ଓଡିଶା

odisha

ETV Bharat / city

ଆରଏମସିରେ ଖୋଲିଲା ‘ମୋ ସରକାର’ କକ୍ଷ

ରାଉରକେଲା ମହାନଗର ନିଗମରେ ବୁଧବାର ଠାରୁ ‘ମୋ ସରକାର’ କକ୍ଷ କାର୍ଯ୍ୟକ୍ଷମ ହୋଇଛି। ମହାନଗର ନିଗମର ମୁଖ୍ୟ ପ୍ରବେଶ ଦ୍ବାର ନିକଟରେ ଏହି କକ୍ଷ ଖୋଲାଯାଇଛି। ଅଧିକ ଖବର ପଢନ୍ତୁ...

By

Published : Jan 1, 2020, 11:25 PM IST

ଆରଏମସିରେ ଖୋଲିଲା ମୋ ସରକାର କକ୍ଷ
ଆରଏମସିରେ ଖୋଲିଲା ମୋ ସରକାର କକ୍ଷ

ରାଉରକେଲା: ରାଉରକେଲା ମହାନଗର ନିଗମରେ ବୁଧବାର ଠାରୁ ‘ମୋ ସରକାର’ କକ୍ଷ କାର୍ଯ୍ୟକ୍ଷମ ହୋଇଛି। ମହାନଗର ନିଗମର ମୁଖ୍ୟ ପ୍ରବେଶ ଦ୍ବାର ନିକଟରେ ଏହି କକ୍ଷ ଖୋଲାଯାଇଛି। ଶାସନ ବ୍ୟବସ୍ଥାକୁ ଜନକୈନ୍ଦ୍ରିକ କରିବା, ମହାନଗର ନିଗମ କାର୍ଯ୍ୟାଳୟକୁ ଆସୁଥିବା ଲୋକଙ୍କୁ ମର୍ଯ୍ୟାଦାର ସହ ସେବା ଯୋଗାଇଦେବା, ନିଗମ କାର୍ଯ୍ୟାଳୟରେ ଉତ୍ତମ ବ୍ୟବହାର ଓ ବୃତ୍ତିଗତ ଆଚରଣକୁ ପ୍ରୋତ୍ସାହିତ କରିବା ଏବଂ ନାଗରିକ ମାନଙ୍କ ଠାରୁ ସିଧାସଳଖ ମତାମତ ଗ୍ରହଣ କରିବା ଲକ୍ଷ୍ୟରେ ଏହି କକ୍ଷ ଖୋଲାଯାଇଛି।

ଆରଏମସିରେ ଖୋଲିଲା ମୋ ସରକାର କକ୍ଷ

ବୁଧବାର ମହାନଗର ନିଗମର କମିଶନର ଡା. ୟେଦୁଲ୍ଲା ବିଜୟ ‘ମୋ ସରକାର’ କକ୍ଷକୁ ଉଦଘାଟନ କରିଥିଲେ। ଉଦଘାଟନ ପରେ ଉପସ୍ଥିତ କର୍ମଚାରୀଙ୍କୁ କହିଥିଲେ ଯେ, "ଲୋକମାନେ ହେଉଛନ୍ତି ପ୍ରକୃତ ସରକାର। ମହାନଗର ନିଗମର ପ୍ରତ୍ୟେକ କର୍ମଚାରୀ ଲୋକଙ୍କୁ ଉନ୍ନତ ମାନର ସେବା ଓ ସୁବିଧା ଯୋଗାଇଦେବା ପାଇଁ ବାଧ୍ୟ"।

ସେବା ପାଇଁ ଆସୁଥିବା ସମସ୍ତ ଲୋକଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ସହ ବୃତ୍ତିଗତ ଏବଂ ସେବା ମନୋଭାବ ନେଇ ସେମାନଙ୍କ ସମସ୍ୟା ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନେବା ପାଇଁ ପଡ଼ିବ। ରାଜ୍ୟ ସରକାରଙ୍କ ୫T କାର୍ଯ୍ୟକ୍ରମ ଅଧିନରେ ଏହା ଏକ ମହତ୍ବପୂର୍ଣ୍ଣ ଉଦ୍ୟମ । ମହାନଗର ନିଗମ କାର୍ଯ୍ୟାଳୟକୁ ଆସୁଥିବା ଜନସାଧାରଣଙ୍କ ପ୍ରତ୍ୟକ୍ଷ ମତାମତକୁ ସଂଗ୍ରହ କରାଯିବ।

ସେମାନଙ୍କ ମୋବାଇଲ ନମ୍ବର ପଞ୍ଜିକରଣ କରାଯିବ ଓ ୨୪ ଘଣ୍ଟା ମଧ୍ୟରେ ସେମାନଙ୍କ ନିକଟକୁ ଏସ୍ଏମ୍ଏସ୍ ବାର୍ତ୍ତା ପଠାଯିବ। ଯଦି ଏସ୍ଏମ୍ଏସ୍ ନଆସେ ତେବେ ଜନସାଧାରଣ ନିଜେ ୧୪୫୪୫ ନମ୍ବରକୁ ମିସଡ୍ କଲ ଦେଇ ମୋ ସରକାର ପୋର୍ଟାଲରେ ନିଜ ଟେଲିଫୋନ ନମ୍ବରକୁ ପଞ୍ଜିକରଣ କରାଇପାରିବେ। ମୋ ସରକାର କକ୍ଷରେ ଜନସାଧାରଣ ନିଜ ନିଜ ଆପତ୍ତି ଅଭିଯୋଗ ଦାଖଲ କରିପାରିବେ। ଏଥିସହିତ ବିଭିନ୍ନ କାର୍ଯ୍ୟ ସମ୍ବନ୍ଧୀୟ ସୂଚନା ମଧ୍ୟ ପାଇପାରିବେ।

ଏଠାରେ ସୂଚନାଯୋଗ୍ୟଯେ, ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗର ବିଜ୍ଞପ୍ତି ଅନୁଯାୟୀ ବୁଧବାର ଠାରୁ ରାଉରକେଲା ମହାନଗର ନିଗମରେ ମୋ ସରକାର କକ୍ଷ କାର୍ଯ୍ୟକ୍ଷମ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଏଥିରେ ହୋଲଡିଂ ଟିକସ, ଘର ନକ୍ସା ଅନୁମୋଦନ, ଆବାସ ଯୋଜନା, ଟ୍ରେଡ଼ ଲାଇସେନ୍ସ ଭଳି ୪ଟି ବିଭାଗ ଅନ୍ତର୍ଭୁକ୍ତ ହୋଇଛି। ଏହି କାର୍ଯ୍ୟକ୍ରମକୁ ମହାନଗର ନିଗମର ଉପାୟୁକ୍ତ ସୁଧାଂଶୁ ଭୋଇ ଓ ଉପାୟୁକ୍ତ ସୀତାଦେବୀ ମାଝି ପରିଚାଳନା କରିଥିଲେ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details