ଓଡିଶା

odisha

ETV Bharat / city

ନବାଙ୍କ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ତିନି ଠାକୁର

ଏକ ମାସ ଧରି ଚାଲିଥିବା ପହିଲି ଭୋଗ ନୀତିର ଆଜି (ମଙ୍ଗଳବାର) ଶେଷ ଦିନ। ସେପଟ ମହାପ୍ରଭୁ ନବାଙ୍କ ବେଶରେ ଭକ୍ତଙ୍କୁ ଦେଉଛନ୍ତି ଦର୍ଶନ । ପହିଲି ଭୋଗର ଶେଷ ଦିନରେ ହଜାର ହଜାର ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଆସନ୍ତାକାଲି ମକର ସଂକ୍ରାନ୍ତି ନୀତି ଥିବାରୁ ଶ୍ରୀମନ୍ଦିରକୁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ମକର ମାଳ ଓ ମକର ତାଡ଼ ନିଆଯାଇଛି ।

By

Published : Jan 14, 2020, 8:37 PM IST

nabanka-besa
nabanka-besa

ପୁରୀ: ଶ୍ରୀମନ୍ଦିରରେ ଆଜି (ମଙ୍ଗଳବାର) ମହାପ୍ରଭୁଙ୍କ ନବାଙ୍କ ବେଶ । ସେପଟେ ମାସେ ଧରି ଚାଲିଥିବା ପହିଲି ଭୋଗ ନୀତି ବି ଶେଷ ଦିନରେ । ପହିଲି ଭୋଗର ଶେଷ ଦିନରେ ହଜାର ହଜାର ଭକ୍ତ ଆଜି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଆସନ୍ତାକାଲି ମକର ସଂକ୍ରାନ୍ତି ନୀତି ଥିବାରୁ ଶ୍ରୀମନ୍ଦିରକୁ ଆଜି ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ମକର ମାଳ ଓ ମକର ତାଡ଼ ନିଆଯାଇଛି । ପ୍ରତିବର୍ଷ ମକର ସଂକ୍ରାନ୍ତି ପୂର୍ବଦିନ ନବାଙ୍କ ନୀତି ଅନୁଷ୍ଠିତ ହୋଇଥାଏ। ନବାଙ୍କ ଉପଲକ୍ଷେ ଆଜି ଶ୍ରୀମନ୍ଦିରରେ ଫୁଲ ମେଲାଣ ନୀତି ଅନୁଷ୍ଠିତ ହୋଇଯାଇଛି ।

ନବାଙ୍କ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ତିନି ଠାକୁର

ବଡ଼ଓଡ଼ିଆ ମଠରେ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ବିରାଟ ମାଳକୁ ଶ୍ରୀମନ୍ଦିର ନିଆଯାଇଥିଲା। ମାଳିମାନେ ବାଘମୁହାଁ ବାନ୍ଧି ମାଳ, ଚୂଳ, ଜଳକବରମାନ ଘେନି ପଟୁଆରରେ ଘଣ୍ଟ, ଛତା, କାହାଳି ଆଦି ସହ ବଡ଼ଦେଉଳକୁ ଯାଇଥିଲେ । ବଡ଼ଦେଉଳ ବେଢ଼ାରେ ପ୍ରଦକ୍ଷଣ କରି ବେହରଣ ଦ୍ବାରଠାରେ ମହାପ୍ରଭୁଙ୍କ ବେଶ ପାଇଁ ପାଳିଆ ଖୁଣ୍ଟିଆଙ୍କୁ ମାଳ, ଚୂଳ ଆଦି ଦେଇଥିଲେ । ସନ୍ଧ୍ୟା ଆଳତି ବେଶରେ ଏହି ମାଳଗୁଡିକ ମହାପ୍ରଭୁଙ୍କ ଲାଗି ହୋଇଥିଲା।

ଚନ୍ଦନଲାଗି ବଢ଼ିବା ପରେ ଭୋଗମଣ୍ଡପ ଘର ଧୋପଖାଳ ହୋଇ ଚାନ୍ଦୁଆ ବନ୍ଧାଯାଇଥାଏ। ଭଦ୍ରାସନ ଉପରେ ମୁରୁଜ ପକାଯିବା ପରେ ତିନିଗୋଟି ବାଉଁଶିଆରେ ଚାଉଳ ଭର୍ତ୍ତି କରି ରଖାଯାଇଥିଲା । ସେଥିରେ ଫୁଲ, ଚନ୍ଦନ, ଦିଆଯାଇ ଅଧିବାସ କରା ଯାଇଥାଏ । ପରେ ବଡ଼ସିଂହାର ବେଶରେ ମହାପ୍ରଭୁଙ୍କ ନବାଙ୍କ ବେଶ ଅନୁଷ୍ଠିତ ହୋଇଥାଏ। ଏହି ଉପଲକ୍ଷେ ଆଜି ଆଲାମଚଣ୍ଡୀ ମନ୍ଦିରରୁ ୫ଟି ମକର ତାଡ଼ ଆସିବାର ପରମ୍ପରା ରହିଛି। ଆସନ୍ତାକାଲି ମକର ସଂକ୍ରାନ୍ତିରେ ଏହି ତାଡ଼ରେ ମକର ଚାଉଳ ଭୋଗ କରାଯିବାର କାର୍ଯ୍ୟକ୍ରମ ରହିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details