ପୁରୀ :ଆସନ୍ତାକାଲି (ଶୁକ୍ରବାର) ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ହେବ । ଏହି କ୍ରମରେ ପୁରୀ ଜିଲ୍ଲା ନିମାପଡା ଓ ଗୋପ ବ୍ଲକରେ ହେବ ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ନିମାପଡା ବ୍ଲକର ୩୨ଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ, ୪୮୧ ଟି ଓ୍ବାର୍ଡ ଏବଂ ୪ଟି ଜିଲ୍ଲା ପରିଷଦ ଜୋନ ପାଇଁ ମତଦାନ କରାଯିବ ।
ସେହିପରି ଗୋପ ବ୍ଲକର ୩୧ଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ୪୫୯ଟି ୱାର୍ଡ ଏବଂ ୪ଟି ଜିଲ୍ଲା ପରିଷଦ ଜୋନ ନିମନ୍ତେ ଭୋଟ ଗ୍ରହଣ କରାଯିବ । ଏହି ଦୁଇଟି ବ୍ଲକରେ ସମୁଦାୟ ୩୦୩୫୨୭ ଜଣ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ଉଭୟ ବ୍ଲକରେ ୨୧୯ଟି ସମ୍ବେଦନଶୀଳ ମତଦାନ କେନ୍ଦ୍ର ଥିବାରୁ ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା କହିଛନ୍ତି ପୁରୀ ଏସପି କନୱର ବିଶାଳ ସିଂ।
ତେବେ ଆସନ୍ତାକାଲି ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ମତଦାନ ସମୟ ଥିବାରୁ ପୋଲିଂ ଦଳ ଆଜି(ଗୁରୁବାର) ନିଜ ନିଜ ବୁଥ ମାନଙ୍କରେ ପହଞ୍ଚି ସମସ୍ତ ପ୍ରସ୍ତୁତି କରିଛନ୍ତି। ନିମାପଡା ପାଇଁ ୩୩ ଜଣ ଏବଂ ଗୋପ ବ୍ଲକ ପାଇଁ ୩୦ ଜଣ ସେକ୍ଟର ଅଫିସର ନିୟୋଜିତ ହୋଇଛନ୍ତି। ଗୋପ ପଞ୍ଚାୟତର ୩ ନମ୍ବର ଓ୍ବାର୍ଡ ସହ ନିମାପଡା ତେରୁଣ୍ଡିଆ ପଞ୍ଚାୟତର ୧୬ ନମ୍ବର ୱାର୍ଡକୁ ପିଙ୍କ ବୁଥ ଭାବେ ବ୍ୟବସ୍ଥା କରାଯାଇଛି ।