ଓଡିଶା

odisha

ETV Bharat / city

କ୍ରୀଡ଼ାର ହବ୍ ହେବ ଇସ୍ପାତ ନଗରୀ ରାଉରକେଲା: ଜିଲ୍ଲାପାଳ - ସ୍ବାଧୀନତା ଦିବସ

ହକି ଇତିହାସରେ ଆଉ ଏକ ସ୍ବର୍ଣ୍ଣିମ ଫର୍ଦ୍ଦ ଯୋଡି ହୋଇଛି । ଏହାର ଅଧିକରୁ ଅଧିକ ବିକାଶ ପାଇଁ ଚେଷ୍ଟା କରୁଛନ୍ତି ରାଜ୍ୟ ସରକାର । ଆଗାମୀ ଦିନରେ କ୍ରୀଡାର ହବ ହେବାକୁ ଯାଉଛି ଶିଳ୍ପ ନଗରୀ ରାଉରକେଲା । ୭୫ ତମ ସ୍ବାଧୀନତା ଦିବସରେ ଯୋଗ ଦେଇ କହିଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ । ଅଧିକ ପଢନ୍ତୁ...

ସୁନ୍ଦରଗଡ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ
ସୁନ୍ଦରଗଡ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ

By

Published : Aug 16, 2021, 7:42 AM IST

ସୁନ୍ଦରଗଡ: ହକିର ଏନ୍ତୁଡିଶାଳ ଭାବେ ପରିଚିତ ସୁନ୍ଦରଗଡ ଜିଲ୍ଲା । ଏଇ ମାଟିରୁ ଜନ୍ମ ନେଇଛନ୍ତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କି, ଲାଜରୁସ ବାର୍ଲା, ମାଇକେଲ କିଣ୍ଡୋ, ଜ୍ୟୋତି ସୁନୀତା କୁଲୁ, ସୁଭଦ୍ରା ପ୍ରଧାନ, ସୁନୀତା ଲାକ୍ରାଙ୍କ ଭଳି ଅନେକ ହକି ତାରକା । ଏମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ ହକିକୁ କରିଛି ଆହୁରି ପରିଚିତ । ନିକଟରେ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଓ ମହିଳା ହକି ଦଳର ଚମତ୍କାର ପ୍ରଦର୍ଶନ ସୁନ୍ଦରଗଡ ମାଟି ସହିତ ରାଜ୍ୟକୁ ବିଶ୍ବସ୍ତରରେ ଗୌରବାନ୍ବିତ କରିଛି । ହକି ଇତିହାସରେ ଆଉ ଏକ ସ୍ବର୍ଣ୍ଣିମ ଫର୍ଦ୍ଦ ଯୋଡିଛି । ଆଗାମୀ ଦିନରେ କ୍ରୀଡାର ହବ ହେବାକୁ ଯାଉଛି ଶିଳ୍ପ ନଗରୀ ରାଉରକେଲା । ୭୫ ତମ ସ୍ବାଧୀନତା ଦିବସରେ ଯୋଗ ଦେଇ କହିଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ।

ବିରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ, ଦୀପଗ୍ରେସ୍ ଏକ୍କା ଓ ନମିତା ଟୋପ୍ପୋ ଭାରତୀୟ ହକି ଦଳରେ ପ୍ରତିନିଧିତ୍ବ କରି ସୁନ୍ଦରଗଡ଼ ମାଟି ସମେତ ଆମ ରାଜ୍ୟକୁ ବିଶ୍ବସ୍ତରରେ ଗର୍ବିତ କରିଛନ୍ତି । ସ୍ବାଧୀନତା ଦିବସ ସମାରୋହକୁ ସମ୍ବୋଧିତ କରି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ କହିଛନ୍ତି ‘‘ବିଶ୍ବ କ୍ରୀଡ଼ା ଆୟୋଜନରେ ଓଡ଼ିଶାକୁ ଅଗ୍ରଣୀ କରାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ପ୍ରତି ସୁନ୍ଦରଗଡ଼ ମାଟିର ପ୍ରତିବଦ୍ଧତାକୁ ଦେଖି ଏଠାରେ କ୍ରୀଡ଼ା ଭିତ୍ତିଭୂମିକୁ ବିଶ୍ବସ୍ତରୀୟ କରିବା ପାଇଁ ପଦକ୍ଷେପ ନେଉଛନ୍ତି ।

ରାଉରକେଲାରେ ଦେଶର ସର୍ବବୃହତ୍ ହକି ଷ୍ଟାଡ଼ିୟମ ନିର୍ମାଣ ଚାଲିଛି । ଭୁବନେଶ୍ବର ସମେତ ରାଉରକେଲାରେ ୨୦୨୩ ପୁରୁଷ ହକି ବିଶ୍ବକପ୍ ଖେଳାଯିବ । ହକି ସହିତ ଅନ୍ୟ କ୍ରୀଡ଼ା ଲାଗି ସ୍ମାର୍ଟସିଟି ରାଉରକେଲାରେ ଅତ୍ୟାଧୁନିକ ଭିତ୍ତିଭୂମି ନିର୍ମାଣ କରାଯାଉଛି । ଆଗାମୀ ଦିନରେ ରାଉରକେଲା କ୍ରୀଡ଼ାର ହବ୍ ପାଲଟିବାକୁ ଯାଉଥିବା କହିଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ ।

ପ୍ରକାଶ ଥାଉ କି, ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳର ଭଭୟ ମହିଳା ଓ ପୁରୁଷ ହକି ଦଳ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ପ୍ରଥମ ଥର ପାଇଁ ସେମିଫାଇନାଲରେ ପ୍ରବେଶ କରିଥିଲା ମହିଳା ଟିମ । ୪୧ ବର୍ଷ ପରେ ବ୍ରୋଞ୍ଜ ପଦକ ଜିତି ଦେଶ ପାଇଁ ଗୌରବ ଆଣିଥିଲା ଭାରତୀୟ ପୁରୁଷ ହକି ଟିମ । ପରିଶ୍ରମ, ଦକ୍ଷତା ଓ ଅଭିଜ୍ଞତାର ପୂର୍ଣ୍ଣ ବିନିଯୋଗରେ ପଦକ ହାସଲ କରିଥିଲା ଟିମ । ଯାହାକୁ ନେଇ ରାଜ୍ୟ ଆଜି ଗର୍ବିତ ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର,ଇଟିଭି ଭାରତ

ABOUT THE AUTHOR

...view details