କଟକ: ବଢୁଛି ସାଇବର ଅପରାଧ ତା ସହିତ ବଢ଼ୁଛନ୍ତି ସାଇବର ଅପରାଧୀ । ବିଭିନ୍ନ ପ୍ରକାର ଉପାୟ ମାଧ୍ୟମରେ ଅପରାଧ ଘଟାଇ ପୋଲିସକୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଉଛନ୍ତି ସାଇବର ଅପରାଧୀ । କେବଳ ଟଙ୍କା ଲୁଟୁଛନ୍ତି ତାହା ନୁହେଁ ବରଂ ଟଙ୍କା ନେଇ ଲୋକଙ୍କ ଫଟୋକୁ ଅଶ୍ଳୀଳ କରି ସୋସିଆଲ ମିଡିଆରେ ଛାଡିବାର ଏକ ନୂଆ ଉପାୟ ବାହାର କରିଛନ୍ତି ଏହି ଅପରାଧୀ ।
ଅଜଣା ଆପ୍ରୁ ଲୋନ୍ ଆଣୁଛନ୍ତି କି ? ସୋସିଆଲ ମିଡିଆରେ ଭାଇରାଲ ହୋଇପାରେ ଆପଣଙ୍କ ଅଶ୍ଳୀଳ ଫଟୋ ! କିପରି ଲୁଟୁଛନ୍ତି ସାଇବର ଅପରାଧୀଏବେ ବିଭିନ୍ନ ଆଜଣା ଆପ ସୋସିଆଲ ମିଡିଆରେ ଉପଲବ୍ଧ ହେଉଛି । ଏହି ଆପ୍ରେ ଲୋନ ନେବା ପାଇଁ ସୁବିଧା ମଧ୍ୟ ରହୁଛି । ଅପରାଧୀମାନେ ବେଶ୍ ଚାଲାକର ସହ ଏହି ଆପ ଗୁଡିକ ପ୍ରସ୍ତୁତ କରିଛନ୍ତି । ଦୁଇ ହଜାର ଲୋନ୍ ନେବା ପାଇଁ ହେଲେ ଆପଣଙ୍କୁ ସମସ୍ତ ତଥ୍ୟ ଦେବାକୁ କୁହା ଯାଇଥାଏ । ଯେମିତିକି ପାନ୍ କାର୍ଡ, ଆଧାର କାର୍ଡ, ଆପଣଙ୍କ ମୋବାଇଲରେ ଥିବା ସମସ୍ତ କଣ୍ଟାକ୍ଟ ଡିଟେଲସ ବି ଦେବାକୁ ପଡେ । ଜଣେ ବ୍ୟକ୍ତି ଦୁଇ ହଜାର ଟଙ୍କା ଲୋନ୍ ଆଣିଲେ ସମସ୍ତ ତଥ୍ୟକୁ ଦେବାକୁ ପଡିଥାଏ । ଆଉ ଏହା ନେବା ପରେ ସେମାନେ ଅପରାଧ କରିବା ଆରମ୍ଭ କରିଦେଇଥାନ୍ତି ।
ଏହାକୁ ନେଇ ସବିଶେଷ ସୂଚନା ଦେଇଛନ୍ତି କଟକ ସାଇବର ଥାନା ଅଧିକାରୀ ଚନ୍ଦ୍ରିକା ସ୍ବାଇଁ । ସେ କହିଛନ୍ତି ଯେ, "ମନେ କରନ୍ତୁ ଏହି ଆପ ମାଧ୍ୟମରେ ଆପଣ ଦୁଇ ହଜାର ଟଙ୍କା ନେଇଛନ୍ତି । ଆଉ ଦୁଇ ଦିନ ମଧ୍ୟରେ ଏହି ଟଙ୍କା ଫେରାଇ ଦେବାକୁ ଏହି ଆପ୍ରେ ଆପଣ ଚୁକ୍ତି କରିଥିବେ । ଚୁକ୍ତି ଅନୁଯାୟୀ ଆପଣ ବି କରଜ କରିଥିବା ଟଙ୍କାକୁ ସୁଝି ଦେଇଥିବେ । ଏହାପରେ ବି ଆପଣ ସାଇବର ଅପରାଧର ଶିକାର ହେବେ । କାରଣ କରଜ କରିଥିବା ଏହି ଟଙ୍କା ସୁଝିସାରିବା ପରେ ବି ବିଭିନ୍ନ ଆଳ ଦେଖାଇ ଆପଣଙ୍କୁ ଆହୁରି ଟଙ୍କା ସୁଝିବାକୁ କହିବେ । ଆଉ ଆପଣ ଏହାକୁ ବାରମ୍ବାର ସୁଝିବାକୁ କହିବେ ଅପରାଧୀ । ଅନ୍ୟଥା ଆପଣ ଦେଇଥିବା ଫଟୋକୁ ସେମାନେ ଅଶ୍ଳୀଳ ଭାବେ ଏଡିଟ୍ କରି ଆପଣଙ୍କ କଣ୍ଟାକ୍ଟରେ ଥିବା ସମସ୍ତ ସମ୍ପର୍କୀୟଙ୍କୁ ପଠାଇଥାନ୍ତି ।"
