ପୁରୀ: ଲୀଳାଚଳିଆ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆବିର୍ଭାବ ଯେମିତି ରହସ୍ୟମୟ ତାଙ୍କ ନୀତିକାନ୍ତି ମଧ୍ୟ ବିଚିତ୍ରମୟ । କାଳିଆର ଲୀଳାକୁ ଯିଏ ଶୁଣେ ସିଏ, ବିସ୍ମିତ ହୁଏ । ସଂସାରରେ ଏମିତି କେହି ଠାକୁର ନାହାନ୍ତି ଯିଏ ଦାରୁରୁ ଉତ୍ପତି । ଏମିତି କେଉଁ ଭୋଗ ନାହିଁ ଯାହା ପ୍ରସାଦ ପରେ ଚାଉଳ ହୋଇଛି । ଏପରି କିଛି ଅଦ୍ଭୁତ ହୁଏ ଲୀଳାଚଳିଆର ଶ୍ରୀମନ୍ଦିରରେ । କାଳିଆର ସେହି କିମିଆ ଚକାଆଖି ପାଇଁ ନେତ୍ରୋତ୍ସବର ଆୟୋଜନ ହେଉ ଥିବାବେଳେ ଅଧର ପାଇଁ ଅଧରପଣା ପ୍ରସ୍ତୁତି ।
ତେବେ ଅନନ୍ୟ ଏ ଅଧରପଣା ନୀତି ପଛରେ ରହିଛି ଗୁଢ ତତ୍ତ୍ବ । ପାପୀ, ତପି, ମ୍ଳେଚ୍ଛ, ଦୀନ, ଯବନ ଉଦ୍ଧାର ପାଇଁ ରଥଯାତ୍ରାର ଶେଷରେ ଜନ ସମାଜକୁ ଅମୃତର ପାନ ପାଇଁ ଅଧରପଣା ନୀତି ବୋଲି ଜଗନ୍ନାଥ ସଂସ୍କୃତି ଗବେଷକଙ୍କ ମତ । ତେବେ ଆସନ୍ତୁ ଜାଣିବା ଅଧରପଣା ନୀତି କାହିଁକି ଓ କିପରି ହୁଏ ଅନୁଷ୍ଠିତ...
ପୌରାଣିକ ବର୍ଣ୍ଣନାନୁଯାୟୀ, ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ମହାପ୍ରଭୁଙ୍କ ସହ ରଥରେ ଅନେକ ଦେବାଦେବୀ, ଦାନବ, ଗନ୍ଧର୍ଭ, ଯକ୍ଷ, ଚଣ୍ଡି, ଚାମୁଣ୍ଡା ତଥା ଅଶରିରୀମାନେ ଯାତ୍ରା କରିଥାନ୍ତି । ଏସବୁ ଆତ୍ମାର ଶାନ୍ତି ନିମନ୍ତେ ନୀଳାଦ୍ରି ବିଜେ ପୂର୍ବରୁ ମହାପ୍ରଭୁ ଅଧର ଅମୃତ ପାନ କରିଥାନ୍ତି । ଦ୍ବାଦଶୀ ତିଥିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତିଙ୍କ ମଧ୍ୟାହ୍ନ ଧୂପ ବଢିବା ପରେ ଏହି ନୀତି ଅନୁଷ୍ଠିତ ହୁଏ । ମନ୍ଦିର ପ୍ରଶାସନ, ରାଘବ ଦାସ ଓ ବଡ଼ ଓଡ଼ିଆ ମଠ ପ୍ରଦତ୍ତ ଛାଚି, ସର, କଦଳୀ , ଛେନା, ଗୋଲମରିଚ ଗୁଣ୍ଡ, କର୍ପୂର, ଜାଇଫଳ ଇତ୍ୟାଦି ପଣା ଦ୍ରବ୍ୟ ସାମଗ୍ରୀ ପାଳିଆ ମହାସୁଆର ରଥ ଉପରେ ରଖିଥାନ୍ତି ।
ପ୍ରତ୍ୟେକ ଠାକୁରଙ୍କ ସମ୍ମୁଖରେ ରଥ ଉପରେ ଭୋଗ ହେଉଥିବା ସ୍ଥାନରେ ମହାପ୍ରଭୁଙ୍କର ଶ୍ରୀଅଧର ଉଚ୍ଚ ଥିବା ତୁମ୍ବ ଆକୃତି ଭଳି ମାଟିର ତିନୋଟି ହାଣ୍ଡି ରଖାଯାଏ । ପୂର୍ବରୁ ପାଣିଆ ଆପଟ ସେବକମାନେ ସିଂହଦ୍ୱାର ଛାଉଣୀ ମଠ ସମ୍ମୁଖସ୍ଥ କୂପରୁ ଗରାମାନଙ୍କରେ ଜଳ କାଢି ରଥ ଉପରକୁ ବୋହି ନେଇ ବଡ଼ ପିତଳ ହଣ୍ଡାମାନଙ୍କରେ ରଖିଥାନ୍ତି । ସିଂହଦ୍ୱାର ସମ୍ମୁଖ କୂପରୁ ଏହି ଜଳ ଅଣାଯାଏ । ଅଧରପଣା ଭୋଗ ପୂର୍ବରୁ ମହାସୁଆରମାନେ ଥାଇ ଭିତରଚ୍ଛ, ତଳୁଚ୍ଛ , ରଥରେ ପାଳିଆ ପୁଷ୍ପାଳକ ଅଧର ଆଗରେ ଖଣ୍ଡେ ନୂଆ ଗାମୁଛା ଟେରା ଧରିଥାନ୍ତି । ଅଧରପଣା ହାଣ୍ଡି ଉପରେ ଖଣ୍ଡେ ଲେଖାଏଁ ଧଳା ଜାଲିକନା ପକାଯାଏ । ଜଳ ଛଣା ଉଦ୍ଦେଶ୍ୟରେ ଏହା ପକାଯାଏ ବୋଲି କଥିତ ରହିଛି ।