କେନ୍ଦୁଝର: ଗାଁରୁ ସହର ସବୁଠି ପକ୍କା ସଡ଼କ ଯୋଜନା । ଦୁର୍ଘଟଣା ଏଡାଇବାକୁ ସରକାରୀ ସ୍ତରରେ ବି ନିଆଯାଉଛି ପଦକ୍ଷେପ । ହେଲେ ବାସ୍ତବ ଚିତ୍ର କିଛି ଓଲଟା କହୁଛି । ଗାଁ ତ ଗାଁ ସହରକୁ ମଧ୍ୟ ନିର୍ମାଣ ହୋଇପାରୁନି ପକ୍କା ରାସ୍ତା । କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରୁ ଅନତି ଦୂରରେ ବାଲିଆଗୋଡା ବାଇପାସକୁ ଆଜି ଯାଏ ସଡକ ଟିଏ ହୋଇପାରିଲା ନାହିଁ । ଖାଲ ଢିଫ ସାଙ୍ଗକୁ ଅସରାଏ ପାଣିରେ ଫସିରହୁଛି ଯାନବାହନ । ଆଉ ଘଣ୍ଟାଏ ଛିଡା ହେଲେ ଯାଇ ଗନ୍ତବ୍ୟ ସ୍ଥଳରେ ପହଞ୍ଚୁଛନ୍ତି ଲୋକେ ।
ସହରକୁ ଭାରିଯାନ ଚଳାଚଳ ନକରିବା ପାଇଁ ବାଲିଆଗୋଡ଼ା ନିକଟ ଜାତୀୟ ରାଜପଥ ୪୯ ଉପରେ ନିର୍ମାଣ ହୋଇଥିଲା ବାଇପାସ ରାସ୍ତା । କିନ୍ତୁ ଏହି ରାସ୍ତା ଏବେ ନିକଟସ୍ଥ ଗ୍ରାମବାସୀଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏହି ରାସ୍ତା ଏବେ ମରଣ ଯନ୍ତାରେ ପରିଣତ ହେଇଥିବା ଅଭିଯୋଗ ହେଉଛି । ଦିନକୁ ପ୍ରାୟ ଦଶ ହଜାରରୁ ଉର୍ଦ୍ଧ୍ବ ଭାରି ଯାନ ଓ ଅନ୍ୟ ଯାନ ଯିବା ଆସିବା କରୁଥିବାବେଳେ ବଡ଼ ବଡ଼ ଗାତ ଯୋଗୁ ଫସିରହୁଛି ଗାଡି । ଫଳରେ ଅନ୍ୟ ଯାତ୍ରୀ ମାନଙ୍କୁ ନାନ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ।