ସମ୍ବଲପୁର: ଶୀତ ଆସିଲେ ଆସିଥାଏ ପର୍ଯ୍ୟଟନ ୠତୁ । ଆଉ ପର୍ଯ୍ୟଟନ ୠତୁ ଆସିଲେ ପର୍ଯ୍ୟଟନ ସ୍ଥଳକୁ ପର୍ଯ୍ୟଟକଙ୍କ ଆଗମନ ହୋଇଥାଏ । ଆଉ ଏହା ସ୍ବାଭାବିକ ମଧ୍ୟ । ତେବେ ହୀରାକୁଦ ଜଳଭଣ୍ଡାରକୁ ଶୀତ ଋତୁ ଆସିଲେ କେବଳ ପର୍ଯ୍ୟଟକ ଆସନ୍ତିନି, ଏଠାକୁ ଆସନ୍ତି ଦେଶ ବିଦେଶର ପକ୍ଷୀ । ଆଉ ଏମାନଙ୍କ କଳରବରେ ଗୁଞ୍ଜରୀ ଉଠେ ହୀରାକୁଦ ଜଳଭଣ୍ଡାର ।
ହୀରାକୁଦ ଜଳଭଣ୍ଡାରରେ ବିଦେଶାଗତ ପକ୍ଷୀ । ପ୍ରତ୍ୟେକ ବର୍ଷ ନଭେମ୍ବରରୁ ମାର୍ଚ୍ଚ ଯାଏଁ ଏହି ପକ୍ଷୀ ମାନେ ହୀରାକୁଦରେ ରୁହନ୍ତି । ସୁଦୂର ସାଇବେରିଆ, ମାଲଦ୍ବୀପ, ଅଷ୍ଟ୍ରେଲିଆ, ଦକ୍ଷିଣ ଏସିଆ ମାଙ୍ଗୋଲିଆ ତଥା ହିମାଳୟ ଅଞ୍ଚଳରୁ ଏହି ପକ୍ଷୀମାନେ ଏଠାକୁ ଆସନ୍ତି। ଆସୁଥିବା ପକ୍ଷୀଙ୍କ ମଧ୍ୟରେ ଅଛନ୍ତି କମନ ପଚାର୍ଡ, କମନ କୁଟ, ଟପଟେଡ ଡକ, ରେଡ ହେଡେଡ ପୋଚାର୍ଡ, ଗଲ, କ୍ରେଷ୍ଟ୍ରେଡ ଗ୍ରୀବ, ୟୁରେସିଏନ ୟୁଜନ, ଆଦି ବିଦେଶୀ ପକ୍ଷୀ ।
ଶୀତ ଦିନେ ହୀରାକୁଦ ଅଞ୍ଚଳର ଜଳବାୟୁ, ବିସ୍ତୀର୍ଣ୍ଣ ଜଳରାଶି, ପର୍ଯ୍ୟାପ୍ତ ପରିମାଣର ଖାଦ୍ୟର ଉପଲବ୍ଧତା ଏହି ପକ୍ଷୀଙ୍କୁ ଆକର୍ଷିତ କରିଥାଏ । ଏହାସହ ହୀରାକୁଦର ଜଳବାୟୁ ପକ୍ଷୀଙ୍କ ଅଣ୍ଡାଦାନ ପାଇଁ ସୁହାଇଥାଏ ବୋଲି ପକ୍ଷୀ ବିଶେଷଜ୍ଞ କୁହନ୍ତି । ତେବେ ଏହି ସମୟରେ ଶିକାରୀଙ୍କ ଭୟ ପକ୍ଷୀ ପ୍ରେମୀଙ୍କ ପାଇଁ ଚିନ୍ତା ବଢାଇଛି।