ଓଡିଶା

odisha

ETV Bharat / city

ପୁରୀକୁ ଛୁଟିଲେଣି ପର୍ଯ୍ୟଟକ, କଡା ସୁରକ୍ଷା ସହ ସଜାଗ ପୁରୀ ପୋଲିସ

ଆସିଲା ଶୀତ, ଛୁଟିଲେଣି ପର୍ଯ୍ୟଟକ। ବେଳାଭୂମି ବୁଲା ସହ ଠାକୁର ଦର୍ଶନ। ଏହାର ମଜା ନେବାକୁ ଦେଶ ବିଦେଶୀରୁ ଆସିଲେଣି ପର୍ଯ୍ୟଟକ। ସେପଟେ ପର୍ଯ୍ୟଟକଙ୍କ ସୁରକ୍ଷା ଲାଗି ସଜାଗ ପୁରୀ ପୋଲିସ।

By

Published : Dec 7, 2019, 5:41 PM IST

tight security in puri
ଆସିଲା ଶୀତ, ଛୁଟିଲେଣି ପର୍ଯ୍ୟଟକ: କଡା ସୁରକ୍ଷା ସହ ସଜାଗ ପୁରୀ ପୋଲିସ

ପୁରୀ: ଆସିଗଲାଣି ପର୍ଯ୍ୟଟନ ଋତୁ। ରାଜ୍ୟକୁ ଆସିବେ ଦେଶ ବିଦେଶୀରୁ ପର୍ଯ୍ୟଟକ। ଶୀତ ସାଙ୍ଗକୁ ପର୍ଯ୍ୟଟନୀସ୍ଥଳୀ ବୁଲି ଦେଖିବାର ମଜା ସତରେ ନିଆରା । ଆଉ ତା' ସହିତ ଠାକୁରଙ୍କ ଦର୍ଶନ । ସେଥିପାଇଁ ତ ଏହି ସମୟରେ ପୁରୀକୁ କାହିଁ କେତେ ଦୂରରୁ ଛୁଟି ଆସନ୍ତି ପର୍ଯ୍ୟଟକ।ସେ ପଟେ,ପର୍ଯ୍ୟଟକଙ୍କ ସୁରକ୍ଷା ଲାଗି ପ୍ରସ୍ତୁତ ହେଲାଣି ପୁରୀ ପୋଲିସ। ଟୁରିଷ୍ଟ ପୋଲିସ ବିଭାଗକୁ ସୁଦୃଢ କରିବା ସହ ଅତ୍ୟାଧୁନିକ କରାଯାଇଛି। ଏପରିକି 15 ଦିନିଆ ଟ୍ରେନିଂ ମଧ୍ୟ ନେଇଛନ୍ତି ଟୁରିଷ୍ଟ ପୋଲିସ।

ଡିସେମ୍ବର-ଜାନୁଆରୀ ଏହି ଦୁଇ ମାସ ପର୍ଯ୍ୟଟକଙ୍କ ଭିଡ ଜମେ । କାଳିଆ ଦର୍ଶନ, ସମୁଦ୍ର ସ୍ନାନ ହେଉ କି ନୂଆବର୍ଷକୁ ସ୍ବାଗତ କରିବାକୁ ଏଠାକୁ ପର୍ଯ୍ୟଟକଙ୍କୁ ଆଗମନ ହୋଇଥାଏ। ପର୍ଯ୍ୟଟକଙ୍କ ସୁରକ୍ଷା ଲାଗି ପୁରୀ-କୋଣାର୍କ ଓ ପୁରୀ-ସାତପଡା ରାସ୍ତାରେ ଟୁରିଷ୍ଟ ପୋଲିସ ପିସିଆର ଭ୍ୟାନକୁ ସଜାଗ ରହିଛି । ପିସିଆର ଭ୍ୟାନରେ ଜିପିଏସ ସିଷ୍ଟମର ସୁବିଧା କରାଯାଇଛି । ମହିଳାଙ୍କ ସୁରକ୍ଷା ଦୃଷ୍ଟିରୁ ପିସିଆରରେ ମହିଳା କର୍ମଚାରୀଙ୍କୁ ମୁତୟନ ହୋଇଛନ୍ତି। ଚଳିତ ବର୍ଷ ଓଏମସି ପକ୍ଷରୁ ଟୁରିଷ୍ଟ ପୋଲିସକୁ 8ଟି ପିସିଆର ଭ୍ୟାନ ପ୍ରଦାନ କରାଯିବା ସହ ଡାଏଲ 100 କଣ୍ଟ୍ରୋଲକୁ ଆଧୁନିକକରଣ କରାଯାଇଛି ।

ଆସିଲା ଶୀତ, ବଢିଲେ ପର୍ଯ୍ୟଟକ: କଡା ସୁରକ୍ଷା ସହ ସଜାଗ ପୁରୀ ପୋଲିସ

ସାତପଡାରେ ବୋଟିଂ ଭଡାକୁ ନେଇ ପର୍ଯ୍ୟଟକ ଯେପରି ଶୋଷଣର ଶିକାର ନ ହୁଅନ୍ତି ସେଥିପ୍ରତି ମଧ୍ୟ ସଜାଗ ରହିଛି ପୋଲିସ।ସମୁଦ୍ରକୂଳରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ମଧ୍ୟ ପୋଲିସ ସ୍ବେଚ୍ଛାସେବୀ ମୁତୟନ ହୋଇଛନ୍ତି । ଏପରିକି ପୁରୀର ବିଭିନ୍ନ ପ୍ରମୁଖ ସ୍ଥାନରେ ପୋଲିସ ପକ୍ଷରୁ ବିଭିନ୍ନ ସଚେତନତା ବାର୍ତ୍ତା ଦିଆଯିବା ସହ ପୋଲିସ କଣ୍ଟ୍ରୋଲ ରୁମ ନମ୍ବର ପ୍ରଦର୍ଶନ ନିମନ୍ତେ ହୋଡିଂ ଲଗାଯିବ। ପର୍ଯ୍ୟଟକଙ୍କୁ ଶୋଷଣ ତଥା ଦୁର୍ବ୍ୟବହାର କଲେ ଉକ୍ତ ବ୍ୟକ୍ତି ବିଶେଷ ବିରୋଧରେ ପୋଲିସ ଦୃଢ କାର୍ଯ୍ୟାନୁଷ୍ଠନ ନେବ ବୋଲି ପୁରୀ ଏସପି ସତର୍କ କରାଇ ଦେଇଛନ୍ତି।

ସେପଟେ, ପର୍ଯ୍ୟଟକ କିଭଳି ସୁରକ୍ଷିତ ରହିବେ ସେ ନେଇ ହୋଟେଲ ପକ୍ଷରୁ ମଧ୍ୟ ସଚେତନତା କରାଯାଉଥିବା ହୋଟେଲ ଆସୋସିଏସନ ପକ୍ଷରୁ କୁହାଯାଇଛି । ସେହିପରି ପୋଲିସ ହେଲ୍ପ ଲାଇନ ନମ୍ବରକୁ ସମସ୍ତ ହୋଟେଲ ରିସେପସନରେ ଦିଆଯାଇଛି । ଚଳିତ ବର୍ଷ ଡିସେମ୍ବର-ଜାନୁଆରୀ ପାଇଁ 80 ପ୍ରତିଶତ ହୋଟେଲ ବୁକିଂ ସରିଥିବା ଜଣାପଡିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details