ପୁରୀ: ସାଧାରଣତଃ ବିଭିନ୍ନ ଭୋଜିଭାତରେ ଅନେକ ଖାଦ୍ୟ ବଳକା ରହିଯାଏ । ଏହି ଖାଦ୍ୟକୁ ଫିଙ୍ଗି ଦିଆଯାଏ ଅଥବା ପୋତି ଦିଆଯାଏ । ତେବେ ଆମ ଦେଶରେ ରାସ୍ତାକଡ଼ରେ ରହୁଥିବା ବହୁ ଗରିବ ଲୋକ ଦିନକୁ ଦୁଇ ଓଳି ଖାଦ୍ୟ ପାଇନଥାନ୍ତି । ଗରିବ ଲୋକଙ୍କୁ ପେଟ ପୁରା ଖାଦ୍ୟ ଯୋଗାଇଦେବା ପାଇଁ ପୁରୀର 'ଜନ ଜାଗରଣ ମଞ୍ଚ' ନାମକ ଏକ ସ୍ବେଚ୍ଛାସେବୀ ସଙ୍ଗଠନ ଚଳାଉଛି 'ଖାଦ୍ୟ ବଞ୍ଚାଅ ଅଭିଯାନ' । ଏହି ଅଭିଯାନ ମାଧ୍ୟମରେ ବିବାହ, ଶ୍ରାଦ୍ଧ ଆଜି ଭୋଜିରେ ବଳକା ରହୁଥିବା ଖାଦ୍ୟକୁ ଅଣାଯାଇ ପୁରୀ ରେଳଷ୍ଟେସନ, ବସ ଷ୍ଟାଣ୍ଡ, ବଡ଼ ଦାଣ୍ଡ, ସମୁଦ୍ରକୂଳ, ଫୁଟପାଥରେ ଥିବା ଗରିବ ଲୋକଙ୍କୁ ସଂଗଠନର କର୍ମକର୍ତ୍ତା ବଣ୍ଟନ କରୁଛନ୍ତି ।
ଭୋଜିରେ ହେଉଥିବା ଭାତ, ଡ଼ାଲି, ଖିରି, ଖଟା ଓ ତରକାରୀ ଭଳି ସୁସ୍ବାଦୁ ବ୍ୟଞ୍ଜନକୁ ବିନା ମୂଲ୍ୟରେ ଗରୀବ ଲୋକଙ୍କୁ ପରଷିଥାନ୍ତି ଜନ ଜାଗରଣ ମଞ୍ଚର କର୍ମକର୍ତ୍ତା । ଭୋଜିର ବଳକା ଖାଦ୍ୟକୁ ନଷ୍ଟ ନ କରି ଗରିବ ଓ ଭୋକିଲା ଲୋକଙ୍କୁ ବାଣ୍ଟିବା ନେଇ ସାଧାରଣରେ ସଚେତନତା ପାଇଁ ଏହି ମହତ କାର୍ଯ୍ୟ କରୁଛି ଏହି ସ୍ବେଚ୍ଛାସେବୀ ସଙ୍ଗଠନ । ଯେଉଁଠି ଭୋଜିରେ ଖାଦ୍ୟ ବଳକା ଥିବା ନେଇ ସୂଚନା ମିଳେ ଜନ ଜାଗରଣ ମଞ୍ଚର କର୍ମକର୍ତ୍ତା ଗାଡି ନେଇ ସେଠାରେ ପହଞ୍ଚି ଯାଇଥାନ୍ତି । ସେହି ଖାଦ୍ୟକୁ ଆଣି ବିଭିନ୍ନ ସ୍ଥାନରେ ଭୋକିଲା ଲୋକଙ୍କ ବାଣ୍ଟି ଦିଅନ୍ତି । ଗରିବ ଯାତ୍ରୀଙ୍କ ସମେତ ଫୁଟପାଥରେ ଥିବା ଭୋକିଲା ଲୋକ ମଧ୍ୟ ଏହି ସୁସ୍ବାଦୁ ଖାଦ୍ୟ ଖାଇ ବେଶ ଆନନ୍ଦିତ ହୁଅନ୍ତି ।