ଭୁବନେଶ୍ବର:ଓଡିଶା କ୍ରାଇମବ୍ରାଞ୍ଚ ଜାଲରେ ରାଜସ୍ଥାନ ସାଇବର ଠକ । ଆଦିବାସୀଙ୍କୁ ଢାଲ କରି ବିଛାଇଥିଲେ ସାଇବର ଠକାମିର ଜାଲ । ଆଦିବାସୀଙ୍କ ଆକାଉଣ୍ଟ ଓ ସିମକାର୍ଡ ବ୍ୟବହାର କରି ପୁରା ଦେଶରେ ଚଳାଇଥିଲେ ଠକାମି । ଟ୍ରାକ କରି ଏହି ସାଇବର ଠକଙ୍କୁ ଧରିଲା ଅର୍ଥନୈତିକ ଅପରାଧା ଶାଖା । ରାଜସ୍ଥାନରୁ ୨ଜଣ ଠକଙ୍କୁ ଗିରଫ କରିବା ପରେ ମିଳିଛି ଓଡିଶା ସୁରାକ । ଏହାପରେ ଓଡିଶାର ମୟୂରଭଞ୍ଜର ଜଣେ ଠକକୁ ଗିରଫ କରାଯାଇଛି ।
ନବରଙ୍ଗପୁରର ଏକ ବ୍ଲକର ଦୁଇ ତିନୋଟି ଗାଁର ଲୋକଙ୍କ ନାଁରେ ଆକାଉଣ୍ଟ ଓ ସିମକାର୍ଡ ଜରିଆରେ ଠକାମି କରୁଥିଲେ ଏହି ସାଇବର ଠକ । ଚାକିରୀ ଦେବା, ଦେହଜୀବୀର ଲାଳସା, ଓଏଲଏକ୍ସ ଓ ଅନଲାଇନରେ ନ୍ୟୁଡ଼ କଲ୍ ମାଧ୍ୟମରେ ପୁରା ଦେଶରେ ଠକାମି କରି ଠକାମି ଟଙ୍କାକୁ ଏହି ସବୁ ଆଦିବାସୀଙ୍କ ନାଁରେ ଖୋଲାଯାଇଥିବା ଆକାଉଣ୍ଟ ବ୍ୟବହାର କରି ଟ୍ରାଞ୍ଜାକ୍ସନ କରାଯାଉଥିଲା । ପରେ ସେହି ଟଙ୍କାକୁ ରାଜସ୍ଥାନାର କଲଓ୍ବାର ଅଞ୍ଚଳରୁ ଇ ମିତ୍ର କେନ୍ଦ୍ରରୁ ଉଠାଯାଉଥିଲା । ଏହା ଜଣାପଡିବା ପରେ ଠକ ରାକେଟକୁ ଗିରଫ କରିଛି ଓଡିଶା କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ।
ରାଜସ୍ଥାନର ୨ଜଣ ଠକଙ୍କ ସହ ଓଡ଼ିଶା ମୟୂରଭଞ୍ଜର ଜଣେ ଠକକୁ ଗିରଫ କରିଛି ଇଓଡବ୍ଲୁ ଟିମ୍ । ତେବେ କ୍ରାଇମବ୍ରାଞ୍ଚ ଇଓଡବ୍ଲୁର ଡିଆଇଜି ଜୟନାରାୟଣ ପଙ୍କଜଙ୍କ ସୂଚନା ଅନୁଯାୟୀ, ଓଡିଶାରୁ ଧରା ହୋଇଥିବା ଏହି ଠକ ଜରିଆରେ ରାଜସ୍ଥାନାର ଦୁଇ ଠକ ଯୋଗାଯୋଗ କରିଥିଲେ । ପରେ ଓଡ଼ିଆ ଆଦିବାସୀଙ୍କ ନାଁରେ ଇଣ୍ଡିଆନ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ (IPPB) ର ଆକାଉଣ୍ଟ ଖୋଲି ମାସକୁ ୨ହଜାର ଟଙ୍କା ଦେବା ଆଳରେ ଆକାଉଣ୍ଟର ଅପରେସନ ପାଇଁ ରାଜସ୍ଥାନ ଠକଙ୍କୁ ୫ହଜାର ଟଙ୍କାରେ ବିକ୍ରି କରୁଥିଲେ ଓଡ଼ିଶା ଠକ ।