ଓଡିଶା

odisha

ETV Bharat / city

32 ବର୍ଷ ପର୍ଯ୍ୟନ୍ତ ବଡ଼ଦାଣ୍ଡରେ ଗଡ଼ି ନାହିଁ ରଥ

ଶହ ଶହ ବର୍ଷ ଧରି ପୁରୀ ମନ୍ଦିରରେ ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ରଥଯାତ୍ରା ବା ଘୋଷଯାତ୍ରା । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏମିତି ବି ଦିନ ଥିଲା ଯେତେବେଳେ 32 ବର୍ଷ ପର୍ଯ୍ୟନ୍ତ ବଡଦାଣ୍ଡରେ ଗଡ଼ି ପାରିନଥିଲା ମହାପ୍ରଭୁଙ୍କ ରଥ...

how many times rath yatra got cancelled , rath yatra, ରଥାରୂଢ଼ ହୋଇ ନାହାନ୍ତି ଚତୁର୍ଦ୍ଧାମୂର୍ତ୍ତି, ରଥଯାତ୍ରା ବନ୍ଦ, ବନ୍ଦ ହୋଇଥିଲା ରଥଯାତ୍ରା, ଶ୍ରୀମନ୍ଦିର ଉପରେ ଆକ୍ରମଣ, ମହାପ୍ରଭୁଙ୍କ ରଥ, କଳାପାହାଡ଼ ଆକ୍ରମଣ, kalapahad
32 ବର୍ଷ ପର୍ଯ୍ୟନ୍ତ ବଡ଼ଦାଣ୍ଡରେ ଗଡ଼ି ନାହିଁ ରଥ

By

Published : Jul 10, 2021, 7:04 AM IST

ପୁରୀ: ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ କୋରୋନା ମହାମାରୀର କାୟା ରଥଯାତ୍ରା ଉପରେ ପଡ଼ିଛି । ଜନ ସମୁଦ୍ର ପାଲଟୁଥିବା ବଡ଼ଦାଣ୍ଡ ଏଥର ବି ରହିଯିବ ଜନଶୂନ୍ୟ । କେବଳ ସେବାୟତଙ୍କ ଗହଣରେ ଗୁଣ୍ଡିଚା ଯାତ୍ରା କରିବେ ଚତୁର୍ଦ୍ଧା ମୂର୍ତ୍ତି । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏମିତି ବି ଦିନ ଥିଲା ଯେତେବେଳେ ବଡଦାଣ୍ଡରେ ଗଡ଼ି ପାରିନଥିଲା ମହାପ୍ରଭୁଙ୍କ ରଥ ।

32 ବର୍ଷ ପର୍ଯ୍ୟନ୍ତ ବଡ଼ଦାଣ୍ଡରେ ଗଡ଼ି ନାହିଁ ରଥ

ଗବେଷକଙ୍କ ସୂଚନା ଅନୁଯାୟୀ ଅତୀତରେ ଅନେକ ଥର ଯବନମାନେ ଯଥା ମୁସଲିମ ଶାସକମାନେ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲେ । ଶ୍ରୀବିଗ୍ରହଙ୍କୁ ସୁରକ୍ଷା ଦେବା ପାଇଁ ରତ୍ନ ସିଂହାସନରୁ ବାରମ୍ବାର ସ୍ଥାନାନ୍ତର ସେମାନଙ୍କୁ ସ୍ଥାନାନ୍ତରିତ କରିଛନ୍ତି ସେବାୟତ। ମାଦଳା ପାଞ୍ଜିରୁ ମିଳିଥିବା ତଥ୍ୟ ଅନୁଯାୟୀ 426 ବର୍ଷ ଭିତରେ 32 ଥର ରଥଯାତ୍ରା ବନ୍ଦ ହୋଇଥିବା ଜଣାଯାଏ । ବିଧର୍ମୀଙ୍କ ଆକ୍ରମଣରୁ ଶ୍ରୀବିଗ୍ରହଙ୍କୁ ସୁରକ୍ଷା ଦେବା ପାଇଁ ଚିଲିକାର ନଇରି, ଗୁରୁବାଇ, କାଙ୍କଣ ଶିଖରୀ , ବାଣ ପୁରର ହନ୍ତୁଆଡ଼, ଖୋର୍ଦ୍ଧାର ଗଡ଼ ମାଣିତ୍ରୀ, ଗଞ୍ଜାମର ମାରଦା, ଚିକିଲି, ଗଡ଼ କୁଜଙ୍ଗ ଆଦି ବିଭିନ୍ନ ସ୍ଥାନରେ ମହାପ୍ରଭୁଙ୍କୁ ଗୁପ୍ତରେ ରଖାଯାଇଥିଲା।

