡ ଘଟିଛି ସେଥିପାଇଁ ଅମିତ ଶାହା ଦାୟୀ । ଅମିତ ଶାହା ହିଁ ହିଂସା ପାଇଁ ନିର୍ଦେଶ ଦେଇଛନ୍ତି ବିଜେପିର କର୍ମୀ ମାନେ ଇଶ୍ବର ଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତୀ ଭାଙ୍ଗିଛନ୍ତି ବୋଲି ମମତା ଅଭିଯୋଗ କରିଛନ୍ତି ।


ମମତା ଆହୁରି ମଧ୍ୟ କହିଛନ୍ତି ମୋଦି ଗଣମାଧ୍ୟମରେ ନିର୍ବାଚନ କମିଶନଙ୍କୁ ଧମକାଇଛନ୍ତି ଯେଉଁଥିପାଇଁ ନିର୍ବାଚନ କମିଶନ ପ୍ରଚାର ବନ୍ଦ କଲେ କି ? ସେ ଅଭିଯୋଗ କରିଛନ୍ତି ବାରମ୍ବାର ପଶ୍ଚିମବଙ୍ଗକୁ ଟାର୍ଗେଟ କରାଯାଉଛି କାହିଁକି ନା ମୁଁ ମୋଦିଙ୍କ ବିରୋଧରେ କହୁଛି ବୋଲି ଏଭଳି କରାଯାଉଛି । ମମତା ଆହୁରି ଅଭିଯୋଗ କରିଛନ୍ତି ରାଜ୍ୟ ବାହାରୁ ଗୁଣ୍ଡା ଆସିଥିଲେ ସେମାନେ ଧାର୍ମିକ ବସ୍ତ୍ର ପିନ୍ଧି ହିଂସା ରଚିଥିଲେ ଏହି ହିଂସା ବାବରୀ ମସଜିଦ ଭାଙ୍ଗିବା ସମୟର ଭଳି ଥିଲା । ଇଶ୍ବର ଚନ୍ଦ୍ର ବିଦ୍ଯା ସାଗରଙ୍କ ମୂର୍ତ୍ତୀ ଭାଙ୍ଗିବା ଘଟଣାକୁ ପଶ୍ଚିମବଙ୍ଗ ଜନତା ଗମ୍ଭୀରତାର ସହ ନେଇଛନ୍ତି ତେଣୁ ଏହି ଘଟଣାରେ ଲିପ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି କହିଛନ୍ତି ମମତା ।


ସୂଚନା ଥାଉକି ଆସନ୍ତା ରବିବାର ପଶ୍ଚିମବଙ୍ଗର ଅବଶିଷ୍ଟ 9 ଗୋଟି ଲୋକସଭା ଆସନରେ ଭୋଟ ଗ୍ରହଣ କରାଯିବ ।

Last Updated : May 16, 2019, 12:00 PM IST

For All Latest Updates

ABOUT THE AUTHOR

...view details