ପୁରୀ:ଚର୍ଚ୍ଚାରେ ପିପିଲିର ନବନିର୍ବାଚିତ ବିଧାୟକ ରୁଦ୍ର ପ୍ରତାପ ମହାରଥୀ । କେତେବେଳେ ନିଜ ପିତାଙ୍କ ସମର୍ଥକଙ୍କୁ ଚପଲ ପିନ୍ଧାଇ ତ କେତେବେଳେ ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିବା ଲୋକଙ୍କୁ ସହାୟତାର ହାତ ବଢାଉଛନ୍ତି । ଦୁର୍ଘଟଣାର ଶିକାର ହୋଇଥିବା ଜଣେ ମହିଳାଙ୍କୁ ମାନବିକତା ଦେଖାଇ ଚର୍ଚ୍ଚା ପରିସରକୁ ଆସିଛନ୍ତି ନବନିର୍ବାଚିତ ପିପିଲି ବିଧାୟକ ରୁଦ୍ର ମହାରଥୀ। ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ଅସୁସ୍ଥ ମହିଳାଙ୍କୁ ନିଜ ଗାଡ଼ିରେ ଆଣିଲେ ମେଡିକାଲ।
ସୂଚନା ଅନୁସାରେ ଏକ ବାଇକରେ ସ୍ବାମୀ ସ୍ତ୍ରୀ ଦୁଇଜଣ ରାସ୍ତାରେ ଯିବା ବାଟରେ ବାଇକ ପଛରେ ବସିଥିବା ମହିଳାଙ୍କ ମୁଣ୍ଡ ବୁଲାଇବାରୁ ତଳେ ପଡିଯାଇଥିଲେ । ଏହାପରେ ତାଙ୍କ ସ୍ବାମୀ ତୁରନ୍ତ ମେଡିକାଲ ଆଣିବା ପାଇଁ ଆମ୍ବୁଲାନ୍ସକୁ ଫୋନ କରିଥିଲେ ମାତ୍ର ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହୋଇଥିଲା । ସେହି ସମୟରେ ବିଧାୟକ ପିପିଲି ବ୍ଲକ ଓରକଳ ପଞ୍ଚାୟତରେ ନିଜର ସରକାରୀ କାର୍ଯ୍ୟକ୍ରମ ସାରି ଫେରିବା ବାଟରେ ଏହି ଘଟଣା ଦେଖି ଗାଡିରୁ ଓହ୍ଲାଇ ଆସି ଘଟଣା ସମ୍ପର୍କରେ ବୁଝିଥିଲେ । ସଂଗେ ସଂଗେ ମହିଳା ଜଣଙ୍କୁ ସାଙ୍ଗରେ ଥିବା ନିଜର କର୍ମୀ ମାନଙ୍କ ସହଯୋଗରେ ପିପିଲି ମେଡିକାଲକୁ ଆଣି ଚିକିତ୍ସା କରିଛନ୍ତି । ଯାହାର ଭିଜୁଆଲ ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି । ନିର୍ବାଚିତ ହେବା ପରେ ଅସହାୟ ଲୋକଙ୍କ ପ୍ରତି ରୁଦ୍ର ମହାରଥୀଙ୍କ ସାହାଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି।