ଓଡିଶା

odisha

ସୁନାବେଶ ପାଇଁ ପ୍ରସ୍ତୁତି ଶେଷ, ମହଣ ମହଣ ସୁନାରେ ଝଟକିବେ ଚତୁର୍ଦ୍ଧାମୂର୍ତ୍ତି

By

Published : Jul 10, 2022, 10:03 AM IST

ଦୁଇବର୍ଷ ପରେ ଆଜି ମହାପ୍ରଭୁଙ୍କ ସୁନାବେଶ ଦେଖିବାର ସୁଯୋଗ ପାଇବେ ଭକ୍ତ । ଏନେଇ ଶେଷ ହୋଇଛି ପ୍ରସ୍ତୁତି । ଅଧିକ ପଢନ୍ତୁ

ସୁନାବେଶ ପାଇଁ ପ୍ରସ୍ତୁତି ଶେଷ,  ଅପରାହ୍ନରେ ସୁନାବେଶ ଦର୍ଶନ ଆରମ୍ଭ
ସୁନାବେଶ ପାଇଁ ପ୍ରସ୍ତୁତି ଶେଷ, ଅପରାହ୍ନରେ ସୁନାବେଶ ଦର୍ଶନ ଆରମ୍ଭ

ପୁରୀ: ଆଜି ମହାପ୍ରଭୁଙ୍କ ସୁନାବେଶ । ମହଣ ମହଣ ସୁନାରେ ଝଟକିବେ ଚତୁର୍ଦ୍ଧାମୂର୍ତ୍ତି । ଏନେଇ ପ୍ରସ୍ତୁତି ଶେଷ ହୋଇଛି । ଆଉ କିଛି ସମୟ ପରେ ରଥ ଉପରେ ଶ୍ରୀଜିଉଙ୍କର ବଡତଢା଼ଉ ବେଶ ଵା ସୁନାବେଶ ଅନୁଷ୍ଠିତ ହେବ । ସକାଳୁ ତିନିରଥ ଉପରେ ଦୈନନ୍ଦିନ ନୀତି କରାଯାଇଥିବା ବେଳେ ମଧ୍ୟାହ୍ନ ଧୂପ ଓ ମଇଲମ ନୀତି ପରେ ମହଣ ମହଣ ସୁନାରେ ବିଭୂଷିତ ହେବେ ଶ୍ରୀଜିଉ । ଦୁଇବର୍ଷ ପରେ ଭକ୍ତ ମହାପ୍ରଭୁଙ୍କ ସୁନାବେଶ ଦେଖିବାର ସୁଯୋଗ ପାଇବେ । ଅପରାହ୍ନ 5 ଟା ସୁନାବେଶ ଆରମ୍ଭ ହେବାର ନୀତି ନିର୍ଘଣ୍ଟ ରିହିଥିବା ବେଳେ ମହାପ୍ରଭୁଙ୍କ ସହଳ ନୀତିକାନ୍ତି କରାଯାଇ ଅପରାହ୍ନ ୨ଟାରୁ ୩ ଟା ମଧ୍ୟରେ ଠାକୁର ମାନଙ୍କୁ ସୁନାବେଶରେ ସଜିତ କରାଯିବା ପାଇଁ ଉଦ୍ୟମ ହେଉଥିବା ଜଣାପଡିଛି ।

ସୁନାବେଶ ପାଇଁ ପ୍ରସ୍ତୁତି ଶେଷ, ଅପରାହ୍ନରେ ସୁନାବେଶ ଦର୍ଶନ ଆରମ୍ଭ
ସୁନାବେଶ ପାଇଁ ପ୍ରସ୍ତୁତି ଶେଷ, ଅପରାହ୍ନରେ ସୁନାବେଶ ଦର୍ଶନ ଆରମ୍ଭ

ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଭକ୍ତ ମହାପ୍ରଭୁଙ୍କ ସୁନାବେଶ ଦେଖିପାରିବେ ବୋଲି ପ୍ରଶାସନ ତରଫରୁ ନିଷ୍ପତ୍ତି ନିଆଯାଇଛି । ବେଶ ଓଲାଗି ପରେ ବଡସିଂହାର ବେଶ ଓ ରାତ୍ର ପହୁଡ ହେବ । ତେବେ ଶ୍ରୀଜିଉଙ୍କର ସମସ୍ତ ଚିତ୍ତାକର୍ଷକ ବେଶ ମଧ୍ୟରେ ସୁନାବେଶ ଅର୍ଥାତ ବଡତଢାଉ ବେଶ ଅନ୍ୟତମ। ଶ୍ରୀବଳଭଦ୍ର ଶ୍ରୀପୟର, ଶ୍ରୀଭୁଜ, କିରିଟି, ଘାଗଡାମାଳି, କଦମ୍ବମାଳି, କାନ କୁଣ୍ଡଳ, କମରପଟି,ଆଡକାନି, ଚନ୍ଦ୍ରିକା, ସେବତୀ ମାଳି, ବାଘନଖ ମାଳି, ବାହାଡାମାଳି, ଅସ୍ତ୍ରହଳ, ମୁଷଳ, ତିଳକ, ତ୍ରୀଖଣ୍ଡିକା ଓ ଝୋବାକଣ୍ଠିଆଦି ପରିଧାନ କରିଥାନ୍ତି ।

ଦେବୀ ସୁଭଦ୍ରାଙ୍କୁ କିରିଟି, ଓଡିଆଣି, କାନ, ଚନ୍ଦ୍ରସୂର୍ଯ୍ୟ, ଦୁଇଟି ତଗଡି,ସେବତୀ ମାଳି,ଘାଗଡାମାଳି, କଦମ୍ବମାଳି ଆଦି ପରିଧାନ କରିଥାନ୍ତି । ସେହିଭଳି ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀପୟର, ଶ୍ରୀଭୁଜ, କିରିଟି, ଆଦି ଅନେକ ସୁନା ଅଳଙ୍କାର ସହ ସ୍ୱର୍ଣ୍ଣଚକ୍ର, ରୌପ୍ୟ ଶଙ୍ଖ,କମରପଟି, କର୍ଣ୍ଣକୁଣ୍ଡଳ,ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ଘାଗଡାମାଳି, କଦମ୍ବମାଳି, ତିଳକତ୍ରୀଖଣ୍ଡିକା, ସେବତୀମାଳି, ଝୋବା କଣ୍ଠି, ତାବିଜ ମାଳି ଓ ବାହାଡା ମାଳି ପରିଧାନ କରି ଭକ୍ତଙ୍କୁ ରଥ ଉପରେ ଦର୍ଶନ ଦେବେ । ୧୩୮ ପ୍ରକାରର ସ୍ୱର୍ଣ୍ଣ ଅଳଙ୍କାରରେ ଝଲସିବେ ଶ୍ରୀଜିଉ । ଏହି ମନମୁଗ୍ଧକର ବେଶ ବର୍ଷକରେ ଥରେ ରଥ ଉପରେ ଅନୁଷ୍ଠିତ ହେଉଥିବା ବେଳେ ଏହି ବେଶରେ ଦର୍ଶନ କଲେ ଅଶେଷ ପୁଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି ।

ABOUT THE AUTHOR

...view details