ଥିରୁଅନନ୍ତପୁରମ୍: ଶିଶୁ ଦିବସରେ ଶିଶୁଙ୍କୁ ହତ୍ୟା । ପାରିବାରିକ ଝଗଡାକୁ ନେଇ ନିଜ ୨ ଶିଶୁଙ୍କ ହତ୍ୟା କରିବା ପରେ ନିଜ ହାତ ଶୀରା କାଟି ଆତ୍ମହତ୍ୟା ଉଦ୍ୟମ କଲେ ମହିଳା । ଏଭଳି ଅଭାବନୀୟ ଘଟଣା ଘଟିଛି କେରଳର ପାଲକ୍କଡ ଜିଲ୍ଲାରେ । ମୃତ ୨ ଶିଶୁ ଅନିରୁଦ୍ଧ ଓ ଅଭିନବ । ଅନିରୁଦ୍ଧଙ୍କ ବୟସ ୪ବର୍ଷ ହୋଇଥିବାବେଳେ ଅଭିନବଙ୍କୁ ମାତ୍ର ଏକ ବର୍ଷ ହୋଇଥିବା ଜଣାପଡିଛି ।
୨ ସନ୍ତାନଙ୍କୁ ହତ୍ୟା ପରେ ମା'ର ଆତ୍ମହତ୍ୟା ଉଦ୍ୟମ
ଉଗ୍ର ରୂପ ନେଲା ପାରିବାରିକ କଳହ । ମାନସିକ ଭାରସାମ୍ୟ ହରାଇ ଶୀରା କାଟି ନିଜ ୨ ସନ୍ତାନଙ୍କୁ ହତ୍ୟା କଲା ମା'। ଅଧିକ ପଢନ୍ତୁ
ମିଳିଥିବା ସୂଚନା ଅନୁୟାୟୀ ୨ଶିଶୁ ଘରେ ଶୋଇଥିବାବେଳେ ତାଙ୍କ ମା ଦିବ୍ୟା ସେମାନଙ୍କ ଶୀରା କାଟିଦେବା ପରେ ନିଜେ ଏକ ନିଦ୍ରା ବଟିକା ଖାଇ ନିଜ ହାତର ଶୀରା ମଧ୍ୟ କାଟି ଦେଇଥିଲେ । ଏହାପରେ ଗୁରୁତର ଅବସ୍ଥାରେ ଉଭୟ ଶିଶୁଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ଦିବ୍ୟାଙ୍କ ସ୍ବାମୀ ରାଜେଶଙ୍କ ଜେଜେମା ମଧ୍ୟ ନିଜ ହାତର ଶୀରା କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ପୋଲିସ ତରଫରୁ ସୂଚନା ମିଳିଛି ।
ତେବେ ପାରିବାରିକ କଳହକୁ ନେଇ ଏଭଳି ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି ପୋଲିସ ତରଫରୁ ସୂଚନା ମିଳିଛି । ଏନେଇ ଶୋରାନୁର ପୋଲିସ ଷ୍ଟେସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପରିବାରରେ ଝଗଡା ହେବାପରେ ମହିଳା ଜଣଙ୍କ ମାନସିକ ଭାରସାମ୍ୟ ହରାଇ ୨ ଶିଶୁକୁ ହତ୍ୟା କରିଥାଇପାରନ୍ତି । ଏହି ଘଟଣା ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବାବେଳେ ଆଉ କିଏ କିଏ ଏହି ଘଟଣାରେ ସମ୍ପୃକ୍ତ ଅଛନ୍ତି ସେନେଇ ମଧ୍ୟ ତଦନ୍ତ କରୁଛି ।