କଟକର ସଦର ଥାନା ଓ ବିଡାନାସୀ ଥାନା ଅଞ୍ଚଳରେ ଏଭଳି ଦୁଇଟି ଘଟଣା ନେଇ ଥାନାରେ ଅଭିଯାଗ ହୋଇଛି । ଏଭଳି ଘଟଣା ଯଦିଓ ପ୍ରଥମ ଥର ପାଇଁ ଘଟିନାହିଁ । କିନ୍ତୁ ଯୁବତୀମାନେ ଏହି ଆପ୍ ଦ୍ୱାରା ଠକାମୀର ଶିକାର ହେବା କଟକରେ ପ୍ରଥମ । କଟକ ସାଇବର ଥାନାରେ ଏନେଇ ଦୁଇ ଦିନରେ ଦୁଇଟି ମାମଲା ରୁଜୁ କରାଯାଇଥିବା ସାଇବର ଥାନା ଅଧିକାରୀ ଚନ୍ଦ୍ରିକା ସ୍ୱାଇଁ କହିଛନ୍ତି । ଜଣେ ଯୁବତୀ ସଦର ଥାନା ଅଞ୍ଚଳର ଏବଂ ଅନ୍ୟ ଜଣେ ଯୁବତୀ ବିଡାନାସୀ ଥାନା ଅଞ୍ଚଳର ବୋଲି ସେ ସୂଚନା ଦେଇଛନ୍ତି ।
ଜଣେ ଯୁବତୀ ଲୋନ ଆପ ମାଧ୍ୟମରେ ଦୁଇ ହଜାର ଟଙ୍କା କରଜ କରିଥିଲେ । ଉକ୍ତ କରଜ ଟଙ୍କାକୁ ସେ ନିର୍ଦ୍ଧାରିତ ସମୟ ମଧ୍ୟରେ ସୁଝି ଦେଇଥିଲେ । କିନ୍ତୁ ଅପରାଧୀମାନେ ଅଶ୍ଳୀଳ ଫଟୋ କରି ଆହୁରି ଟଙ୍କା ନଦେଲେ ଉକ୍ତ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରିବାକୁ ଧମକ ଦେଇଥିଲେ । ଭୟରେ ଯୁବତୀ ଜଣକ ୮୦ ହଜାର ଟଙ୍କା ଦେଇଥିଲେ ମଧ୍ୟ ଅପରାଧୀମାନେ ତାଙ୍କ ଫଟୋ କୁ ଅଶ୍ଳୀଳ କରି ଭାଇରାଲ କରିଦେଇଥିଲେ ।
ସେହିପରି ଅନ୍ୟଜଣେ ଯୁବତୀ ମଧ୍ୟ ଆପ୍ ଡାଉନଲୋଡ କରି ଏହି ଠକାମୀର ଶିକାର ହୋଇଛନ୍ତି । ଉକ୍ତ ଯୁବତୀ ଜଣକ କିନ୍ତୁ କୌଣସି ଲୋନ ନେଇନଥିଲେ । ଏହି ଆପ୍କୁ କେବଳ ଡାଉନଲୋଡ କରିଥିବାରୁ ଅପରାଧୀମାନେ ତାଙ୍କ ଫଟୋକୁ ଅଶ୍ଳୀଳଭାବେ ଏଡିଟ୍ କରି ଭାଇରାଲ କରିଥଲେ । ଏନେଇ ଦୁଇ ଯୁବତୀ କଟକ ସାଇବର ଥାନାରେ ମାମଲା ରୁଜୁ କରିଛନ୍ତି । ତେବେ ଏଭଳି ଆପ ଠକାମୀରେ ଦୁଇ ଯୁବତୀ ଫସିଯିବା ଘଟଣା କଟକ ସହରର ପ୍ରଥମ ।
କିପରି ସାଇବର ଅପରାଧରୁ ବଞ୍ଚିବେ
ସାଇବର ଅପରାଧରୁ ଆପଣ ଯଦି ବଞ୍ଚିବାକୁ ଚାହୁଁଛନ୍ତି ତେବେ ଆପଣ କୌଣସି ଅଜଣା ଆପ୍କୁ ଡାଉନଲୋଡ କରନ୍ତୁ ନାହିଁ । ଏପରିକି ଅଜଣା ଲିଙ୍କ୍କୁ କ୍ଲିକ ବି କରନ୍ତୁ ନାହିଁ । କୌଣସି ଅଜଣା ଆପ୍ରୁ ଆପଣ ଲୋନ୍ ନିଅନ୍ତୁ ନାହିଁ । ନିଜ ମୋବାଇଲର ଓଟିପିକୁ ଅଜଣା ବ୍ୟକ୍ତିଙ୍କୁ ସେୟାର କରନ୍ତୁ ନାହିଁ ।