ଗବେଷକଙ୍କ ତଥ୍ୟ ଅନୁଯାୟୀ ଶ୍ରୀମନ୍ଦିର ଉପରେ ପ୍ରଥମେ ଷଷ୍ଠ ଶତାବ୍ଦୀରେ ଆକ୍ରମଣ କରିଥିଲା ରକ୍ତବାହୁ ନାମକ ଜଳ ଦସ୍ୟୁ । ପରେ ଅନ୍ୟାନ୍ୟ ଅନେକ ଯବନ ମନ୍ଦିର ଉପରେ ଆକ୍ରମଣ କରିଥିଲେ । ଯାହା ଫଳରେ ରଥ ଯାତ୍ରା ଅନେକ ବର୍ଷ ପାଇଁ ବନ୍ଦ ହୋଇଥିଲା ।

କଳାପାହାଡ଼ ଆକ୍ରମଣ

1568 ମସିହାରେ ବଙ୍ଗରାଜା ସୁଲେମାନଙ୍କ ଜେନେରାଲ କଳାପାହାଡ଼ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲା । ଏହାପରେ ମହାପ୍ରଭୁଙ୍କୁ ଚିଲିକା ପାଖ ଛପଲ୍ଲୀ ଗ୍ରାମରେ ରଖାଯାଇଥିଲା । କିନ୍ତୁ ସେଠାରେ କଳାପାହାଡ଼ ବିଗ୍ରହ ମାନଙ୍କ ସନ୍ଧାନ ପାଇ ସେଥିରେ ନିଆଁ ଲଗାଇ ଦେଇ ଗଙ୍ଗାରେ ଭସାଇ ଦେଲା । ପରେ ବିଶର ମହାନ୍ତି ନାମକ ଜଣେ ବୈଷ୍ଣବ ଏହି ଅର୍ଦ୍ଧଦଗ୍ଧ ବିଗ୍ରହରୁ ବ୍ରହ୍ମ ସଂଗ୍ରହ କରି ପୂଜା କରିଥିଲେ । କଳାପାହାଡ଼ର ଏହି ଆକ୍ରମଣ ପରେ 1568 ଖ୍ରୀଷ୍ଟାବ୍ଦରୁ 1577 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ରଥଯାତ୍ରା ବନ୍ଦ ହୋଇଥିଲା ।

ମିର୍ଜା ଖୁରୁମର ଆକ୍ରମଣ

ବେଙ୍ଗଲ ନବାବଙ୍କର ପ୍ରତିନିଧି ମିର୍ଜା ଖୁରୁମ 1601ରେ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲା । କିନ୍ତୁ ସେବାୟତମାନେ ପୁରୀଠାରୁ 14 କିଲୋମିଟର ଦୂରରେ ଥିବା କପିଳେଶ୍ଵରର ପଞ୍ଚମୁଖୀ ଗୋସାଣି ମନ୍ଦିରରେ ବିଗ୍ରହଙ୍କୁ ଲୁଚାଇ ରଖିଥିଲେ। ମନ୍ଦିରରେ ଠାକୁର ନଥିବାରୁ ଏହି ବର୍ଷ ମଧ୍ୟ ରଥଯାତ୍ରା ହୋଇପାରିନଥିଲା।

