ପୁରୀ: ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ରଥଖଳାରୁ ଆସିଥିବା ଖବର ଅନୁଯାୟୀ, ଆସନ୍ତା ୨୨ ତାରିଖରେ ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ । ବିଧି ଅନୁଯାୟୀ ଏହି ଦିନ ତିନିରଥର ୬ଟି ଚକ ଡେରାଯିବ । ଏଥିପାଇଁ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ସମସ୍ତ ସେବାୟତମାନେ ଜୋରସୋରରେ ରଥ ନିର୍ମାଣ କାର୍ଯ୍ୟ ଚଳାଇଛନ୍ତି । ସେପଟେ ଦୋଳବେଦୀର ଅସ୍ଥାୟୀ କମାର ଶାଳ ମଧ୍ୟ ଚଳଚଞ୍ଚଳ ହୋଇ ଉଠିଛି । ଏଠାରେ ତିନି ରଥ ପାଇଁ ସମସ୍ତ ପ୍ରକାର କଣ୍ଟା ତିଆରି ହେଉଛି ।
ରଥନିର୍ମାଣ କାର୍ଯ୍ୟରେ ବିଶ୍ଵକର୍ମା, କରତି, ଭୋଇ ସେବାୟତମାନଙ୍କ ଯେତିକି ଗୁରୁ ଦାୟିତ୍ବ ରହିଛି ସେତିକି କମାର ସେବକମାନଙ୍କ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏମାନେ ତିନିରଥ ପାଇଁ ଦୋଳବେଦୀରେ ପ୍ରସ୍ତୁତ କରିଥାନ୍ତି ସମସ୍ତ ପ୍ରକାର ରଥ କଣ୍ଟା । ତିନିରଥ ପାଇଁ ପ୍ରାୟ ୫୦ ରୁ ୬୦ ପ୍ରକାରର କଣ୍ଟା ଆବଶ୍ୟକ ହୋଇ ଥିବାବେଳେ ଛୋଟରୁ ବଡ ସମସ୍ତ ପ୍ରକାର କଣ୍ଟା ଏହି ରୋଷ ଶାଳାରେ ହିଁ ତିଆରି ହୁଏ । ଅରକଣ୍ଟା, ପନ୍ଦାରୀ, ପନ୍ଦାରୀ ଚାବି, ବଳା, ଯୋଖା ଭଳି ଅନେକ ପ୍ରକାର ଗୁରୁତ୍ୱପୁର୍ଣ୍ଣ କଣ୍ଟା ତିଆରି କରିଥାନ୍ତି ଏହି କମାର ସେବକମାନେ । ତେବେ ଏହି କଣ୍ଟା ତିଆରି ପାଇଁ ସ୍ୱତନ୍ତ୍ର ଶୈଳୀ ବ୍ୟବହାର କରାଯାଇଥାଏ ବୋଲି କହିଛନ୍ତି ମୁଖ୍ୟ କମାରସେବକ ।
ରଥ କଣ୍ଟା ନିର୍ମାଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଲୁହା ରଡ ଓ ଫ୍ଲଟ୍ ସହ କୋଇଲା କମାର ସେବକମାନଙ୍କୁ ଯୋଗାଇ ଦିଆଯାଏ । ତିନିରଥର ମୁଖ୍ୟ କମାର ସେବକମାନେ ପ୍ରଥମେ ତିନୋଟି ଚୁଲି ପ୍ରସ୍ତୁତ କରିଥାନ୍ତି । ଲୁହାକୁ କମାରଶାଳରେ ଗରମ କରି କଣ୍ଟା ତିଆରି ଚାଲେ ଏଥିରେ । ଏହି କାର୍ଯ୍ୟ କରିବା ସମୟରେ କମାରସେବକମାନେ ହବିଷାନ୍ନ ଗ୍ରହଣ କରି ଅତି ନିଷ୍ଠା ଓ ନିୟମର ସହିତ କାର୍ଯ୍ୟ କରିଥାନ୍ତି । ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭରୁ ରଥଯାତ୍ରା ଶେଷ ପର୍ଯ୍ୟନ୍ତ ବେଶ୍ ନିଷ୍ଠାର ସହ ଏହି ସେବାୟତମାନେ କାମ କରିବା ଦେଖାଯାଏ ।