ପୁରୀ: ଏମାର ମଠରୁ ପ୍ରାଚୀନ ସିଂହମୂର୍ତ୍ତି ଉଦ୍ଧାର ପ୍ରସଙ୍ଗ । ମଠ ଖନନ ସ୍ଥାନରେ ପୁଣି ଏଏସଆଇ ଟିମ୍ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି । ଖନନ ସ୍ଥାନରୁ ମିଳିଥିବା ଗଙ୍ଗ ସାମ୍ରାଜ୍ୟ ସମୟର ଦୁଇଟି ସିଂହ ମୂର୍ତ୍ତିକୁ ପୁରୀ ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟକୁ ନିଆଯାଇଛି । ଏହି ମୂର୍ତ୍ତିର ସଂରକ୍ଷଣ ପାଇଁ ସେଠାରେ ପ୍ରକ୍ରିୟା ଆରମ୍ଭ ହେବ।
ASIର ୬ ଜଣିଆ ଟିମ ଖନନ ସ୍ଥାନରେ ପହଞ୍ଚିବା ପରେ ଭଗ୍ନ ସିଂହ ମୂର୍ତ୍ତିକୁ ଦ୍ବୟକୁ ଅଖାରେ ଘୋଡାଇ ଟ୍ରାକ୍ଟର ଯୋଗେ ଏଏସଆଇ ପୁରୀ ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟକୁ ସୁରକ୍ଷା ମଧ୍ୟରେ ନେଇଛନ୍ତି । ସେଠାରେ ଏହି ମୂର୍ତ୍ତିର ପ୍ରାଚୀନତା ନେଇ ଅନୁସନ୍ଧାନ ହେବ । କିଛିଦିନ ପୂର୍ବେ ଏମାର ମଠ ଖନନ ସ୍ଥାନରେ ଭଗ୍ନ ସିଂହ ମୂର୍ତ୍ତି ପଡିଥିବା ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା । ଏହାପରେ ଗତ ୧୭ ତାରିଖରେ ଖନନ ସ୍ଥାନରେ ପହଞ୍ଚି ଅନୁଧ୍ୟାନ କରିଥିଲା ଏଏସଆଇ ଟିମ ।
ଅନୁଧ୍ୟାନ ସମୟରେ ଏକ କାନ୍ଥ ଅବଶିଷ୍ଟାଂଶ ଖନନ ସ୍ଥାନରୁ ମିଳିଥିବା ବେଳେ ଏହାର ପରୀକ୍ଷଣ କରାଯାଇ ରିପୋର୍ଟ ଦିଆଯିବ ବୋଲି କହିଥିଲେ ଏଏସଆଇ ସୁପରିଟେଣ୍ଡେଣ୍ଟ। ସେହିପରି ଉଦ୍ଧାର ହୋଇ ଥିବା ସିଂହ ମୂର୍ତ୍ତି ଦ୍ବୟ ଗଙ୍ଗ ସାମ୍ରାଜ୍ୟ ସମୟର ହୋଇଥାଇପାରେ ବୋଲି କହିଥିଲେ ଏଏସଆଇ ସୁପରିଟେଡେଣ୍ଟ ଅରୁଣ ମଲ୍ଲିକ । ତେବେ ଆଗାମୀ ଦିନରେ ଏଏସଆଇ ଅନ୍ୟ ଖନନ ସ୍ଥାନରେ GPRS ସର୍ଭେ କରୁଛି କି ନାହିଁ ସେ ନେଇ ସମସ୍ତଙ୍କ ନଜର ରହିଛି ।