ପୁରୀ: ଚଳିତ ବର୍ଷ ଜଗନ୍ନାଥ ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରାର ସୁପରିଚଳନା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି (ଗୁରୁବାର) ଅନୁଷ୍ଠିତ ରଥଯାତ୍ରା ପ୍ରସ୍ତୁତି ବୈଠକରୁ ଏହା ଜଣାଯାଇଛି । ଗତବର୍ଷ ପରି ଚଳିତବର୍ଷ ମଧ୍ୟ ସମସ୍ତଙ୍କ ସହଯୋଗରେ ରଥଯାତ୍ରା ସୁରୁଖୁରୁରେ ଶେଷ କରିବା ଲାଗି ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ରଥଯାତ୍ରା ସୂଚାର ରୂପେ ପାଳିତ ହେବ ଏବଂ ଭକ୍ତମାନେ ଘରେ ରହି ମହାପ୍ରଭୁଙ୍କ ଘୋଷଯାତ୍ରା ଦେଖିବେ ସେଥିପାଇଁ ମୁଖ୍ୟମନ୍ତ୍ରୀ ପୁରୀ ସହରବାସୀ ଓ ସେବାୟତମାନଙ୍କର ସହଯୋଗ କାମନା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ରଥଯାତ୍ରା ସମୀକ୍ଷା ବୈଠକ କରିଛନ୍ତି । ପୁରୀ ଜିଲ୍ଲାପାଳଙ୍କ ଅଫିସରରେ ଥିବା ଭିଡିଓ କନଫରେନ୍ସିଂ ଅଫିସରେ ଏହି ବୈଠକ ହୋଇଛି ।
ମହାପ୍ରଭୁଙ୍କ ଆଶୀର୍ବାଦ ଓ ସମସ୍ତଙ୍କ ସହଯୋଗ କାମନା କଲେ ମୁଖ୍ୟମନ୍ତ୍ରୀ
ରଥଯାତ୍ରା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ । ବୈଠକରେ ଉପସ୍ଥିତ ଅଛନ୍ତି ପୁରୀ ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ମନ୍ତ୍ରୀ । ରଥଯାତ୍ରା କିଭଳି ଶାନ୍ତି ଶୃଙ୍ଖଳାରେ ହେବ ସେ ନେଇ ଆଲୋଚନା ହୋଇଛି । ଅଧିକ ପଢନ୍ତୁ...
ଗତବର୍ଷ ପରି ଏ ବର୍ଷ ମଧ୍ୟ ମହାପ୍ରଭୁଙ୍କ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଏକ ଅସାଧାରଣ ପରିସ୍ଥିତିରେ ହେବାକୁ ଯାଉଛି । ସାରା ବିଶ୍ଵ ଟେଲିଭିଜନ ଓ ସୋସିଆଲ ମିଡିଆ ମାଧ୍ୟମରେ ହିଁ କାଳିଆ ଠାକୁରଙ୍କୁ ଦର୍ଶନ କରିବେ । ତେଣୁ ମହାପ୍ରଭୁଙ୍କ ନୀତି ଠିକ ସମୟରେ ଶେଷ ହେବା ଦରକାର । ତା' ସହିତ କୋଭିଡ ନିୟମକୁ ମଧ୍ୟ ଯାତ୍ରା ସମୟରେ ଠିକ ଭାବରେ ପାଳନ କରାଯିବା ଜରୁରୀ ବୋଲି ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି । କୋଭିଡ଼ର ଦ୍ଵିତୀୟ ଲହର ପ୍ରଭାବ ହ୍ରାସ ପାଉଥିଲେ ମଧ୍ୟ ବିପଦ ଏ ପର୍ଯ୍ୟନ୍ତ ଦୂର ହୋଇନାହିଁ । ଚଳିତ ବର୍ଷ ରଥଯାତ୍ରା ଯେପରି ସୁରୁଖୁରୁରେ ଶେଷ ହେବ ସେଥିପାଇଁ ମୁଖ୍ୟମନ୍ତ୍ରୀ ମହାପ୍ରଭୁଙ୍କ ଆଶୀର୍ବାଦ କାମନା କରିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର ଓ ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