ଓଡିଶା

odisha

ETV Bharat / city

ନରସିଂହପୁର ଜଙ୍ଗଲରେ ହେଟାବାଘ ଆତଙ୍କ !

ନରସିଂହପୁର ପଶ୍ଚିମାଞ୍ଚଳ ବନବିଭାଗ ବାରସିଙ୍ଗା ଜଙ୍ଗଲ ଅଧିନ ଉଲ୍ଲାସକୋଟ ପନିକି ଜଙ୍ଗଲ (ପାହାଡ଼)ରେ ଅଜଣା ଜନ୍ତୁ ଆକ୍ରମଣରେ 6ଟି ଛେଳିଙ୍କର ମୃତ୍ୟୁ ଘଟିଥିବା ବେଳେ ଏବେବି ଜଙ୍ଗଲରେ 29 ଛେଳି ନିଖୋଜ ଅଛନ୍ତି ।

ନରସିଂହପୁର ଜଙ୍ଗଲରେ ହେଟାବାଘ ଆତଙ୍କ !

By

Published : Nov 20, 2019, 4:23 AM IST

କଟକ: ନରସିଂହପୁର ଜଙ୍ଗଲରେ ହେଟା ଆତଙ୍କ । ଯାହାକୁ ନେଇ ଅଞ୍ଚଳରେ ସୃଷ୍ଟି ହୋଇଛି କୋକୁଆ ଭୟ । ନରସିଂହପୁର ପଶ୍ଚିମାଞ୍ଚଳ ବନ ବିଭାଗ ବାରସିଙ୍ଗା ଜଙ୍ଗଲ ଅଧିନ ଉଲ୍ଲାସକୋଟ ପନିକି ଜଙ୍ଗଲ (ପାହାଡ଼)ରେ ଅଜଣା ଜନ୍ତୁ ଆକ୍ରମଣରେ 6ଟି ଛେଳିଙ୍କର ମୃତ୍ୟୁ ଘଟିଥିବା ବେଳେ ଏବେବି ଜଙ୍ଗଲରେ 29 ଛେଳି ନିଖୋଜ ଅଛନ୍ତି ।

ସୂଚନା ଅନୁସାରେ, ନରସିଂହପୁର ବ୍ଲକ ଅନ୍ତର୍ଗତ ଉଲ୍ଲାସକୋଟ ଗ୍ରାମର ଲିଙ୍ଗରାଜ ଅମାନ୍ତ ତାଙ୍କ ପତ୍ନୀ କୁନି ଅମାନ୍ତ ଛେଳି ଚାଷ କରି ପରିବାର ପ୍ରତିପୋଷଣ କରନ୍ତି । ପ୍ରତିଦିନ ଭଳି ରବିବାର ଦିନ ସକାଳୁ ଗ୍ରାମକୁ ଲାଗିଥିବା ପନିକି (ପାହାଡ଼) ଜଙ୍ଗଲକୁ କୁନି ନିଜର 41ଟି ଛେଳି ଚରେଇବା ପାଇଁ ନେଇଥିଲେ । ମଧ୍ୟାହ୍ନରେ ଘରକୁ ଖାଇବା ପାଇଁ ପୁଣି ଫେରିଥିଲେ ମାତ୍ର ଫେରିବା ପରେ ଆଉ କୌଣସି ଛେଳିକୁ ଖୋଜି ପାଇନଥିଲେ । ସ୍ବାମୀ, ସ୍ତ୍ରୀ ରାତି ପର୍ଯ୍ୟନ୍ତ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ଛେଳିର କୌଣସି ସନ୍ଧାନ ମିଳିନଥିଲା । ଶେଷରେ ନିରାଶ ହୋଇ ଯାଇ ସମସ୍ତ କଥା ଗାଁ ରେ କହିଥିଲେ ।

