ପୁରୀ: କଳା ଶ୍ରୀମଖକୁ, ନାଲି ଅଧର, ପାଟ ବସନକୁ ଚକା ନୟନ ହଲି ଝୁଲି ଯେବେ କରେ ପହଣ୍ଡି, ଭାବରେ ବଡ ଦାଣ୍ଡ ବୁଡଇ । ଆସ ମହାପ୍ରଭୁ ଆସ, ଜାତି, ଧର୍ମ, ଛୁଆଁ-ଅଛୁଆଁ ଯେତେ ଭେଦ-ଭାବ ଅଛି ସବୁକୁ ଛିନ୍ନ କରି ଚକା ଆଖିରେ ଅପେକ୍ଷାରତ ଏ ଆଖି ହଳକକୁ ମିଶାଇ ଦିଅ । ଚାତକ ପ୍ରାୟ ଏ ନୟନର ଅପେକ୍ଷାରେ ପୂର୍ଣ୍ଣଚ୍ଛେଦଟିଏ ଟାଣିଦିଅ ଆଉ ପାପରେ ଜୁଡୁବୁଡୁ ଶରୀରକୁ ମୁକ୍ତ କର ପ୍ରଭୁ ମୁକ୍ତ କର । ଏହି ଭାବରେ ଶ୍ରୀମନ୍ଦିରର ଗଗନ-ପବନରେ ଗୁଞ୍ଜରିତ ହେଉଛି ଜୟ ଜଗନ୍ନାଥ, ଜୟ ଜଗନ୍ନାଥ ଧ୍ବନି ।
ସ୍ବର୍ଗୀୟ ଅନୁଭବ, ଅଦୃଶ୍ୟ ସମ୍ପର୍କର ମିଳନର ଏ ଯାତ୍ରା ହେଉଛି ଘୋଷଯାତ୍ରା । ସ୍ବର୍ଗ, ମର୍ତ୍ତ୍ୟ, ଆକାଶ ପାତାଳର ବାସୀ ଚାହିଁ ରହିଥାନ୍ତି ଏହି ଯାତକୁ । ନୀତିକାନ୍ତି ଅନୁସାରେ ରଥଯାତ୍ରା ଦିନ ଭୋରରୁ ଆଳତୀ ଅବକାଶ ପରେ ତିନିବାଡିଆରେ ଠାକୁରଙ୍କ ଦୈନନ୍ଦିନ ବେଶ ହୁଏ । ସକାଳେ ସୂର୍ଯ୍ୟ ପୂଜା ଓ ଦ୍ବାରପାଳ ପୂଜା ତଥା ଅନ୍ୟାନ୍ୟ ନୀତିକାନ୍ତି ପରେ ପାଳିଆ ଖୁଣ୍ଟିଆ ମଣିମା ଡାକ ଦିଅନ୍ତି । ପଣ୍ଡା, ପରିହାରିଙ୍କ ଗହଣରେ ହଲି-ଝୁଲି ପହଣ୍ଡି କରି ରଥାରୂଢ ହୁଅନ୍ତି ତିନି ଠାକୁର ।
ମହାପ୍ରଭୁଙ୍କର ଏହି ଯାତ୍ରା ହେଉଛି ଗୋଟିଏ କିନ୍ତୁ ଏହାର ନାମ ଅନେକ । ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରୁଥିବା ହେତୁ ଶ୍ରୀଗୁଣ୍ଡିଚା ଯାତ୍ରା, ନନ୍ଦିଘୋଷ ରଥରେ ଯାତ୍ରା ହେତୁ ଘୋଷଯାତ୍ରା, ମହାପ୍ରଭୁ ଦାରୁ ରୂପରେ ଆବିର୍ଭାବ ହେବା ପରେ ରାଜା ଇନ୍ଦ୍ରଦ୍ୟୁମ୍ନ ସେଠାରେ ସହସ୍ର ଅଶ୍ବମେଧ ଯଜ୍ଞ କରିଥିବା ହେତୁ ଯଜ୍ଞ ମଣ୍ଡପ ତଥା ମହାବେଦୀ ଯାତ୍ରା । ସେହିପରି ଦକ୍ଷିଣ ଦିଗରେ ଯାତ୍ରା ହେତୁ ଦକ୍ଷିଣାମୁଖୀ ଯାତ୍ରା, ଯାତ୍ରାର ଅବଧି 9 ଦିନ ଥିବାରୁ ନବଦିନାତ୍ମକ ଯାତ୍ରା, ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଅବସ୍ଥାନ ବେଳେ ଦଶବତାରଙ୍କୁ ପୂଜା କରାଯାଉ ଥିବା ହେତୁ ଦଶବତାର ଯାତ୍ରା, ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁ ଯେଉଁ ମଣ୍ଡପରେ ଅବସ୍ଥାନ କରନ୍ତି ତାହା ଆଡ଼ପ ମଣ୍ଡପ ହେତୁ ଆଡ଼ପ ଯାତ୍ରା ଆଦି ନାମ ରହିଛି ଏହି ଯାତ୍ରାର ।