ଓଡିଶା

odisha

ETV Bharat / city

ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ମାର୍ଗ କାର୍ଯ୍ୟ ପାଇଁ ମାପଚୁପ ଆରମ୍ଭ - parikrama project in puri

ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ମାର୍ଗ କାର୍ଯ୍ୟ ନେଇ ଆରମ୍ଭ ହୋଇଛି ମାପଚୁପ । ଟାଟା କମ୍ପାନୀ ଓ ଓବିସିସି ପକ୍ଷରୁ ମିଳିତ ଭାବେ ମାପଚୁପ କରାଯାଇଛି । କାର୍ଯ୍ୟ ପାଇଁ

ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ମାର୍ଗ କାର୍ଯ୍ୟ ପାଇଁ ମାପଚୁପ ଆରମ୍ଭ
ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ମାର୍ଗ କାର୍ଯ୍ୟ ପାଇଁ ମାପଚୁପ ଆରମ୍ଭ

By

Published : Dec 3, 2021, 10:45 PM IST

ପୁରୀ: ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ମାର୍ଗ କାର୍ଯ୍ୟ ନେଇ ଆରମ୍ଭ ହୋଇଛି ମାପଚୁପ । ଟାଟା କମ୍ପାନୀ ଓ ଓବିସିସି ପକ୍ଷରୁ ମିଳିତ ଭାବେ ମାପଚୁପ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଉତ୍ତର ପାର୍ଶ୍ବ ମଠ ପାଖରେ ଥିବା ଐଶାନ୍ୟ କୋଣରେ ହେବ କ୍ଲକ ରୁମ୍ । ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ କାର୍ଯ୍ୟ ଆରମ୍ଭ ହେବ। ପରିକ୍ରମା ମାର୍ଗ କାର୍ଯ୍ୟ ପାଇଁ ଆବଶ୍ୟକ ଥିବା ଖଣ୍ଡେଲାଇଟ ପଥର ମଧ୍ୟ ପୁରୀରେ ପହଞ୍ଚି ସାରିଛି । ତେବେ କାର୍ଯ୍ୟ ଆରମ୍ଭ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ଏହାକୁ ସ୍ବାଗତ କରିଛନ୍ତି ମଠ ମହନ୍ତ ଓ ସେବାୟତ।

ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ମାର୍ଗ କାର୍ଯ୍ୟ ପାଇଁ ମାପଚୁପ ଆରମ୍ଭ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ହେବା ପରେ ଆଜିଠାରୁ ଏହାର କାର୍ଯ୍ୟ ଆରମ୍ଭ ହୋଇଛି। ଶ୍ରୀମନ୍ଦିର ଉତ୍ତର ପାର୍ଶ୍ବ ମଠ ସମ୍ମୁଖ ସ୍ଥାନରେ ମାପଚୁପ ଆରମ୍ଭ ହୋଇଛି । ପରିକ୍ରମା ପ୍ରକଳ୍ପର କାର୍ଯ୍ୟଭାର ନେଇଥିବା ଟାଟା କମ୍ପାନୀ ଓ ଓବିସିସିର ଅଧିକାରୀ ଉପସ୍ଥିତ ରହି ମାପଚୁପ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଉତ୍ତର ପାର୍ଶ୍ଵ ମଠ ସମ୍ମୁଖରେ କ୍ଲକ ରୁମ୍ ନିର୍ମାଣ ହେବ । ଏହି କ୍ଲକ ରୁମ୍‌ରେ ଶ୍ରୀମନ୍ଦିର ଦର୍ଶନରେ ଆସୁଥିବା ଭକ୍ତମାନେ ନିଜର ଜିନିଷ ପତ୍ର ସୁରକ୍ଷିତ ଭାବେ ରଖିପାରିବେ । ପରେ ପଶ୍ଚିମ ଦ୍ଵାର ଓ ଦକ୍ଷିଣ ଦ୍ଵାରରେ ମଧ୍ୟ ଆଉ ଦୁଇଟି କ୍ଲକ୍‌ ରୁମ୍ ନିର୍ମାଣ ହେବ । କ୍ଲକ୍‌ରୁମ୍ ନିର୍ମାଣ ପାଇଁ ଆଜି ଐଶାନ୍ୟ କୋଣରେ ମାପଚୁପ ଆରମ୍ଭ ହୋଇଥିବା ବେଳେ ଏହି କାର୍ଯ୍ୟ ୩ ମାସ ମଧ୍ୟରେ ଶେଷ କରାଯିବ ବୋଲି କହିଛନ୍ତି ଓବିସିସି ଅଧିକାରୀ।


ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପରେ ଲାଗିବାକୁ ଥିବା ଖଣ୍ଡେଲାଇଟ ପଥର ପୁରୀ ମଙ୍ଗଳାଘାଟ ସମଙ୍ଗ ଠାରେ ପହଞ୍ଚି ସାରିଥିବା ବେଳେ ଏହି ପଥରକୁ କଳିଙ୍ଗ କଳା ସ୍ଥାପତ୍ୟ ଶୈଳୀରେ ନିର୍ମାଣ କରାଯିବ। ଏହି ପ୍ରକଳ୍ପରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସୁରକ୍ଷା କରିଡର ସହ ସବୁଜ ବଳୟ ସୃଷ୍ଟି ଏବଂ ସୌନ୍ଦର୍ଯ୍ୟକରଣ କରାଯିବ। ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଭକ୍ତଙ୍କ ପରିକ୍ରମା ପାଇଁ ଅନ୍ତଃ ଓ ବାହ୍ୟ ପ୍ରଦକ୍ଷିଣ ପଥ ରହିବ । ଚତୁଃପାର୍ଶ୍ୱରେ ଥିବା ମଠ ଏବଂ ମନ୍ଦିର ଗୁଡ଼ିକର ପୁନଃବିକାଶ କରାଯିବ। ରଥଯାତ୍ରା ଏବଂ ଅନ୍ୟ ଯାନିଯାତ୍ରା ସମୟରେ ବ୍ୟବହାର ପାଇଁ ସ୍ୱତନ୍ତ୍ର ପ୍ରଦକ୍ଷିଣ ପଥ ରହିବ। ଭକ୍ତଙ୍କ ସାମଗ୍ରୀ ରଖିବା ପାଇଁ ୫୦୦ ବର୍ଗମିଟର ପରିମିତ କ୍ଷେତ୍ରରେ ଗୃହ ନିର୍ମାଣ ସହ ଦକ୍ଷିଣ ଓ ପଶ୍ଚିମ ଦ୍ଵାରରେ କ୍ଷୁଦ୍ର ସାମଗ୍ରୀ ରଖିବା ଗୃହ ରହିବ।

ଭକ୍ତଙ୍କ ପାଇଁ ସମସ୍ତ ଦ୍ଵାରରେ ସୂଚନା ଓ ଦାନକେନ୍ଦ୍ର ସହ ସେବାୟତ ତଥା ପୁରୁଷ ଏବଂ ମହିଳା ଭକ୍ତଙ୍କ ପାଇଁ ସ୍ଵତନ୍ତ୍ର ଶୌଚାଳୟର ବ୍ୟବସ୍ଥା, ତୀର୍ଥଯାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ଆରକ୍ଷୀ ସେବାକେନ୍ଦ୍ର, ପାନୀୟ ଜଳ, ପ୍ରାଥମିକ ଚିକିତ୍ସା କେନ୍ଦ୍ର ଏବଂ ATM ଆଦିର ବ୍ୟବସ୍ଥା, ଶ୍ରୀମନ୍ଦିର ପ୍ରଶାସନ ମୁଖ୍ୟ କାର୍ଯ୍ୟାଳୟର ପୁନଃବିକାଶ, ଏକାସାଙ୍ଗରେ ୬୦୦୦ ଭକ୍ତଙ୍କ ସୁବିଧା ପାଇଁ ଅଭ୍ୟର୍ଥନା ପ୍ରକୋଷ୍ଠ, ପଶ୍ଚିମ ଓ ଦକ୍ଷିଣ ପାର୍ଶ୍ୱରେ ଭକ୍ତଙ୍କ ପାଇଁ ଆଶ୍ରୟସ୍ଥଳୀ ରହିବ। ଏହି ପ୍ରକଳ୍ପ ନିର୍ମାଣ ପାଇଁ ୩୩୧ କୋଟି ୨୮ ଲକ୍ଷ ଟଙ୍କାର ଟେଣ୍ଡର ହୋଇଛି । ଟାଟା ପ୍ରୋଜେକ୍ଟକୁ ଏହି ପ୍ରକଳ୍ପର ଟେଣ୍ଡର ଦିଆଯାଇଥିବା ବେଳେ ଖୁବଶୀଘ୍ର ଏହି ପରିକ୍ରମା ପ୍ରକଳ୍ପର କାର୍ଯ୍ୟ ଶେଷ ହେବ ବୋଲି ମଠ ମହନ୍ତ ଓ ସେବାୟତ ଆଶା ରଖିଛନ୍ତି ।


ଗତ ୨୪ ତାରିଖରେ ଗଜପତି ମହାରାଜା ଦିବ୍ୟସିଂହ ଦେବ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ କରିଥିଲେ। ତେବେ ଆଜି ଐଶାନ୍ୟ କୋଣରେ ଟାଟା ଓ ଓବିସିସି ପକ୍ଷରୁ ମାପଚୁପ ଚାଲିଥିବା ବେଳେ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ, ଟାଟା ଓ ଓବିସିସିର ଅଧିକାରୀ ମାନେ ଉପସ୍ଥିତ ଥିଲେ ।



ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details