ଓଡିଶା

odisha

ପିପିଲି-ଡେଲାଙ୍ଗର ବିକାଶ ପାଇଁ ୬୮ କୋଟି ଟଙ୍କାର ପ୍ୟାକେଜ ଘୋଷଣା

By

Published : Feb 23, 2021, 2:03 PM IST

Updated : Feb 23, 2021, 10:35 PM IST

ନିର୍ବାଚନ ପୂର୍ବରୁ ପୁରୀ ଜିଲ୍ଲା ପିପିଲି ଓ ଡେଲାଙ୍ଗ ବ୍ଲକ ସହିତ ପିପିଲି ପୌରାଞ୍ଚଳରେ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପିପିଲିର ବିକାଶ ଦିଗରେ ଏହା ସହାୟକ ହେବ ବୋଲି କହିଛନ୍ତି ଦଳୀୟ ବିଧାୟକ । ଅଧିକ ପଢନ୍ତୁ...

BJD MEETING
ପିପିଲିରେ ପ୍ରକଳ୍ପ ଘୋଷଣା; ଦଳୀୟ ବିଧାୟକଙ୍କ ସ୍ବାଗତ

ପୁରୀ: ନିର୍ବାଚନ ପୂର୍ବରୁ ପୁରୀ ଜିଲ୍ଲା ପିପିଲି ଓ ଡେଲାଙ୍ଗ ବ୍ଲକ ସହିତ ପିପିଲି ପୌରାଞ୍ଚଳରେ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ଜରିଆରେ ପିପିଲିବାସୀଙ୍କୁ 68 କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ପିପିଲି-ଡେଲାଙ୍ଗ ଅଞ୍ଚଳର ଜନସାଧରଣଙ୍କ ସହିତ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବେରବୋଇରେ ଗାନ୍ଧିଜୀଙ୍କ ସ୍ମୃତି ପୀଠର ବିକାଶ କରାଯିବ । ଗରିବ ଲୋକଙ୍କ ମୁହଁରେ ହସ ମୋତେ ସବୁଠାରୁ ଅଧିକ ସନ୍ତୋଷ ଦେଇଥାଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ପିପିଲି-ଡେଲାଙ୍ଗର ବିକାଶ ପାଇଁ ୬୮ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଚଳିତ ବର୍ଷ ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ୧୦୦ ବର୍ଷ ପାଳନ କରୁଛି । ମାର୍ଚ୍ଚ ୨୩ ତାରିଖ ୧୯୨୧ରେ ଗାନ୍ଧୀଜୀ ପ୍ରଥମେ ଓଡିଶା ଆସିଥିଲେ । ୧୯୩୮ରେ ସେ ଡେଲାଙ୍ଗର ବେରବୋଇ ଆସିଥିଲେ ଏବଂ ଏଠାରେ କୃଷି ଓ ଗ୍ରାମୋଦ୍ୟୋଗର ପ୍ରଦର୍ଶନୀରେ ଭାଗ ନେଇଥିଲେ । ଗାନ୍ଧୀଜୀଙ୍କ ଆଦର୍ଶ ସବୁବେଳେ, ବିଶେଷ କରି ବର୍ତ୍ତମାନ ସମୟରେ ଆମ ପାଇଁ ଖୁବ ଜରୁରୀ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ଜରିଅରେ ପିପିଲି-ଡେଲାଙ୍ଗ ଅଞ୍ଚଳର ଜନସାଧରଣଙ୍କ ସହ ଆଲୋଚନା କରିବା ଅବସରରେ ଏହା କହିଛନ୍ତି । ବେରବୋଇରେ ଏକ ଆଦର୍ଶ ବିଦ୍ୟାଳୟ ତଥା ଗାନ୍ଧିଜୀଙ୍କ ସ୍ମୃତି ପୀଠର ବିକାଶ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପିପିଲି- ଡେଲାଙ୍ଗ ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୬୮ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଘୋଷଣା କରିଛନ୍ତି । ଏଥିରେ ରାସ୍ତାଘାଟ ଠାରୁ ଆରମ୍ଭ କରି ଜଳସେଚନ, ଷ୍ଟାଡିୟମ, ସେତୁ, ବସଷ୍ଟାଣ୍ଡ ଆଦି ବିଭିନ୍ନ ବିକାଶ କାମ କରାଯିବ ।

