ପୁରୀ: ଦୀର୍ଘ 9 ମାସ ପ୍ରତିକ୍ଷାର ହେଲା ଅନ୍ତ । ଖୋଲିଲା ଶ୍ରୀମନ୍ଦିର । ମିଳିଲା ଜଗା ଦର୍ଶନ। ମହାପ୍ରଭୁଙ୍କୁ ଚର୍ମଚକ୍ଷୁରେ ଦେଖି ଭାବ ବିହ୍ବଳ ହୋଇପଡିଛନ୍ତି ଭକ୍ତ । ପ୍ରଥମ ପର୍ଯ୍ୟାୟରେ ସେବାୟତ ପରିବାର ଲୋକେ ମହାବାହୁଙ୍କ ଦର୍ଶନ କରିଛନ୍ତି । ସକାଳ ୭ ଟା ୩୦ଟାରୁ ଦର୍ଶନ ଆରମ୍ଭ ହୋଇଥିବାବେଳେ ପହୁଡ଼ ପର୍ଯ୍ୟନ୍ତ ଜଗା ଦର୍ଶନ କରିପାରିବେ ସେବାୟତ ଓ ପରିବାର । ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ତିନି ଧରି ସେବାୟତ ଓ ପରିବାର ଲୋକେ ମହାପ୍ରଭୁଙ୍କ ଦର୍ଶନ କରିବେ।
ଖୋଲିଲା ଶ୍ରୀମନ୍ଦିର , ଚର୍ମଚକ୍ଷୁରେ ମହାପ୍ରଭୁଙ୍କ ଦର୍ଶନ କଲେ ସେବାୟତ ଅନ୍ୟପଟେ 26 ତାରିଖରୁ ପୁରୀ ସହରବାସୀ ପର୍ଯ୍ୟାୟ କ୍ରମେ ମହାପ୍ରଭୁଙ୍କ ଦର୍ଶନ କରିବେ । ଏନେଇ ଏସଓପି ପ୍ରସ୍ତୁତ ହୋଇଛି। ସୂଚନା ମୁତାବକ ଜୋତା ଷ୍ଟାଣ୍ଡ ନିକଟରେ ଜୋତା ରଖି ଫଟୋ ଉଠାଇ ନିଜର ପରିଚୟପତ୍ର ଦେଖାଇ ସାନିଟାଇଜ ପରେ ଦର୍ଶନ ପାଇଁ ମନ୍ଦିରକୁ ଯିବେ । ସେହିପରି ଆସନ୍ତା ୨୬ ତାରିଖରୁ ପୁରୀବାସୀ ଜଗା ଦର୍ଶନ କରିପାରିବେ । ଏନେଇ ୱାର୍ଡ ୱାରୀ ତାଲିକା ପ୍ରସ୍ତୁତ ହୋଇଛି ।
ସେହିପରି ୨୬ ତାରିଖ ସକାଳ ୭ଟା ୩୦ମି.ରୁ ଦର୍ଶନ ଆରମ୍ଭ ହେବ । ପ୍ରଥମ ଦିନ ୨,୩,୬,୯,୧୧,୧୨,୧୫ ନମ୍ବର ୱାର୍ଡବାସୀ ଜଗା ଦର୍ଶନର ସୁଯୋଗ ପାଇବେ । ପ୍ରଥମ ଦଫା ଦର୍ଶନ ୭ ଟା ୩୦ମି.ରୁ ୧୧ଟା ୩୦ମି. ଥିବା ବେଳେ ଦ୍ଵିତୀୟ ଦଫା ୧୨ଟା ରୁ ୪ଟା ଓ ତୃତୀୟ ପର୍ଯ୍ୟାୟ ଦର୍ଶନ ୪ ଟା ୩୦ମି.ରୁ ପହୁଡ଼ ଯାଏଁ ଚାଲିବ ।
ଏହି ଅନୁସାରେ ୩୧ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ବିଭିନ୍ନ ୱାର୍ଡବାସୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିବାର ସୁଯୋଗ ପାଇବେ । ପ୍ରତି ସିଫ୍ଟରେ ପ୍ରତିହାରୀ ନିଯୋଗର ୧୫ ଜଣ ସ୍ବେଚ୍ଛାସେବୀ ନିୟୋଜିତ ହେବେ । ଭିନ୍ନକ୍ଷମଙ୍କ ପାଇଁ ଉତ୍ତରଦ୍ବାରରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ଜାନୁଆରୀ ୩ ତାରିଖ ପର ଠାରୁ ଜିଲ୍ଲା ବାହାରର ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ସାନ୍ନିଧ୍ୟ ଲାଭ କରିପାରିବେ । ସେପଟେ କୋଭିଡ୍ ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ ରହିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