ପୁରୀ: ପୁଣି ନୂଆ ରୂପରେ କାୟା ବିସ୍ତାର କରିବାରେ ଲାଗିଛି ମାରାତ୍ମକ କୋରୋନା ଭାଇରସ । ଏଥିପାଇଁ ଶ୍ରୀମନ୍ଦିରରେ ଜାରି ହୋଇଛି ନୂତନ କଟକଣା । ଏଣିକି ରାତି 8ଟା ପରେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିପାରିବେ ନାହିଁ ଶ୍ରଦ୍ଧାଳୁ । ରାଜ୍ୟରେ ଆଜିଠୁ(ଶନିବାର) ପୁଣି ନାଇଟ କର୍ଫ୍ୟୁ ଲାଗୁ କରିଛନ୍ତି ରାଜ୍ୟ ସରକାର ।
ଏଣିକି ଭକ୍ତମାନେ ରାତି 8ଟା 30 ସୁଦ୍ଧା ଶ୍ରୀମନ୍ଦିରରୁ ପ୍ରସ୍ଥାନ କରିବେ । କାରଣ ରାତି 9 ଟା ରୁ ନାଇଟ କର୍ଫ୍ୟୁ ଆରମ୍ଭ ହେଉଛି । ଏଣୁ 8 ଟା 30 ସୁଦ୍ଧା ଶ୍ରୀମନ୍ଦିରରୁ ଭକ୍ତମାନେ ପ୍ରସ୍ଥାନ କଲେ 9 ଟା ଭିତରେ ସେମାନେ ତାଙ୍କ ଘର ହେଉକି ହୋଟେଲରେ ପହଞ୍ଚିପାରିବେ।
ନାଇଟ କର୍ଫ୍ୟୁ ପରିପ୍ରେକ୍ଷୀରେ ପୁରୀ ସମେତ ବହୁ ସହରରେ ରାତି 9ଟା ପରେ ବାହାରକୁ ବାହାରିବା ଉପରେ କଟକଣା ଜାରି ହୋଇଛି । ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ଏହି କଟକଣା ଜାରି ହୋଇଛି । ଏପ୍ରିଲ 19 ତାରିଖରୁ ସପ୍ତାହରେ ଦୁଇ ଦିନ ଶ୍ରୀମନ୍ଦିର ବନ୍ଦ ରହିବ । ବଢ଼ୁଥିବା କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶନିବାର ଓ ରବିବାର ଦିନ ଶ୍ରୀମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ ।