ପୁରୀ: ଆଉ ମାତ୍ର କିଛି ଘଣ୍ଟାର ପ୍ରତିକ୍ଷା। ରାତି ପହିଲେ ନୂଆ ବର୍ଷ। ନୂତନ ବର୍ଷରେ ମହାପ୍ରଭୁଙ୍କ ଆଶୀର୍ବାଦ ପାଇଁ ଶ୍ରୀକ୍ଷେତ୍ରକୁ ଛୁଟିବ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ । ଏଣୁ ଶୃଙ୍ଖଳିତ ଦର୍ଶନ ସହିତ ଠାକୁରଙ୍କ ନୀତିକାନ୍ତି କିଭଳି ଶୃଙ୍ଖଳିତ ହେବ ଏବଂ ମହାପ୍ରସାଦ ପାଇବେ ସେନେଇ ଶ୍ରୀମନ୍ଦିରରେ ନୀତିକାନ୍ତି ଚୂଡାନ୍ତ ହୋଇଛି।
ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ,ଶୃଙ୍ଖଳିତ ଦର୍ଶନ ପାଇଁ ନୀତିକାନ୍ତି ଚୂଡାନ୍ତ ଆଜି ରାତି 10ଟା ସୁଧା ମହାପ୍ରଭୁଙ୍କ ପହୁଡ଼ ନୀତି ସାରିବାକୁ ନିଷ୍ପତି ହୋଇଛି। ନୂତନ ବର୍ଷ ଜାନୁଆରୀ 1 ତାରିଖ ରାତି 1ଟାରୁ ମହାପ୍ରଭୁଙ୍କ ଦ୍ବାର ଫିଟା ହେବ। ପରେ ମଙ୍ଗଳ ଆଳତି, ଅବକାଶ,ତଡପ ଲାଗି ,ଦ୍ବାର ପାଳପୂଜା ସହିତ ଅନ୍ୟାନ୍ୟ ନିତିକାନ୍ତି ଅନୁଷ୍ଠିତ ହେବ।
ଆସନ୍ତାକାଲି ସକାଳ 11ଟାରେ ଭୋଗ ମଣ୍ଡପ ଉଠିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏହା ଫଳରେ ପ୍ରଭୁଙ୍କ ଦର୍ଶନ ସମେତ ଅବଢା ମଧ୍ୟ ଶୀଘ୍ର ଭକ୍ତ ମାନେ ପାଇ ପାରିବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସାରିଥିବା ବରିଷ୍ଠ ସେବାୟତ ପ୍ରକାଶ କରିଛନ୍ତି।
ଅନ୍ୟପଟେ ନୂଆ ବର୍ଷ ପାଇଁ ସଜେଇ ହେଉଛି ପୁରୀ ସହର, ସଜେଇ ହେଉଛି ସିଂହଦ୍ବାର। ଆଉ ମାତ୍ର କେଇ ଘଣ୍ଟା ପରେ ନୂଆବର୍ଷ ଥିବା ବେଳେ ନବନିର୍ମିତ ସେଡକୁ ଫୁଲରେ ସଜାଯାଇଛି। ଏପରିକି ଭକ୍ତ ମାନଙ୍କ ମନରେ ଆଧ୍ୟାତ୍ମିକ ଭାବ ସୃଷ୍ଟି କରିବା ପାଇଁ ସାଉଣ୍ଡ ବକ୍ସ ଲଗାଯାଇଛି । ଏଥିରେ ଭକ୍ତିପୂର୍ଣ୍ଣ ଭଜନ ଜଗନ୍ନାଥଷ୍ଟକ ବାଜୁଛି। ସେହିଭଳି ଭକ୍ତମାନଙ୍କ ଉପରେ ନଜର ରଖିବା ପାଇଁ ଅତ୍ୟାଧୁନିକ ସିସି କ୍ୟାମେରା ଲଗାଯାଇଛି। ପୁରୀକୁ ନୂଆ ରୂପ ଦେବା ପାଇଁ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରୟାସ କରାଯାଉଥିବା ବେଳେ ସିଂହଦ୍ବାର ସମ୍ମୁଖ ପ୍ରାଚୀର କଡ଼ରେ ସବୁଜିମା ସୃଷ୍ଟି କରାଯାଇଛି ।
ସେହିପରି ନୂଆ ସେଡ ବ୍ୟାରିକେଡରେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକ ଯିବା ଆସିବା ଓ ବିଶ୍ରାମ ନେବା ନେଇ ବ୍ୟବସ୍ଥା ହୋଇଛି। ବ୍ୟାରିକେଡ ନିକଟରେ ପାଦ ଧୋଇବା ନେଇ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ରାତିରେ ସିଂହ ଦ୍ବାର ଝଲସିବା ନେଇ ଆଲୋକର ବ୍ୟବସ୍ଥା ହୋଇଛି।
ବଡ଼ଦାଣ୍ଡରେ ଝୋଟି ଚିତା ସମେତ ବିଭିନ୍ନ ରଙ୍ଗରେ ଚିତ୍ର କରାଯାଇ ଆକର୍ଷଣୀୟ କରାଯାଇଛି। ନାନା ରଙ୍ଗର ଫୁଲ ଗଛ ଓ ବିଭିନ୍ନ ଗଛ ଶ୍ରୀମନ୍ଦିର ସିଂହ ଦ୍ବାର ସମ୍ମୁଖ ସମେତ ମେଘନାଦ ପାଚେରୀ, ବଡ଼ ଦାଣ୍ଡ, ବ୍ୟାରିକେଡରେ ଲଗାଯାଇଛି। ସୌନ୍ଦର୍ଯ୍ୟ କରଣ ଯୋଗୁ ଅନେକ ପର୍ଯ୍ୟଟକ ଏହାକୁ ପ୍ରଶଂସା କରିଛନ୍ତି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