ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ । ବୈଠକରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ହୋଇଛି ଆଲୋଚନା । ରଥଯାତ୍ରାର ବିଧିବିଧାନ ସବୁ ସ୍ଥାନରେ ସମାନ କରିବାକୁ ଆଲୋଚନା ହେବା ସହ ସେବାୟତ ପିଲାଙ୍କ ପଢିବା ପାଇଁ ହେବାକୁ ଥିବା ଗୁରୁକୂଳ ଉପରେ ମଧ୍ୟ ହୋଇଛି ଆଲୋଚନା ।
ରଥଯାତ୍ରା ଦେଶ ତଥା ବିଦେଶରେ ପାଳନ ହେଉଛି । କିନ୍ତୁ ବିଧିବିଧାନରେ ହେଉନାହିଁ । ତେଣୁ ସବୁ ସ୍ଥାନରେ ସମାନ ବିଧିରେ ରଥଯାତ୍ରା ହେବାନେଇ ସରକାର ସଚେତନତା କରିବାକୁ ବୈଠକରେ ଆଲୋଚନା ହୋଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି । ସେହିପରି ସେବାୟତ ପିଲାଙ୍କ ପଢିବା ପାଇଁ ହେବାକୁ ଥିବା ଗୁରୁକୂଳ କିଭଳି ଯଥାଶୀଘ୍ର ସରିବ ସେନେଇ ମଧ୍ୟ ଆଲୋଚନା ହୋଇଛି ।
ଗୁରୁକୂଳଟି 10ରୁ 12 ଏକର ଜମିରେ ହେବ । ଆଗାମୀ ବୈଠକରେ ଏହାର ଡିଜାଇନକୁ ଅନୁମୋଦନ ଦିଆଯିବ ବୋଲି ଜଣାପଡିଛି । ସେହିପରି ଶ୍ରୀମନ୍ଦିର ପରିଚାଳନା କମିଟିର 5 ଟି ପ୍ରକଳ୍ପକୁ ସରକାର ଐତିହ୍ୟ ନଗରୀ ଯୋଜନାରେ ସାମିଲ ନେଇ ଅନୁରୋଧ କରାଯିବ ବୋଲି ବୈଠକରେ ଆଲୋଚନା ହୋଇଛି । ଏଥିରେ ରଥଦାଣ୍ଡ ପ୍ରକଳ୍ପ, ଗୁଣ୍ଡିଚା ମନ୍ଦିରର ବିକାଶ, ଜଗନ୍ନାଥ ବଲ୍ଲବ ମଠରେ ଏକ ପ୍ରମୋଦ ଉଦ୍ୟାନ ପ୍ରମୁଖ ପ୍ରକଳ୍ପ ରହିଛି।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ ଅନ୍ୟପଟେ ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ ସହ ବିଭିନ୍ନ ମଠର ବିକାଶ ନେଇ ଆଲୋଚନା ହୋଇଛି। ସେପଟେ ଆଜି(ଶୁକ୍ରବାର) ସନ୍ଧ୍ୟାରେ ଶ୍ରୀମନ୍ଦିର ସଂସ୍କାର ନେଇ ଆମିକସକ୍ୟୁରୀ ପୁରୀ ପହଞ୍ଚିବେ। ଆମିକସକ୍ୟୁରୀଙ୍କ ନିକଟରେ ଶ୍ରୀମନ୍ଦିରର ସଂସ୍କାର ବ୍ୟବସ୍ଥା ନେଇ ପ୍ରଶାସନ ପକ୍ଷରୁ ହୋଇଥିବା ବ୍ୟବସ୍ଥା ସମ୍ପର୍କରେ ତଥ୍ୟ ଅବଗତ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