ପୁରୀ: ଧର୍ମ, ଶାସ୍ତ୍ର, ପୋଥିର ଊର୍ଦ୍ଧ୍ବରେ ଶ୍ରୀମନ୍ଦିର ଇତିହାସ । ଶବର ରାଜା ବିଶ୍ବାବସୁଙ୍କ ହାତରୁ ନୀଳମାଧବ ପୂଜା ପାଇବା ହେଉ ଅବା ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ପରିଚାଳନାରେ ମହାପ୍ରଭୁ ଅଧାଗଢା ରହିବା ସବୁକିଛି ନିଗୁଢ ତତ୍ତ୍ବରେ ଆଚ୍ଛନ୍ନ । ଯେତେ ଶୁଣିଲେ, ଯେତେ ବୁଝିଲେ ଆଉ ଗାଇଲେ ବି ସମ୍ପୂର୍ଣ୍ଣ ହୁଏନି ଶ୍ରୀଜଗନ୍ନାଥଙ୍କ ଲୀଳା କାହାଣୀ । ସେଥି ମଧ୍ୟରୁ ଶ୍ରୀଗୁଣ୍ଡିଚା ମନ୍ଦିର ଏବଂ ମାଉସୀ ମା' ମନ୍ଦିରର କାହାଣୀ ଅନ୍ୟତମ ।
କେହି କେହି ଶ୍ରୀଗୁଣ୍ଡିଚା ମନ୍ଦିରକୁ ମାଉସୀ ମା' ମନ୍ଦିର କହୁଥିଲେ ମଧ୍ୟ ବାସ୍ତବ କଥା କିନ୍ତୁ କିଛି ଭିନ୍ନ ରହିଛି । ଜଗନ୍ନାଥ ସଂସ୍କୃତି ପ୍ରଚାରକଙ୍କ ମତରେ ମାଉସୀ ମା' ମନ୍ଦିର ଏବଂ ଶ୍ରୀଗୁଣ୍ଡିଚା ଘର ସମ୍ପୂର୍ଣ୍ଣ ଭିନ୍ନ । ମହାପ୍ରଭୁଙ୍କ ଆବିର୍ଭାବ ସ୍ଥାନକୁ ଶ୍ରୀଗୁଣ୍ଡିଚା ମନ୍ଦିର ବା ଗୁଣ୍ଡିଚା ଘର କୁହାଯାଉଥିବାବେଳେ ବଡଦାଣ୍ଡର ବଳ ଗଣ୍ଡିରେ ରେହିଛି ମାଉସୀ ମା ମନ୍ଦିର । ସେହିପରି ରାଣୀ ଗୁଣ୍ଡିଚା ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ପତ୍ନୀ ହୋଇ ଥିବାବେଳେ ମହାପ୍ରଭୁଙ୍କ ମାଉସୀ ହେଉଛନ୍ତି ଅର୍ଦ୍ଧାଶିନୀ ବା ଅର୍ଦ୍ଧଶ୍ବଶିନୀ ।
ଗୁଣ୍ଡିଚା ମନ୍ଦିର
କିମ୍ବଦନ୍ତୀ ତଥା ପୌରାଣିକ ବ୍ୟାଖ୍ୟା ଅନୁସାରେ ଜାରା ଶବରର ଶରରେ ଦ୍ବାରକାଧିପତି ଶ୍ରୀକୃଷ୍ଣଙ୍କ ପ୍ରାଣତ୍ୟାଗ ହେଲା । ଶେଷତମ ଆତ୍ମୀୟ ଭାବରେ ପାଣ୍ଡବମାନେ ସଖା ଶ୍ରୀକୃଷ୍ଣଙ୍କ ଶରୀରକୁ ଦାହ କରିବା ପାଇଁ ଚେଷ୍ଟାକରି ବିଫଳ ହେଲେ । କାରଣ ଅଗ୍ନିର ନିକଟରେ ପୂର୍ଣ୍ଣବ୍ରହ୍ମ ସ୍ବରୂପ ଶ୍ରୀକୃଷ୍ଣଙ୍କ ଶରୀରକୁ ପଞ୍ଚଭୂତରେ ବିଲୀନ କରିବାର ସାମର୍ଥ୍ୟ ନଥିଲା । ଶୂନ୍ୟବାଣୀ ହେଲା ‘କୃଷ୍ଣଙ୍କର ନାଭିକମଳ ଅଗ୍ନିରେ ଭସ୍ମ ହେବନାହିଁ, ତୁମେମାନେ ତାହାକୁ ମହୋଦଧିରେ ବିସର୍ଜନ କରିଦିଅ’ । ପାଣ୍ଡବମାନେ ତାହାହିଁ କଲେ ।
ଶ୍ରୀକୃଷ୍ଣଙ୍କର ଅର୍ଦ୍ଧଦଗ୍ଧ ପିଣ୍ଡ ଦାରୁରୂପରେ ବାଙ୍କୀ ମୁହାଣରେ ଆବିର୍ଭାବ ହେଲା । ସମୁଦ୍ରରେ ଭାସୁଥିବା ସେହି ଦାରୁକୁ ଆଣି ରାଜା ଇନ୍ଦ୍ରଦ୍ୟୁମ୍ନ ଶ୍ରୀଗୁଣ୍ଡିଚା ମନ୍ଦିରରେ ରଖିଥିଲେ । ସ୍ବୟଂ ମହାପ୍ରଭୁ ଜଣେ ବୃଦ୍ଧ ବେଶରେ ଆସି ସେହି ଦାରୁରେ ମୂର୍ତ୍ତି ପ୍ରସ୍ତୁତ କଲେ । ସର୍ତ୍ତ ଥିଲା ମୂର୍ତ୍ତି ସମ୍ପୂର୍ଣ୍ଣ ନହେବା ଯାଏଁ ଦ୍ବାର ଖୋଲାଯିବ ନାହିଁ । କିନ୍ତୁ 15 ଦିନରେ ମୂର୍ତ୍ତି ଗଢ଼ା ହେଉଥିବା ଘରୁ ଆଉ ଶବ୍ଦ ନ ଶୁଭିବାରୁ ଅଧୈର୍ଯ୍ୟ ହୋଇ ରାଣୀ ଗୁଣ୍ଡିଚା ଇନ୍ଦ୍ରଦ୍ୟୁମ୍ନଙ୍କୁ କହିବାରୁ ଦ୍ବାର ଖୋଲା ଯାଇଥିଲା । ରାଜା ଇନ୍ଦ୍ରଦ୍ୟୁମ୍ନ ଦ୍ବାର ଖୋଲି ଯାହା ଦେଖିଥିଲେ ତାହା ବିଶ୍ବାସ କରି ପାରିନଥିଲେ । ମୂର୍ତ୍ତି ନିର୍ମାଣ କରୁଥିବା ବୃଦ୍ଧ ଗୃହରେ ନ ଥିବାବେଳେ ନିକଟରେ ଅଧାଗଢା ମୂର୍ତ୍ତି ରହିଛି । ଏହାପରେ ଅଧାଗଢ଼ା ମୂର୍ତ୍ତିକୁ ନେଇ ଶ୍ରୀମନ୍ଦିରରେ ପ୍ରତିଷ୍ଠା କରାଯାଇଥିଲା । ସେହି ସମୟରେ ରାଣୀ ଗୁଣ୍ଡିଚା ମହାପ୍ରଭୁଙ୍କୁ ବର୍ଷକୁ ଥରେ ନିଜ ଜନ୍ମବେଦୀକୁ ବୁଲି ଆସିବା ପାଇଁ ନିବେଦନ କରିଥିଲେ । ରାଣୀଙ୍କ ପ୍ରାର୍ଥନା ରଖି ମହାପ୍ରଭୁ ପ୍ରତି ବର୍ଷ ତାଙ୍କ ଜନ୍ମବେଦୀ ଅର୍ଥାତ୍ ଗୁଣ୍ଡିଚା ଘରକୁ ବୁଲି ଆସନ୍ତି ।
ତେବେ ଗୁଣ୍ଡିଚା ମନ୍ଦିରରେ ଶ୍ରୀବିଗ୍ରହଙ୍କ ନିର୍ମାଣ ପରେ ସହସ୍ର ଅଶ୍ବମେଧ ଯଜ୍ଞ ଅନୁଷ୍ଠିତ ହୋଇଥିବା ହେତୁ ଗୁଣ୍ଡିଚା ମନ୍ଦିରକୁ ଯଜ୍ଞ ବେଦୀ ତଥା ଆଡ଼ପ ମଣ୍ଡପ ମଧ୍ୟ କୁହାଯାଏ । ନିଳାଦ୍ରୀ ମହୋଦୟରେ ବର୍ଣ୍ଣନା ରହିଛି ଯେ ଆଡପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କଲେ ରତ୍ନବେଦୀରେ ଦଶ ହଜାର ବର୍ଷ ଦର୍ଶନର ପୁଣ୍ୟ ପ୍ରାପ୍ତି ହୁଏ । ସେହିପରି ଗୁଣ୍ଡିଚା ମନ୍ଦିରରେ ଯେଉଁ ଅନ୍ନ ଭୋଗ ହୋଇଥାଏ ତାହାକୁ ଆଡ଼ପ ଅବଢ଼ା କୁହାଯାଏ । ତେବେ ପ୍ରତିବର୍ଷ ହଜାର ହଜାର ଭକ୍ତ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସମେତ ଆଡ଼ପ ଅବଢ଼ା ଖାଇବା ପାଇଁ ଅପେକ୍ଷାରେ ରହିଥାନ୍ତି ।