କଟକ: ବଢୁଛି କୋରୋନା, ବଢୁଛି ଭୟ । ତା ସହିତ ବଢୁଛି ମୃତ୍ୟୁ ସଂଖ୍ୟା । ଆଉ ଏହି ସମୟରେ ମୃତ ଶରୀରକୁ ସତ୍କାର କରିବାକୁ ଦେଖାଦେଉଛି ଆତ୍ମୀୟଙ୍କ ଅଭାବ । ପଛଘୁଞ୍ଚା ଦେଉଛନ୍ତି ବନ୍ଧୁ-ବାନ୍ଧବ, ଆତ୍ମୀୟସୌଜନ । ଏପରି ସ୍ଥିତିରେ ମୃତକଙ୍କୁ ସମ୍ମାନ ଜଣାଇ ସେମାନଙ୍କ ଶରୀରକୁ ସତ୍କାର କରିବାକୁ ଆଗେଇ ଆସିଛି ସାବିତ୍ରୀ ଜନସେବା ହେଲ୍ପଲାଇନ ସ୍ବେଚ୍ଛାସେବୀ ସଙ୍ଗଠନ ।
‘କେହି ନାହିଁ ଯାହାର ଆମେ ଅଛୁ ତାହାର’ ନ୍ୟାୟରେ ମାଗଣାରେ ଆମ୍ବୁଲାନ୍ସ ପଠାଇ ମୃତଦେହକୁ ଆଣିବା ସହ ସତ୍କାର କରୁଛି ସଙ୍ଗଠନ । ଅସହାୟ ଲୋକଙ୍କଠାରୁ ଆରମ୍ଭ କରି କୋଭିଡ୍ ମୃତକଙ୍କ ପର୍ଯ୍ୟନ୍ତ, ସଭିଁଙ୍କ ମୃତଶରୀରକୁ ସତ୍କାର କରୁଛନ୍ତି ଏହି ସ୍ବେଚ୍ଛାସେବୀ ।
କେବଳ ସେତିକି ନୁହେଁ ଯେଉଁ ବ୍ୟକ୍ତି ମୃତଦେହକୁ ନିଜ ଅଞ୍ଚଳକୁ ନେବାକୁ ଚାହୁଁଛି, ତାଙ୍କୁ ମାଗଣାରେ ଆମ୍ବୁଲାନ୍ସ ମଧ୍ୟ ଯୋଗାଇ ଦେଉଛି ସଙ୍ଗଠନ । ଅନ୍ୟପଟେ ଏହି ଅସମୟରେ ସରକାରୀ ସ୍ତରରେ ମଧ୍ୟ ଯୋଗାଇଦିଆଯାଉଛି ସେବା । ମୃତ ବ୍ୟକ୍ତିଙ୍କ ସତ୍କାର ପାଇଁ କଟକରେ ମୋ ପରିବାର ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଉଛି ।