ପୁରୀ: କାର୍ତ୍ତିକ ମାସର ଅନ୍ତିମ ଦିନ କାର୍ତ୍ତିକ ପୂର୍ଣ୍ଣମା । ମହାପଞ୍ଚୁକ ବ୍ରତର ଶେଷ ଦିନ । ଏହି ଅବସରରେ ରାଜ ରାଜେଶ୍ବର ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ରତ୍ନ ସିଂହାସନରେ ତିନି ଠାକୁରଙ୍କ ଏହି ବେଶକୁ ସୁନା ବେଶ ବୋଲି ମଧ୍ୟ କୁହାଯାଏ । ସ୍ବର୍ଣ୍ଣ ଅଳଙ୍କାରମାନରେ ବିରାଜିତ ପ୍ରଭୁଙ୍କ ଦର୍ଶନ ଲାଗି ଶ୍ରୀମନ୍ଦିରରେ ଜମିଛି ଭକ୍ତଙ୍କ ଭିଡ । ଆଉ ଘଣ୍ଟ ଘଣ୍ଟାଦିରେ କମ୍ପୁଛି ବଡଦାଣ୍ଡ । ଏକ ଭକ୍ତିମୟ ପରିବେଶରେ ଉଦଣ୍ଡ ନୃତ୍ୟ ପରିବେଷଣ କରୁଛନ୍ତି ଶ୍ରଦ୍ଧାଳୁ । ସେପଟେ ଶୃଙ୍ଖଳିତ ଦର୍ଶନ ଲାଗି ପୁରୀ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।
ଶ୍ରୀମନ୍ଦିର ଦ୍ବାର ଠାରୁ ଶ୍ରୀନଅର ଯାଏଁ ବ୍ୟାରିକେଟ କରାଯିବା ସହ ସିଂହଦ୍ବାର ଦେଇ ଭକ୍ତ ପ୍ରବେଶ କରିବେ । ଅନ୍ୟ ଦ୍ବାରରେ ପ୍ରସ୍ଥାନ କରିବେ । ସେହିପରି ମନ୍ଦିର ଭିତରେ ଗହଳି ଓ ଭିଡ ନିୟନ୍ତ୍ରଣ ନେଇ ସ୍ବତନ୍ତ୍ର ପୋଲିସ ଟିମ ସହ ସାଧା ପୋଷାକ ଧାରୀ ପୋଲିସ ମୁତୟନ ହୋଇଛନ୍ତି । 40 ପ୍ଲାଟୁନ ପୋଲିସ ଫୋର୍ସ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିର ତଥା ବିଭିନ୍ନ ସ୍ଥାନରେ ରହିଛନ୍ତି ।