ପରେ ଭୋର ସମୟରୁ ଗ୍ରାମର 50ରୁ ଅଧିକ ଯୁବକ ଓ ଗ୍ରାମବାସୀ ଜଙ୍ଗଲରେ ବହୁ ଖୋଜାଖୋଜି କରିବା ପରେ ମଧ୍ୟାହ୍ନରେ ଗୋଟିଏ ଜାଗାରେ କଟା ମୁଣ୍ଡ ଥିବା ଗୋଟିଏ ଛେଳିକୁ ପାଇଥିଲେ । ସେହି ଅଞ୍ଚଳର ପାଞ୍ଚ ଶହ ପରିଧି ମଧ୍ୟରେ ଆଉ 6ଟି ମୃତ ଛେଳି ପାଇଥିଲେ । ସେଥି ମଧ୍ୟରୁ କାହାର ପେଟ ଅନ୍ତବୁଜୁଲା ବାହାରି ଯାଇଛି ତ ଆଉ କାହାକୁ ବେକକୁ ଗଭୀର ଆକ୍ରମଣ ହୋଇଛି । ଏହାସହ ଗୋଟିଏ ଛୋଟ ଛେଳି ଛୁଆକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ ଗ୍ରାମବାସୀ ।

ଖବର ପାଇବା ପରେ ବନ ବିଭାଗ କର୍ମଚାରୀ ଓ ଗ୍ରାମବାସୀ ମିଶି ସନ୍ଧ୍ୟା ପର୍ଯ୍ୟନ୍ତ ଜଙ୍ଗଲରେ ଖୋଜାଖୋଜି କରିଥିଲେ ମଧ୍ୟ ଆଉ କୌଣସି ପତ୍ତା ମିଳିନଥିଲା । ସେପଟେ କେଉଁ ଜନ୍ତୁ ଆକ୍ରମଣ କରିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । କେହି କେହି ରାମଶିଆଳ ଆକ୍ରମଣ କରିଥିବା କହୁଥିବା ବେଳେ ଆଉ କେହି ହେଟା ବାଘ କିମ୍ବା କେନ୍ଦୁଆ ଆକ୍ରମଣ କରିଥିବା ଅନୁମାନ କରୁଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏକ ପ୍ରକାର କୋକୁଆଭୟ ସୃଷ୍ଟି ହୋଇଛି ।

ଏହି ଭୟରେ ଗ୍ରାମବାସୀ ନିଜର ଗୃହପାଳିତ ପଶୁଙ୍କୁ ଜଙ୍ଗଲକୁ ଚରାଇବା ପାଇଁ ନେଉନାହାନ୍ତି । ହାତୀ ବାରାହାଙ୍କ ଫସଲ ନଷ୍ଟ ପରେ ପରେ ଏହି ଅଜଣା ଜନ୍ତୁର ଏଭଳି କାର୍ଯ୍ୟ ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଇଛି ।

ନରସିଂହପୁର ଜଙ୍ଗଲରେ ହେଟାବାଘ ଆତଙ୍କ !

ଛେଳି ଚରାଇ ଜୀବିକା ନିର୍ବାହ କରୁଥିବା ଲିଙ୍ଗରାଜ ଓ କୁନି ଏହି ଘଟଣାରେ ମର୍ମାହତ ହୋଇ ପଡିବା ସହ ବାରମ୍ବାର ଚେତଶୂନ୍ୟ ହୋଇପଡୁଛନ୍ତି । ଗ୍ରାମବାସୀ ତାଙ୍କୁ ସାନ୍ତ୍ବନା ଦେବା ସହ ବନ ବିଭାଗ ତୁରନ୍ତ ଏହାର କ୍ଷତିପୂରଣ ଦେବା ସହ ଘଟଣାର ସ୍ଥାୟୀ ପ୍ରତିକାର ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।

ଏନେଇ ବନ କର୍ମଚାରୀ ଘଟଣାକୁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ସହ ଯଥା ସମ୍ଭବ ସରକାରୀ ସାହାଯ୍ୟ ଯୋଗାଇ ଦିଆଯିବା ନେଇ ପ୍ରତିଶୃତି ଦେଇଛନ୍ତି ।

ଏନ୍ୟପଟେ ନରସିଂହପୁର ପ୍ରାଣୀ ଚିକିତ୍ସା ଅଧିକାରୀ ବିଜୟ କୁମାର ସେନାପତି ମୃତ ଛେଳିର ବ୍ୟବଚ୍ଛେଦ କରୁଛନ୍ତି । ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ସମସ୍ତ ଘଟଣା ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details