କାଶିମ୍‌ ଖାନର ଆକ୍ରମଣ

ଓଡ଼ିଶାରେ ଥିବା ମୋଗଲ ସୁବେଦାର କାଶିମ ଖାନ 1607 ମସିହାରେ ଶ୍ରୀମନ୍ଦିର ଉପରେ ଆକ୍ରମଣ କଲା । ଏହି ସମୟରେ ମଧ୍ୟ ରଥ ଯାତ୍ରା ବନ୍ଦ ରହିଥିଲା ।

କଲ୍ୟାଣ ମଲର ଆକ୍ରମଣ

1611ରେ ଆକବରଙ୍କ ରାଜସଭାରେ ଥିବା ତୋଡ଼ର ମଲଙ୍କ ପୁଅ କଲ୍ୟାଣ ମଲ ମନ୍ଦିର ଉପରେ ଓଡ଼ିଶାର ସୁବେଦାର ହୋଇ ଆକ୍ରମଣ କରିଥିଲେ। ଫଳରେ ବିଗ୍ରହଙ୍କୁ ଚିଲିକାର ମହିଷାନାଶିକୁ ସ୍ଥାନାନ୍ତର କରାଯାଇଥିଲା। ଏ ବର୍ଷ ରଥଯାତ୍ରା ହୋଇପାରିନଥିଲା। ସେହିପରି 1617 ଖ୍ରୀଷ୍ଟାବ୍ଦରେ କଲ୍ୟାଣ ମଲ ଦ୍ଵିତୀୟ ଥର ମନ୍ଦିର ଉପରେ ଆକ୍ରମଣ କରିଥିଲା। ଆକ୍ରମଣ ପୂର୍ବରୁ ଶ୍ରୀବିଗ୍ରହଙ୍କୁ ଚିଲିକାର ଗୁରୁବାଇଗଡ଼କୁ ନେଇଯାଇଥିଲେ ସେବାୟତ। ତେଣୁ ସେ ବର୍ଷ ମଧ୍ୟ ରଥଯାତ୍ରା ହୋଇନଥିଲା।

ଅହମଦ ବେଗ ଆକ୍ରମଣ

1621 ଖ୍ରୀଷ୍ଟାବ୍ଦରେ ମୁସଲମାନ ସୁବେଦାର ଅହମଦ ବେଗ ଶ୍ରୀମନ୍ଦିର ଆକ୍ରମଣ କରିଥିଲା। ଏହି ସମୟରେ ଶ୍ରୀବିଗ୍ରହଙ୍କୁ ବାଣପୁରର ଅନ୍ଧାରୀଗଡ଼କୁ ସ୍ଥାନାନ୍ତର କରାଯାଇଥିଲା। ପରେ ବ୍ରହ୍ମଗୁଡ଼ିକୁ ଖୋର୍ଦ୍ଧା ଜିଲ୍ଲାର ଗଡ଼ମାଣିତ୍ରୀ ଗ୍ରାମକୁ ନିଆଯାଇଥିଲା । ଏଣୁ ଦୁଇ ବର୍ଷ ପର୍ଯ୍ୟନ୍ତ ପୁରୀରେ ରଥଯାତ୍ରା ହୋଇନଥିଲା।