ପିପିଲି-ଡେଲାଙ୍ଗର ବିକାଶ ପାଇଁ ୬୮ କୋଟି ଟଙ୍କାର ପ୍ୟାକେଜ ଘୋଷଣା

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେ ସବୁବେଳେ ଗାଁର ବିକାଶ ଉପରେ ଫୋକସ୍ କରିଆସିଛନ୍ତି । ମହିଳା ଓ ଚାଷୀ ଭାଇଙ୍କ କଲ୍ୟାଣ ଉପରେ ଫୋକସ୍ କରିଆସିଛନ୍ତି । ଗରିବ ଲୋକଙ୍କ ମୁହଁରେ ହସ ହିଁ ତାଙ୍କୁ ସବୁଠାରୁ ଅଧିକ ସନ୍ତୋଷ ଦେଇଥାଏ ବୋଲି ସେ କହିଥିଲେ । କରୋନା ଲକ୍ଡାଉନ ସମୟରେ ମିଶନଶକ୍ତି ଓ ଚାଷୀଭାଇଙ୍କ କାର୍ଯ୍ୟକ୍ରମକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହି ସମୟରେ ଆମର ମିଶନ ଶକ୍ତିର ମା’ ମାନେ ବହୁତ ଭଲ କାମ କରିଛନ୍ତି । ଆମର ଚାଷୀ ଭାଇମାନେ ମଧ୍ୟ ଲକଡାଉନ ସମୟରେ କରୋନାକୁ ଭୟ ନ ଲକରି ଚାଷ କାମ ଜାରି ରଖିଥିଲେ । ଚାଷୀ ଭାଇର ପରିଶ୍ରମ ଯୋଗୁ ଦେଶର ଅର୍ଥନୀତି ଆଜି ବଞ୍ଚି ରହିଛି ବୋଲି ସେ ପ୍ରକାଶ କରିଥିଲେ ।

ପୂର୍ବତନ ମନ୍ତ୍ରୀ ତଥା ପିପିଲି-ଡେଲାଙ୍ଗ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସ୍ୱର୍ଗତଃ ପ୍ରଦୀପ ମହାରଥୀଙ୍କ ସ୍ମୃତି ଚାରଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଦୁଃଖର କଥା, ଆପଣଙ୍କର ପ୍ରିୟ ବିଧାୟକ ପ୍ରଦୀପ ବାବୁ ଆଜି ଆମ ଭିତରେ ନାହାନ୍ତି । ଗତ ୩୦ ବର୍ଷରୁ ଅଧିକ ସମୟ ଧରି ପିପିଲି-ଡେଲାଙ୍ଗର ବିକାଶ ସହ ସେ ଯୋଡି ହୋଇ ରହିଥିଲେ । ଆପଣମାନଙ୍କ ଭଲମନ୍ଦ, ସୁଖଦୁଃଖ ସବୁଥିରେ ସେ ଆପଣମାନଙ୍କ ସାଥିରେ ରହିଥିଲେ । ପିପିଲି-ଡେଲାଙ୍ଗର ବିକାଶ ପାଇଁ ସେ ସାରା ଜୀବନ କାମ କରିଯାଇଛନ୍ତି। ଏହି ଅବସରରେ ପ୍ରଦୀପ ମହାରଥୀଙ୍କ ସ୍ମୃତି ପ୍ରତି ସେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିକାଶ ଉପରେ ସମସ୍ତଙ୍କର ଅଧିକାର ରହିଛି । ବିଶେଷକରି ଗରିବ ଲୋକମାନଙ୍କର ବିକାଶ ଉପରେ ପ୍ରଥମ ଅଧିକାର ରହିଛି । ବିକାଶର ସୁଫଳ ସମସ୍ତଙ୍କ ପାଖରେ ପହଞ୍ଚାଇବା ଏବଂ ସାଧାରଣ ଲୋକକୁ ତାର ହକ୍‌ ଦେବା ପାଇଁ ସେ କାମ କରୁଛନ୍ତି ଓ କରିଚାଲିବେ ବୋଲି କହିଥିଲେ । ଲୋକସେବା ଭବନରୁ କାର୍ଯ୍ୟକ୍ରମରେ ଯୋଗ ଦେଇ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ସମଗ୍ର ପୁରୀ ଜିଲ୍ଲାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ମୁଖ୍ୟମନ୍ତ୍ରୀ ନେଇଥିବା ପଦକ୍ଷେପର ଉଚ୍ଚ ପ୍ରଶଂସା କରିଥିଲେ ।

