ଓଡିଶା

odisha

By

Published : Oct 31, 2019, 6:48 PM IST

ETV Bharat / city

ଭୀମସାରରେ ବିବାଦୀୟ ଅସ୍ତ୍ରୋପଚାର ଘଟଣା, ଜୋର ଧରିଲା ରାଜନୀତି

ବୁର୍ଲା ଭୀମସାର ମେଡିକାଲରେ ବିବାଦୀୟ ଏଚଆଇଭି ରୋଗୀ ଅସ୍ତ୍ରୋପଚାର ଘଟଣାକୁ ନେଇ ଜୋର ଧରିଛି ରାଜନୀତି । ବାରମ୍ବାର ବୁର୍ଲା ମେଡିକାଲରେ ଏପରି ବିବାଦୀୟ ପରିସ୍ଥିତି ଉପୁଜିବା ପାଇଁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ସମ୍ବଲପୁର ଜିଲ୍ଲାର 2 ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଓ ନାଉରୀ ନାଏକ ।

ଡିଜାଇନ ଫଟୋ

ସମ୍ବଲପୁର: ବୁର୍ଲା ଭୀମସାର ମେଡିକାଲରେ ବିବାଦୀୟ ଏଚଆଇଭି ରୋଗୀ ଅସ୍ତ୍ରୋପଚାର ଘଟଣାରେ ସମ୍ବଲପୁରରେ ରାଜନୀତି ଜୋର ଧରିଛି । ବାରମ୍ବାର ବୁର୍ଲା ମେଡିକାଲରେ ଏପରି ବିବାଦୀୟ ପରିସ୍ଥିତି ଉପୁଜିବା ପାଇଁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ସମ୍ବଲପୁର ଜିଲ୍ଲାର 2 ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଓ ନାଉରୀ ନାଏକ ।

ବାରମ୍ବାର ବୁର୍ଲାରେ ଏପରି ଘଟଣା ଘଟିବାର ମୁଖ୍ୟ କାରଣ, ରାଜ୍ୟ ସରକାରଙ୍କ ଅପାରଗତା ବୋଲି ବରିଷ୍ଠ ବିଜେପି ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଓ ରେଙ୍ଗାଲୀ ବିଧାୟକ ନାଉରୀ ନାଏକ କହିଛନ୍ତି । ବୁର୍ଲା ମେଡିକାଲରେ କଙ୍ଗାରୁ କୋର୍ଟରେ ରୋଗୀ ସମ୍ପର୍କୀୟ ନିର୍ଯାତନା ଘଟଣା ହେଉ ବା ଏଚଆଇଭି ରୋଗୀ ଅସ୍ତ୍ରୋପଚାର ହେଉ, ଏହା ବୁର୍ଲା ମେଡିକାଲରେ ନେତୃତ୍ବ ନଥିବାରୁ ହୋଇଛି ବୋଲି ଜୟନାରାୟଣ ମିଶ୍ର କହିଛନ୍ତି ।

ଆଜି ପର୍ଯ୍ୟନ୍ତ ବୁର୍ଲା ମେଡିକାଲରେ ନିର୍ଦ୍ଦେଶକ ପଦବୀ ପୂରଣ କରିବାରେ ସରକାର ଅକ୍ଷମ ହୋଇଥିବାରୁ ଏହି ସବୁ ଘଟଣା ଘଟୁଛି ବୋଲି ସେ କହିଛନ୍ତି । କେବଳ ବୁର୍ଲା ନୁହେଁ ସମ୍ବଲପୁର ସରକାରୀ ମୁଖ୍ୟ ଚିକିତ୍ସାଳୟ ଓ ଅନ୍ୟ ସମସ୍ତ ସରକାରୀ ଚିକିତ୍ସାଳୟରେ ଏପରି ଅବ୍ୟବସ୍ଥା ଲାଗି ରହିଥିବା କହି ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦିଛନ୍ତି ସମ୍ବଲପୁରର ଏହି 2 ବିଜେପି ବିଧାୟକ ।

ବୁର୍ଲା ଭୀମସାର ବିବାଦୀୟ ଅସ୍ତ୍ରୋପଚାର ଘଟଣା, ଜୋର ଧରିଲା ରାଜନୀତି

ଏହି ସମସ୍ୟାକୁ ନେଇ ଆଗାମୀ ବିଧାନସଭା ଅଧିବେଶନରେ ପ୍ରଶ୍ନ କରାଯିବ ବୋଲି ଜୟନାରାୟଣ କହିଛନ୍ତି । ଏହାସହ ବୁର୍ଲା ମେଡିକାଲରେ ହୋଇଥିବା କଙ୍ଗାରୁ କୋର୍ଟ ଘଟଣା ଅତି ନିନ୍ଦନୀୟ ଓ ଏନେଇ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ ବୋଲି ସେ ଦର୍ଶାଇଛନ୍ତି । ସେହିପରି କେବଳ ଘଟଣାର ତଦନ୍ତ ଚାଲିଥିବା କହି ପ୍ରଶାସନ ସମୟ ଗଡାଇ ଚାଲିଥିବାର ଅଭିଯୋଗ କରିଛନ୍ତି ରେଙ୍ଗାଲୀ ବିଧାୟକ ନାଉରୀ ନାଏକ । ତେବେ ଏହି ଘଟଣାରେ ଏମିତି କାର୍ଯ୍ୟାନୁଷ୍ଠାନ ନିଆଯାଉ ଯେପରି କି ଏହାର ପୁନରାବୃତ୍ତି ହେବ ନାହିଁ ବୋଲି କହିଛନ୍ତି ନାଉରୀ ନାଏକ ।

ସୂଚନା ଥାଉକି, ବୁର୍ଲା ଭୀମସାର ମେଡିକାଲ ବିବାଦୀୟ ଏଚଆଇଭି ରୋଗୀ ଅସ୍ତ୍ରୋପଚାର ଘଟଣାରେ ଆଜି(ଗୁରୁବାର) ସନ୍ଧ୍ୟା ସୁଦ୍ଧା ରାଜ୍ୟ ସରକାରଙ୍କୁ ତଦନ୍ତ ରିପୋର୍ଟ ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ବୁର୍ଲା ମେଡିକାଲର ଅଧୀକ୍ଷକ ଲାଲ ମୋହନ ନାଏକ । ଏଥିପାଇଁ ସମସ୍ତ ପକ୍ଷଙ୍କୁ ପଚରାଉଚରା କରାଯାଉଛି ବୋଲି ସେ କହିଛନ୍ତି । ଏହି ବିବାଦୀୟ ଘଟଣା ଲୋକଲୋଚନକୁ ଆସିଲା ପରେ ଗତକାଲି(ବୁଧବାର) ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details