ପୁରୀ: କୋରୋନା କଟକଣା ଲାଗି ଜାଗା ଆଖଡାର ପରମ୍ପରା ଫିକା ପଡିଛି । ପ୍ରଶାସନର ନୋଟିସ ପରେ ସମସ୍ତ ଜାଗା ଆଖଡା ବନ୍ଦ ଥିବାରୁ ମହାବିଷୁବ ସଂକ୍ରାନ୍ତିରେ ପୁରୀରେ ଥିବା ପରମ୍ପରା ଫିକା ପଡିଥିବା ଦେଖିବାକୁ ମିଳିଛି ।
କୋରୋନା କଟକଣା, ଜାଗା ଆଖଡା ପରମ୍ପରା ଫିକା ପବିତ୍ର ମହା ବିଷୁବ ସଂକ୍ରାନ୍ତିରେ ପୁରୀରେ ରହିଛି ଅନନ୍ୟ ପରମ୍ପରା। ସେବାୟତ ଘରର ପିଲାମାନେ ଆଜିର ଦିନରେ ପାରମ୍ପରିକ ଭାବେ ପ୍ରଭୁ ହନୁମାନଙ୍କୁ ପୂଜା କରି ଜାଗା ଅଖଡା ଘରେ କୁସ୍ତି ତଥା ମଲ୍ଲ ଯୁଦ୍ଧ ଶିଖିଥାନ୍ତି। ଏଥିପାଇଁ ପୁରୀରେ ରହୁଥିବା ସେବାୟତଙ୍କ ବିଭିନ୍ନ ସାହିରେ ଥିବା ଜାଗା ଘର ବେଶ ଚଳଚଞ୍ଚଳ ଥାଏ। କିନ୍ତୁ ମହାମାରୀ କୋରୋନା ପ୍ରଭାବ ଏହା ଉପରେ ପଡିଛି ।
ପ୍ରଶାସନର କଟକଣା ପରେ ଆଜି ଜାଗା ଘରକୁ କୌଣସି ପିଲା ଯାଇନଥିବା ଦେଖିବାକୁ ମିଳିଛି । କେବଳ ଜାଗା ଘରେ ପ୍ରଭୁ ହନୁମାନଙ୍କୁ ପରମ୍ପରା ଅନୁଯାୟୀ ଛତୁଆ ଓ ପଣା ଭୋଗ କରାଯାଇ ପୂଜାର୍ଚ୍ଚନା କରାଯାଇଛି।
ଇତିହାସ ଦେଖିଲେ ଶ୍ରୀଜଗନ୍ନାଥ ସଂସ୍କୃତି ସହିତ ଏହି ଜାଗା ଘରର ପରମ୍ପରା ଶହଶହ ବର୍ଷ ଧରି ଜଡିତ ହୋଇ ରହିଛି । ପୂର୍ବରୁ ଗଜପତିଙ୍କ ସମୟରେ ଏହି ସେବାୟତ ଘରର ଯୁବକ ମାନେ ବିଭିନ୍ନ ବ୍ୟାୟାମ କସରତ କରି ବଳିଷ୍ଠ ଶରୀର ରଖୁଥିଲେ। ବାହ୍ୟ ଶତ୍ରୁ ଆକ୍ରମଣରୁ ଶ୍ରୀମନ୍ଦିରକୁ ବିଭିନ୍ନ ସମୟରେ ସୁରକ୍ଷା ଦେଉଥିଲେ । ଏହି କ୍ରମରେ ସେବାୟତ ମାନେ ରହୁଥିବା ସାହି ଗୁଡିକରେ ଏକ ନିର୍ଦିଷ୍ଟ ଜାଗାରେ ଘର କରାଯାଇ ସେବାୟତ ଯୁବକଙ୍କୁ ମଲ୍ଲ ଯୁଦ୍ଧ ଶିକ୍ଷା ଦିଆଯାଉଥିଲା।
ପ୍ରତି ବର୍ଷ ମହାବିଷୁବ ସଂକ୍ରାନ୍ତି ଜାଗା ଘରକୁ ସେବାୟତ ଘରର ଛୋଟ ପିଲା ଆସି ମଲ୍ଲ ଯୁଦ୍ଧ ବିଦ୍ୟା ପ୍ରଶିକ୍ଷଣ ନେଉଥିଲେ। ଏଥିପାଇଁ ବଳ ଓ ଶକ୍ତିର ପ୍ରତୀକ ମହାବୀର ହନୁମାନଙ୍କୁ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇ ମଲ୍ଲ ଓ କୁସ୍ତି ଶିକ୍ଷା ଦିଆଯାଏ। ତେବେ କୋରୋନା କଟକଣା ଯୋଗୁ ଚଳିତ ବର୍ଷ ଏହି ପୁରାତନ ପରମ୍ପରା ଭଙ୍ଗ ହୋଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