ଏହି ଅବସରରେ ପିପିଲି ଓ ଡେଲାଙ୍ଗ ଦୁଇଟି ସ୍ଥାନରେ ସଭାର ଆୟୋଜନ କରାଯାଇଥିଲା । ପିପିଲିଠାରେ ଆୟୋଜିତ ସଭାରେ ଉଦ୍‌ବୋଧନ ଦେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପିପିଲି ସମେତ ସମଗ୍ର ପୁରୀ ଜିଲ୍ଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନେଇଥିବା ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଡେଲାଙ୍ଗଠାରେ ଆୟୋଜିତ ସମାବେଶରେ ଯୋଗଦେଇ କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ପୁରୀ ଜିଲ୍ଲାର ବିକାଶରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି ବୋଲି କହିଥିଲେ । ଶ୍ରୀମନ୍ଦିରର ବିକାଶ ପୁରୀ ଜିଲ୍ଲା ପାଇଁ ଆହୁରି ଅଧିକ ପର୍ଯ୍ୟଟକ ଆକୃଷ୍ଟ କରିବ ବୋଲି ସେ କହିଥିଲେ ।

ପିପିଲିଠାରେ ୧୭୬୧ ଜଣଙ୍କୁ ରାସନ କାର୍ଡ, ୩୦୫୯ ଜଣଙ୍କୁ ଭତ୍ତା ଏବଂ ଭିନ୍ନକ୍ଷମ ମାନଙ୍କୁ ସହାୟତା ପ୍ରଦାନ କରାଯାଇଥିଲା । ସେହିପରି ଡେଲାଙ୍ଗଠାରେ ୩୨୦ ଜଣଙ୍କୁ ରାସନ କାର୍ଡ, ୧୨୩୦ ଜଣଙ୍କୁ ଭତ୍ତା ଏବଂ ୨୦ ଜଣ ଭିନ୍ନକ୍ଷମଙ୍କୁ ଟ୍ରାଇ ସାଇକେଲ ବଣ୍ଟନ କରାଯାଇଥିଲା । ପିପିଲି ବଡକଣ୍ଟି ଗ୍ରାମର ହିତାଧିକାରୀ ପ୍ରମୋଦିନୀ ମାଝୀ ଏବଂ ଡେଲାଙ୍ଗର ପ୍ରମୋଦ ଭୋଇ ହିତାଧିକାରୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭି କେ ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । ପୁରୀ ଜିଲ୍ଲାପାଳ ସ୍ୱାଗତ ଭାଷଣ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୁରୀ ସାଂସଦ ପିନାକୀ ମିଶ୍ର, ବିଧାୟକ ପ୍ରଣବ ପ୍ରକାଶ ଦାସ, ପ୍ରତାପ କେଶରୀ ଦେବ, ଉମାକାନ୍ତ ସାମନ୍ତରାୟ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ବରିଷ୍ଠ ଅଧିକାରୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ପିପିଲି-ଡେଲାଙ୍ଗ ନିର୍ବାଚନ ମଣ୍ଡଳୀର ବିକାଶ ସମ୍ପର୍କୀତ ଏକ ଭିଡିଓ ମଧ୍ୟ ପ୍ରଦର୍ଶିତ ହୋଇଥିଲା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Feb 23, 2021, 10:35 PM IST

ABOUT THE AUTHOR

...view details