ସମ୍ବଲପୁର: ଆଜି(ଗୁରୁବାର) ସମ୍ବଲପୁରରେ ଜିଲ୍ଲା ପ୍ରଶାସନ ତରଫରୁ 73 ତମ ସ୍ବାଧୀନତା ଦିବସ ପାଳିତ ହୋଇଛି। ଏଥିରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ । ମାତ୍ର ଏଥିରେ ସାମିଲ ହୋଇନଥିଲେ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ।
ସମ୍ବଲପୁରରେ ଓକିଲ ସଂଘର ସମାନ୍ତରାଳ ସ୍ବାଧୀନତା ଦିବସ ପାଳନ ଜିଲ୍ଲା ପ୍ରଶାସନର ସ୍ବାଧୀନତା ଦିବସ ପାଳନ ହେଉଥିବା ସ୍ଥାନରୁ ଅଳ୍ପ ଦୁରତାରେ ଓକିଲ ସଂଘ ଓ କିଛି ବରିଷ୍ଠ ନାଗରିକ ସମାନ୍ତରାଳ ଭାବେ ସ୍ବାଧୀନତା ଦିବସ ପାଳନ କରିବା ସହ ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ ନେଇ ପ୍ରତୀକାତ୍ମକ ଦାବି ଦୋହରାଇଥିଲେ ।
ଏଥିରେ ଜିଲ୍ଲାର ବିଭିନ୍ନ ବର୍ଗର ଲୋକେ ମଧ୍ୟ ସାମିଲ ହୋଇ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚର ଦାବି କରିଥିଲେ । ତେବେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଗାଡି କଚେରୀ ଛକ ଆଡକୁ ଯିବା ସମୟରେ ଓକିଲ ସଂଘର କୁଛି ସଦସ୍ୟ ନାରାବାଜି କରିବା ସହ ହାଇକୋର୍ଟ ବେଞ୍ଚ ଦାବି କରିଥିଲେ ।
ଏଠାରେ ସୂଚନାଯୋଗ୍ୟ, ବିଗତ କିଛି ବର୍ଷ ହେଲା ସମ୍ବଲପୁର ଜିଲ୍ଳା ଓକିଲ ସଂଘ ଏପରି ଭାବେ ସ୍ଵତନ୍ତ୍ରତା ଦିବସ ପାଳନ କରିଆସୁଛି ।
ସମ୍ବଲପୁରରୁ ବାଦ୍ଶାହ ଜୁସମନ୍ ରଣା, ଇଟିଭି ଭାରତ