ପୁରୀ:ପିପିଲି ବିଧାନସଭା ଉପନିର୍ବାଚନ ମତଦାନ ପାଇଁ ଆସନ୍ତା ୨୮ ତାରିଖରେ ପୋଲିଂ ପାର୍ଟି ସେମାନଙ୍କ ମତଦାନ କେନ୍ଦ୍ର ଅଭିମୁଖେ ଯାତ୍ରା କରିବେ । ଏଥିପାଇଁ ପେଣ୍ଠକଟା ସ୍ଥିତ ଓ୍ବେର ହାଉସରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଜିଲ୍ଲାପାଳ ସମର୍ଥ ବର୍ମା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ପୋଲିଂ ପାର୍ଟିଙ୍କ ସୁବିଧା ପାଇଁ ୧୦ଟି କାଉଣ୍ଟରର ବ୍ୟବସ୍ଥା ରହିଛି ।
ଏହାସହ ସୂଚନା କେନ୍ଦ୍ର, ଆଶୁ ଚିକିତ୍ସା କେନ୍ଦ୍ର, ପାନୀୟ ଜଳ ଓ ଅଗ୍ନିଶମ ବ୍ୟବସ୍ଥା ମଧ୍ୟ କରାଯାଇଛି । ଆସନ୍ତା ୩୦ ତାରିଖରେ ୩୪୮ଟି ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଜାରି ରହିବ। ୨ ଲକ୍ଷ ୨୯ ହଜାର ୯୯୮ ଜଣ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ଅକ୍ଟୋବର ୩ ତାରିଖରେ ଭୋଟ ଗଣତି ହେବ । ଏ ସମଗ୍ର ନିର୍ବାଚନୀ ପ୍ରକ୍ରିୟାରେ କୋଭିଡ କଟକଣାକୁ କଡାକଡି ଅନୁପାଳନକୁ ପ୍ରାଥମିକତା ଦିଆଯାଉଛି । ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ, ସାନିଟାଇଜର ବ୍ୟବସ୍ଥା କରାଯାଇଛି ।