ଏକ୍ରମ ଖାନ ଆକ୍ରମଣ

1692 ମୋଗଲ କମାଣ୍ଡର ଏକ୍ରମ ଖାନ ଓଡ଼ିଶା ଆକ୍ରମଣ କରିଥିଲା। ଆକ୍ରମଣ ପୂର୍ବରୁ ଠାକୁରଙ୍କୁ ଖୋର୍ଦ୍ଧାର ବିମଳା ମନ୍ଦିର ପଛରେ ଲୁଚାଇ ରଖାଯାଇଥିଲା। ସେଠାରୁ ଠାକୁରଙ୍କୁ ଚିଲିକା ହ୍ରଦ ନିକଟରେ ଥିବା ଗଡ଼କୋକଲ ଗ୍ରାମକୁ ନିଆଯାଇଥିଲା। ସେଠାରୁ ଶ୍ରୀବିଗ୍ରହଙ୍କୁ ବାଣପୁରର ହନ୍ତୁଆଡ଼ ଗ୍ରାମକୁ ନିଆଯାଇ ସେଠାରେ 1707 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ରଖାଯାଇଥିଲା। ତେବେ ଏହି ସମୟରେ ପ୍ରାୟ ୧୩ ବର୍ଷ ଯାଏ ରଥଯାତ୍ରା ହୋଇପାରିନଥିଲା।

ତକି ଖାନର ଦୁଇଥର ଆକ୍ରମଣ

1731 ରେ ଓଡ଼ିଶାର ତତ୍କାଳୀନ ଡେପୁଟି ଗଭର୍ଣ୍ଣର ତକି ଖାନ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲା । ଏଣୁ ଠାକୁରଙ୍କୁ ପ୍ରଥମେ ଚିଲିକାର କଙ୍କଣଶିଖରୀ କୁଦ ଓ ପରେ ଚିଲିକା ତହସିଲ ଅନ୍ତର୍ଗତ ନଇରି ଗାଁର ହରିଶ୍ଵର ମଣ୍ଡପକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରୁ ପୁଣି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟର ଚିକିଲି ଗ୍ରାମରେ ରହିଥିଲେ ମହାପ୍ରଭୁ। ଏଣୁ ସେ ବର୍ଷ ମଧ୍ୟ ରଥଯାତ୍ରା ହୋଇନଥିଲା। ପରେ 1733ରେ ତକି ଖାନ ଶ୍ରୀମନ୍ଦିର ଉପରେ ପୁନଃ ଆକ୍ରମଣ କରିଥିଲା । ଯାହାପରେ ଚତୁର୍ଦ୍ଧାବିଗ୍ରହଙ୍କୁ ପ୍ରଥମେ ହରିଶ୍ଵର ମଣ୍ଡପ ଏବଂ ପରେ ଗଞ୍ଜାମ ପୋଲସରାର ହାତିବାରି ପାହାଡ଼ରେ ଥିବା ମାର୍ଦ୍ଦା ମନ୍ଦିରରେ ରଖିଥିଲେ ସେବାୟତ। ସେହିଠାରେ ହିଁ 28 ମାସ ଧରି ସମସ୍ତ ଗୁପ୍ତ ନୀତି ହୋଇଥିଲା। ଫଳରେ 1731 ଓ 1733ରେ ତକି ଖାନର ଦୁଇଥର ଆକ୍ରମଣ ଯୋଗୁଁ ପ୍ରାୟ 4 ବର୍ଷ ବନ୍ଦ ରହିଥିଲା ରଥଯାତ୍ରା ।

ଯୁଗେ ଯୁଗେ ବିଧର୍ମୀ ମାନେ ମହାପ୍ରଭୁଙ୍କ ମନ୍ଦିର ଉପରେ ଆକ୍ରମଣ କରିଥିଲେ ମଧ୍ୟ ସେ ଅଚଳ ମହାମେରୁଙ୍କର ହୋଇନଥିଲା କ୍ଷତି । କିନ୍ତୁ ଏହି ଆକ୍ରମଣ କାରଣରୁ ଅନେକ ବର୍ଷ ପର୍ଯ୍ୟନ୍ତ ରଥାରୂଢ଼ ଠାକୁରଙ୍କ ଦର୍ଶରୁ ବଞ୍ଚିତ ହୋଇଥିଲେ ଭକ୍ତ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details