ସମ୍ବଲପୁର: ଦିନକ ପରେ ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ (agricultural festival nuakhai) । ଏଥିପାଇଁ ଏବେ ସମଗ୍ର ପଶ୍ଚିମ ଓଡିଶା ଚଳଚଞ୍ଚଳ । ସଂସ୍କୃତି ଏବଂ ପରମ୍ପରାର ମହତ୍ୱ ସହ ଭାଇଚାରାର ସ୍ବାଦ ଚଖାଇଥାଏ ଏହି ପର୍ବ । ତେବେ ନୂଆଁଖାଇର ପରମ୍ପରା ଏବଂ ଇତିହାସ ବେଶ ନିଆରା (history and rituals of nuakhai) ।
ନୂଆଁଖାଇର ସଂସ୍କୃତି ଓ ପରମ୍ପରା
ନୂଆଁଖାଇ ପଶ୍ଚିମ ଓଡିଶାର କୃଷିଭିତିକ ଗଣପର୍ବ । ଏହାକୁ ପଶ୍ଚିମ ଓଡିଶାର ସବୁଠାରୁ ବଡ଼ ପର୍ବ ବା ବଡ଼ଖା ତିହାର ବୋଲି କୁହାଯାଏ । ପଶ୍ଚିମ ଓଡିଶାର ଲୋକେ ମୁଖ୍ୟତଃ କୃଷି ଉପରେ ନିର୍ଭର କରୁଥିବା ବେଳେ ଏହି ପର୍ବ ସମ୍ପୂର୍ଣ୍ଣ ରୂପେ କୃଷି ଭିତ୍ତିକ ଅଟେ । ଏଥିରେ ପାରିବାରିକ,ସାମାଜିକ ଓ ଆଧ୍ୟାତ୍ମିକ ଦର୍ଶନର ପ୍ରତିଫଳନ ହୋଇଥାଏ । ପ୍ରକୃତି ପୂଜା, ଜ୍ୟେଷ୍ଠଙ୍କୁ ସମ୍ମାନ,କନିଷ୍ଠଙ୍କୁ ଆଦର ଓ ଏକତାବଦ୍ଧ ଜୀବନ ଶୈଳୀର ବର୍ତ୍ତା ଦେଇଥାଏ। ପ୍ରତ୍ୟେକ ବର୍ଷ ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ ତିଥୀ ଅର୍ଥାତ ଗଣେଶ ପୂଜାର ପରବର୍ତ୍ତୀ ଦିନରେ ନୂଆଁଖାଇ ପାଳିତ ହୁଏ । ନୂତନ ଭାବେ ଅମଳ ହୋଇଥିବା ନୂଆଁ ଧାନର ଚାଉଳକୁ ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ବରୀଙ୍କଠାରେ ଅର୍ପଣ କରାଯାଏ । ଏହାପରେ ନିଜ ନିଜ ଘରେ ଇଷ୍ଟ ଦେବାଦେବୀଙ୍କୁ ନବାନ୍ନ ନୈବେଦ୍ୟ ଆକାରରେ ନୂଆଁଖାଇ ଦିନ ଅର୍ପଣ କରାଯାଏ । ଏହା ପରେ ପରିବାରର ସମସ୍ତେ ଏକାଠି ବସି ନୂଆଁ ନବାନ୍ନ ଖାଇଥାନ୍ତି । କନିଷ୍ଠ ମାନେ ପରିବାରର ଜ୍ୟେଷ୍ଠଙ୍କୁ ମୁଣ୍ଡିଆ ମାରିଥାନ୍ତି ଓ ଜ୍ୟେଷ୍ଠମାନେ କନିଷ୍ଠ ମାନଙ୍କୁ ଆଶୀର୍ବାଦ ଦିଅନ୍ତି । ଏହାକୁ ଜୁହାର ଭେଟ ପରମ୍ପରା କୁହାଯାଏ । ପରିବାରର ଯିଏ ଯେଉଁଠି ଥିଲେ ମଧ୍ୟ ଘରକୁ ଫେରି ଏକାଠି ପରିବାର ସହ ନୂଆଁଖାଇ ପାଳିବାର ପରମ୍ପରା ରହିଛି । ପରିବାରର ଜଣେ ମଧ୍ୟ ଅନୁପସ୍ଥିତ ରହିଲେ ନୂଆଁଖାଇ ପାଳନ ହୋଇନଥାଏ । ସଭିଙ୍କ ପାଇଁ ନୂଆ ବସ୍ତ୍ର କିଣାହୁଏ । ଘରେ ଘରେ ପିଠାପଣାର ଆସର ଜମିଥାଏ ।
ପରବର୍ତ୍ତୀ ସମୟରେ ନିଜ ସାହିରେ ଯିଏ ଯାହାକୁ ଭେଟିଲେ ପୂର୍ବର ସବୁ ରାଗ ଅଭିମାନ ଭୁଲି ଜୁହାର କରିବାର ପରମ୍ପରା ରହିଛି । ଅପରାହ୍ନରେ ଗାଁ ଦାଣ୍ଡରେ ଯୁବକମାନେ ବିଭିନ୍ନ ଖେଳ ଖେଳିଥାନ୍ତି ଏବଂ ରାତ୍ରୀ ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ ।